ବିଧାନସଭା ପରିସରରେ ସହିଦ ଦିବସ: ଜାତିର ପିତାଙ୍କୁ ଶ୍ରଦ୍ଧାସୁମନ

ଭୁବନେଶ୍ୱର,୩୦ା୧(ବ୍ୟୁରୋ): ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ମହାପ୍ରୟାଣ ଦିବସ ଅବସରରେ ରାଜ୍ୟସ୍ତରୀୟ ସହିଦ ଦିବସ ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଓଡ଼ିଶା ବିଧାନସଭା ପରିସରରେ ପାଳିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବାଚସ୍ପତି ପ୍ରଦୀପ କୁମାର ଅମାତ୍ ବିଧାନସଭା ପରିସରସ୍ଥ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।
ଏହି ଅବସରରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ମନ୍ତ୍ରୀ ପ୍ରତାପ ଜେନା, ସରକାରୀ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ପ୍ରାକ୍ତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକ ପ୍ରମୁଖ ଉପସ୍ଥିତ ରହି ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ତୋପ ଧ୍ୱନି ସହ ସହିଦମାନଙ୍କ ସମ୍ମାନାର୍ଥେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ପରେ ପୁଲିସ୍ ବ୍ୟାଣ୍ଡ୍ ଦ୍ୱାରା ରାମଧୂନ୍ ପରିବେଷଣ କରାଯାଇଥିଲା । ଶାଶ୍ୱତୀ ସାମାଜିକ ଓ ସାଂସ୍କୃତିକ କେନ୍ଦ୍ରର କଣ୍ଠଶିଳ୍ପୀମାନେ ଗାନ୍ଧିଜୀଙ୍କ ପ୍ରିୟ ଆଶ୍ରମ ଭଜନ ‘ବୈଷ୍ଣବ ଜନତୋ’, ‘ରଘୁପତି ରାଘବ’ ପରିବେଷଣ କରିଥିଲେ । ଏହା ବିଧାନ ସଭା ପରିସରରେ ଏକ ସ୍ୱତନ୍ତ୍ର ମାହୋଲ ସୃଷ୍ଟି କରିଥିଲା ।
କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ବିଭାଗ କମିଶନର ତଥା ଶାସନ ସଚିବ ସଞ୍ଜୟ କୁମାର ସିଂ, ବିଧାନସଭାର ସଚିବ ଅମୀୟ କୁମାର ଷଡ଼ଙ୍ଗୀ, ସୂଚନା ଓ ଲୋକସମ୍ପର୍କ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ନିରଞ୍ଜନ ସେଠୀ, ଉପନିର୍ଦ୍ଦେଶକ ବିପିନ ବିହାରୀ ବାରିକି, ବହୁ ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ସୂଚନା ଅଧିକାରୀ ସୁଚେତା ପ୍ରିୟଦର୍ଶନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।