ଆମେରିକା-ଦକ୍ଷିଣ କୋରିଆ ମିଳିତ ସମରାଭ୍ୟାସକୁ ଦେଖି ଭୟଭୀତ ଉତ୍ତର କୋରିଆ, ସପ୍ତାହକ ମଧ୍ୟରେ ଉତକ୍ଷେପଣ କଲାଣି ୪ଟି କ୍ଷେପଣାସ୍ତ୍ର …

ନୂଆଦିଲ୍ଲୀ: ଉତ୍ତର କୋରିଆ ପୁଣି ଏକ ସନ୍ଦେହଜନକ କ୍ଷେପଣାସ୍ତ୍ରକୁ ସମୁଦ୍ରକୁ ଛାଡିଛି । ଉତ୍ତର କୋରିଆର ପଡୋଶୀ ଦେଶମାନେ ଏହି ସୂଚନା ଦେଇଛନ୍ତି । ଆମେରିକା ଏବଂ ଦକ୍ଷିଣ କୋରିଆ ମଧ୍ୟରେ ମିଳିତ ସାମରିକ ଅଭ୍ୟାସକୁ ଜବାବ ଦେବାପାଇଁ ଉତ୍ତର କୋରିଆ ଏହାର ପରୀକ୍ଷଣ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିଛି । ଉତ୍ତର କୋରିଆ ଏହି ସାମରିକ ଅଭ୍ୟାସକୁ ଏହା ଉପରେ ଆକ୍ରମଣର ଅଭ୍ୟାସ ଭାବରେ ଦେଖୁଛି । ଜାପାନର ରକ୍ଷା ମନ୍ତ୍ରଣାଳୟ ଏବଂ କୋଷ୍ଟଗାର୍ଡ କହିଛନ୍ତି ଯେ ଉତ୍ତର କୋରିଆ ରବିବାର ସକାଳେ ଏହି କ୍ଷେପଣାସ୍ତ୍ରକୁ ଛାଡିଛି । ତେବେ ଏହି ଉତକ୍ଷେପଣ ସମ୍ପର୍କରେ ସେ ଅନ୍ୟ କୌଣସି ସୂଚନା ଦେଇନାହାଁନ୍ତି ।
ଦକ୍ଷିଣ କୋରିଆର ‘ୟୋନହାପ’ ସମାଚାର ଏଜେନ୍ସି ଅନୁଯାୟୀ, ଦକ୍ଷିଣ କୋରିଆ ସୈନ୍ୟ କହିଛନ୍ତି ଯେ, ଉତ୍ତର କୋରିଆ ଏହାର ପୂର୍ବାଞ୍ଚଳ ଜଳକ୍ଷେତ୍ର ଆଡକୁ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଛି । ଏହାର ଅନୁସନ୍ଧାନ ଚାଲିଥିବା ବେଳେ ଯଦି ଏହି କ୍ଷେପଣାସ୍ତ୍ର ଉତକ୍ଷେପଣ ନିଶ୍ଚିତ ହୁଏ, ତେବେ ଗତ ସପ୍ତାହରେ ଆମେରିକା ଏବଂ ଦକ୍ଷିଣ କୋରିଆ ସୈନ୍ୟ ମିଳିତ ସାମରିକ ଡ୍ରିଲ ଆରମ୍ଭ କରିବା ପରଠାରୁ ଏହା ଉତ୍ତର କୋରିଆର ଚତୁର୍ଥ ଅସ୍ତ୍ର ପରୀକ୍ଷା ହେବ ।
ଉତ୍ତର କୋରିଆ ବିଶ୍ୱାସ କରୁଛି, ଯେ ଏହି ମିଳିତ ସାମରିକ ଅଭ୍ୟାସ ଏହା ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତି । ତେବେ ଆମେରିକା ଏବଂ ଦକ୍ଷିଣ କୋରିଆ କହିଛନ୍ତି ଯେ ଆମର ଅଭ୍ୟାସ ଏକ ପ୍ରତିରକ୍ଷା ପ୍ରକୃତିର ଅଂଶ । ଏହି ଅଭ୍ୟାସ ଗୁରୁବାର ପର୍ଯ୍ୟନ୍ତ ଚାଲିବ । ନିକଟରେ ଉତ୍ତର କୋରିଆ ନିଜର ସାମରିକ ଶକ୍ତି ପ୍ରଦର୍ଶନ କରି ଏକ ଅନ୍ତର୍ମହାଦ୍ବିପୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର (ଆଇସିବିଏମ୍) ହାୱାସଙ୍ଗ -17 ଉତକ୍ଷେପଣ କରିଥିଲା । ଉତ୍ତର କୋରିଆର ରାଜ୍ୟ ଗଣମାଧ୍ୟମ ଦେଶର ନେତା କିମ ଜୋଙ୍ଗ ଉନଙ୍କ ଉଦ୍ଧେଶ୍ୟରେ କହିଛନ୍ତି ଯେ ଆଇସିବିଏମ ଉତକ୍ଷେପଣର ଉଦ୍ଦେଶ୍ୟ ହେଉଛି “ଶତ୍ରୁମାନଙ୍କ ମନରେ ଭୟ ସୃଷ୍ଟି କରିବା”।