ଭୁବନେଶ୍ୱର,୨୧/୧୨: ଓଡ଼ିଶା ରିଅଲ ଇଷ୍ଟେଟ୍‌  ରେଗୁଲେଟୋରୀ ଅଥରିଟି (ଓରେରା) ଦ୍ୱାରା ଏକ  ନୂତନ ୱେବ୍‌ସାଇଟ୍‌ (https://rera.odisha.gov.in) ଓରେରା ସଂସ୍କରଣ ୨.୦ ଆରମ୍ଭ କରାଯାଇଛି । ଶୁକ୍ରବାର ଆୟୋଜିତ ଏକ ସମାରୋହରେ ଓରେରା ଅଧ୍ୟକ୍ଷ ସିଦ୍ଧାନ୍ତ ଦାସ ଏହି ନୂତନ ୱେବ୍‌ସାଇଟ୍‌କୁ ଓରେରା (ସଦସ୍ୟ)  ପ୍ରଦୀପ କୁମାର ବିଶ୍ୱାଳ, ଗୋପାଳ ଚନ୍ଦ୍ର ପଟ୍ଟନାୟକ ଏବଂ  ଅନ୍ୟ ଅଧିକାରୀମାନଙ୍କ ଉପସ୍ଥିତିରେ ଉଦ୍‌ଘାଟନ କରିଛନ୍ତି ।  

ଶ୍ରୀ ଦାସ ତାଙ୍କ ଅଭିଭାଷଣରେ କହିଲେ ଯେ, ବ୍ୟବସ୍ଥାରେ  ସ୍ୱଚ୍ଛତା, ଦକ୍ଷତା ଏବଂ ଉତ୍ତରଦାୟିତ୍ୱକୁ ପ୍ରୋତ୍ସାହିତ କରିବାରେ  ରେରା ପାଇଁ ଏହା ଏକ ଐତିହାସିକ ଦିନ । ରେକର୍ଡ ସମୟ  ମଧ୍ୟରେ ଏହି ନୂତନ ୱେବ୍‌ସାଇଟ୍‌କୁ ସଫଳତାର ସହ  କାର୍ଯ୍ୟକାରୀ କରିଥିବାରୁ ସେ ସମସ୍ତ ଅଧିକାରୀ ଏବଂ ଟିମ୍‌  ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହା ବ୍ୟବହାରକାରୀ  ଅନୁକୂଳ ଏବଂ ସମସ୍ତ ଅଂଶୀଦାରମାନଙ୍କ ପାଇଁ ସହାୟକ  ହେବ ବାଲି ଆଶା କରିଛନ୍ତି ଶ୍ରୀ ଦାସ । ଓରେରା ସଚିବ ଶ୍ରବଣୀ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅର୍ଥ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଦୀପକ କୁମାର ବେଶରା ଧନ୍ୟବାଦ ଅର୍ପଣ କରିଥିଲେ । 

ଭୁବନେଶ୍ୱରସ୍ଥିତ ଆଇଟି କମ୍ପାନି ସିଏସ୍‌ଏମ୍‌ ଟେକ୍ନୋଲୋଜିଜ୍‌ ଦ୍ୱାରା ବିକଶିତ  ଏହି ଆପ୍ଲିକେସନ୍‌ରେ ଉଚ୍ଚମାନର ପ୍ରଯୁକ୍ତିବିଦ୍ୟା ସହିତ ଡ୍ୟାସ୍‌ବୋର୍ଡ, ଚାଟ୍‌ବୋଟ୍‌ ଇତ୍ୟାଦି ନୂତନ ବୈଶିଷ୍ଟ୍ୟ  ରହିଛି । ଏହାଦ୍ୱାରା ପ୍ରମୋଟର, ଘର କ୍ରେତା, ରିଅଲ  ଇଷ୍ଟେଟ୍‌ ଏଜେଣ୍ଟ ଏବଂ ଓକିଲମାନେ ନିରବଚ୍ଛିନ୍ନ କାରବାର  କରିପାରିବା ସହ ଏହି ନୂତନ ବ୍ୟବସ୍ଥାରେ ଉପକୃତ ହେବେ ।