କଟକରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ, ‘ଗରିବଙ୍କ କଲ୍ୟାଣ’ ଆଜି ଓଡ଼ିଶାର ସ୍ୱତନ୍ତ୍ର ପରିଚୟ ପାଲଟିଛି: ମୁଖ୍ୟମନ୍ତ୍ରୀ

କଟକ,୨୭ା୧(ବ୍ୟୁରୋ): ଦେଶର ବିକାଶ ସହିତ ତାଳ ଦେଇ ଓଡିଶା ମଧ୍ୟ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିଛି । ଗରିବ ଲୋକଙ୍କ କଲ୍ୟାଣ, ମହିଳା ସଶକ୍ତିକରଣ, ଯୁବ ସମାଜର ଉନ୍ନତି, ଅନୁସୂଚିତ ଜାତି-ଜନଜାତି, କୃଷକ ଏବଂ ଶ୍ରମିକଙ୍କ ସଶକ୍ତିକରଣ କାର୍ଯ୍ୟକ୍ରମ ଆଜି ଓଡିଶାର ସ୍ୱତନ୍ତ୍ର ପରିଚୟ ପାଲଟିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । କଟକରେ ଆୟୋଜିତ ୭୦ ତମ ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ମତ ରଖିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ, ମେକ୍ ଇନ୍ ଓଡିଶା କାର୍ଯ୍ୟକ୍ରମ ରାଜ୍ୟରେ ପୁଞ୍ଜି ନିବେଶ କ୍ଷେତ୍ରରେ ନୂଆ ଆସ୍ଥା ସୃଷ୍ଟି କରିଛି । ଏହାର ଫଳ ସ୍ୱରୂପ ୪.୨ ଲକ୍ଷ କୋଟି ପୁଞ୍ଜି ନିବେଶ ସହିତ ୭ ଲକ୍ଷ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଓଡିଶାରେ ପୁରୁଷ ହକି ବିଶ୍ୱ କପ୍ର ସଫଳ ଆୟୋଜନ ବିଶ୍ୱରେ ଭାରତର ଗୌରବ ବୃଦ୍ଧି କରିଛି । ମାଲକାନଗିରି ଭଳି ବିଚ୍ଛିନ୍ନାଞ୍ଚଳକୁ ଯୋଗାଯୋଗ ପାଇଁ ଗୁରୁପ୍ରିୟା ସେତୁ ନିର୍ମାଣଠାରୁ ଆରମ୍ଭ କରି, ବିଜୁ ଏକ୍ସପ୍ରେସ୍ ୱେ ଏବଂ ଅଧିକ ୮ ଲକ୍ଷ ହେକ୍ଟର ଜମିକୁ ଅତିରିକ୍ତ ଜଳସେଚନ ସୁବିଧା ରାଜ୍ୟର ଅଗ୍ରଗତିରେ ଗୋଟିଏ ଗୋଟିଏ ମାଇଲ୍ ଖୁଣ୍ଟ ସାବ୍ୟସ୍ତ ହୋଇଛି । କୃଷି ଓ କୃଷକର କଲ୍ୟାଣ ପାଇଁ କାଳିଆ ଯୋଜନା ସାରା ଦେଶରେ ଏକ ଆଦର୍ଶ ଯୋଜନା ପାଲଟିଛି । ଏଥିରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୨ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି । ନୂଆ ଓଡିଶା ଗଠନ କରିବାରେ ସମସ୍ତେ ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଅବସରରେ ଆହ୍ୱାନ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ସମ୍ମିଳିତ ପରେଡ୍ରେ ୪୨ଟି ଦଳଠାରୁ ଅଭିବାଦନ ଗ୍ରହଣ କରିଥିଲେ । ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ଓ ଉଲ୍ଲେଖନୀୟ ସେବା ପାଇଁ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ପୁରସ୍କୃତ କରିଥିଲେ । ଏହି ଅବସରରେ ଖ୍ୟାତନାମା ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଡା. ନୀଳମାଧବ ରଥ, ଡା. ବିଦ୍ୟୁତ୍ କୁମାର ଦାସ, ଡା. କ୍ରୀଷ୍ଣା କାବେରୀ ପଟ୍ଟନାୟକ, ଡା. ପ୍ରଦୀପ କୁମାର ଜେନା, ସମାଜସେବୀ ଶ୍ରୀମତୀ ମନୋରମା ମହାପାତ୍ର, ଡାକ୍ତର ସମ୍ରାଟ କରଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ । ସମାରୋହରେ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳ, ମେୟର ମୀନାକ୍ଷୀ ବେହେରା, ଡେପୁଟି ମେୟର ଅଜୟ ବାରିକ୍, ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ୍, ସିଏମ୍ସି କମିସନର ଶରତ ଚନ୍ଦ୍ର ନାୟକ ଓ ଡିସିପି ଅଖିଳେଶ୍ୱର ସିଂହ ଉପସ୍ଥିତ ଥିଲେ ।