ନୂଆଦିଲ୍ଲୀ ୧୭/୦୫: ଆଗକୁ ବିରିୟାନୀ, ବର୍ଗର ଏବଂ ଅନ୍ୟାନ୍ୟ ଖାଦ୍ୟ ପଦାର୍ଥ ପାଇଁ ପକେଟରୁ ଯାଇପାରେ ଅଧିକ ଟଙ୍କା । ଇନ୍ଧନ ଦର ବୃଦ୍ଧି ମଧ୍ୟରେ ଦେଶର ରେସ୍ତୋରାଁ ଏବଂ ଡେଲିଭରୀ ଆପ୍‌ଗୁଡ଼ିକ ଆସନ୍ତା ସପ୍ତାହରୁ ଖାଦ୍ୟ ଦରରେ ୫ରୁ ୧୦% ବୃଦ୍ଧି କରିବା ପାଇଁ ବିଚାର କରୁଛନ୍ତି । ପୂର୍ବରୁ ହିଁ ଶିଳ୍ପ ଏଲ୍‌ପିଜି ସଂକଟ ଦେଇ ଗତି କରୁଛି । ଗ୍ୟାସ୍ ଦର ବୃଦ୍ଧି ଏବଂ ଷ୍ଟାଫ୍ ସମସ୍ୟା ବୋଝ ଉପରେ ନଳିତାବିଡ଼ା ହେଲାଣି । ମେନ୍ୟୁ ଦର ବଢ଼ାଇବା ପାଇଁ ପ୍ରସ୍ତୁତ ହେଉଛନ୍ତି ରେସ୍ତୋରାଁ । ଶିଳ୍ପ ଅଧିକାରୀମାନଙ୍କ କହିବାନୁସାରେ, ପେଟ୍ରୋଲ ଏବଂ ଡିଜେଲ ମହଙ୍ଗା ହେବା ଦ୍ୱାରା ମେନ୍ୟୁ ଦର ବଢ଼ିପାରେ । ଡେଲିଭରୀ ଚାର୍ଜ ବଢ଼ିବା ସହିତ ହାରାହାରି ଖାଦ୍ୟ ଦର ବଢ଼ିଯିବ । ଅଧିକାଂଶ ରେସ୍ତୋରାଁ ଚେନ୍‌ଗୁଡ଼ିକ ପାଇଁ ବର୍ଦ୍ଧିତ ଖର୍ଚ୍ଚକୁ ବହନ କରିବା ଅସହ୍ୟ ହୋଇଗଲାଣି ।

୧୭ଟି ସହରରେ ୫୦ ଆଉଟ୍‌ଲେଟ୍ ଚଳାଉଥିବା କ୍ୟାଫେ ଦିଲ୍ଲୀ ହାଇଟ୍‌ସର ପ୍ରତିଷ୍ଠାତା ବିକ୍ରାନ୍ତ ବାତ୍ରା କୁହନ୍ତି, ଇନ୍ଧନ ଦର ବଢ଼ିବା ଦ୍ୱାରା ଆମର ପରିବହନ, ପ୍ୟାକେଜିଂ, କଞ୍ଚାମାଲ ଏବଂ ଉତ୍ପାଦନ ଖର୍ଚ୍ଚ ବଢ଼ିବ । ଏଭଳି ସ୍ଥିତିରେ ଦର ବଢ଼ାଇବା ବ୍ୟତୀତ ଆମ ପାଖରେ କୌଣସି ବିକଳ୍ପ ନାହିଁ । ମଧ୍ୟପ୍ରାଚ୍ୟ ଯୁଦ୍ଧ ସ୍ଥିତିରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୦ ଡଲାର ପାର୍ କରିଯାଇଥିବାବେଳେ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି । ବର୍ତ୍ତମାନ ରେସ୍ତୋରାଁଗୁଡ଼ିକ ବାର୍ଷିକ ପ୍ରାଇସିଂ ପ୍ଲାନ ଉପରେ ପୁନର୍ବିଚାର କରୁଛନ୍ତି । କେତେକ ବ୍ରାଣ୍ଡ୍ କିଛି ଦିନ ମଧ୍ୟରେ ଦର ସଂଶୋଧନ କରିବା ପାଇଁ ଚିନ୍ତା କରୁଥିବାବେଳେ ଆଉ କିଛି ବ୍ରାଣ୍ଡ ଜୁନ୍‌ରୁ ଜୁଲାଇ ମଧ୍ୟରେ ପର୍ଯ୍ୟାୟ କ୍ରମେ ଦର ବଢ଼ାଇବେ । ନ୍ୟାସ୍ନାଲ ରେଷ୍ଟୁରାଣ୍ଟ୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ (ଏନ୍‌ଆର୍‌ଏଆଇ)ର ସଭାପତି ତଥା ୱାଓ ମୋମୋର ସହ-ପ୍ରତିଷ୍ଠାତା ସାଗର ଦର୍ୟାନି କୁହନ୍ତି, ରେସ୍ତୋରାଁ ଶିଳ୍ପ ସାଧାରଣତଃ ପ୍ରତିବର୍ଷ ସେପ୍ଟେମ୍ବରରେ ଦର ସଂଶୋଧନ କରନ୍ତି । କିନ୍ତୁ ବର୍ତ୍ତମାନ ସ୍ଥିତି ଯାହା ଏହାକୁ ଆଗୁଆ କରିବା ପାଇଁ ବିଚାର ହେଉଛି ।

ଏକ ପ୍ରମୁଖ ଡେଲିଭରୀ କମ୍ପାନିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଖାଦ୍ୟ ଡେଲିଭରୀ ପ୍ଲାଟ୍‌ଫର୍ମଗୁଡ଼ିକ ପାଇଁ ବର୍ଦ୍ଧିତ ଲଜିଷ୍ଟିକ୍ସ ଖର୍ଚ୍ଚ ଗ୍ରାହକଙ୍କ ବ୍ୟୟ ପାଟର୍ଣ୍ଣକୁ ବଦଳାଇବ । ଗ୍ରାହକଙ୍କୁ ଉଚ୍ଚ ଡେଲିଭରୀ ଫି’ ଦେବାକୁ ପଡ଼ିପାରେ । ରିହାତି କମିପାରେ ଏବଂ ସର୍ବନିମ୍ନ ଅର୍ଡର ସୀମା ବଢ଼ିପାରେ । ଅନ୍ୟପକ୍ଷରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୱାର୍କ ଫ୍ରମ୍ ହୋମ୍ ଢାଞ୍ଚାକୁ ପୁନଃ ଆପଣାଇବା ପାଇଁ ଆହ୍ୱାନ ଦେଇଛନ୍ତି । ଏଭଳି ସ୍ଥିତିରେ ଫୁଡ୍ ଡେଲିଭରୀ ଚାହିଦା ବଢ଼ିବ ସତ କିନ୍ତୁ ଡାଇନ୍ ଆଉଟ୍ ବିଶେଷ କରି ଅଫିସ୍ ଅର୍ଡର ଏବଂ ଶୁକ୍ରବାର ବିଭିନ୍ନ ଅଫିସ୍ ପକ୍ଷରୁ ହେଉଥିବା ଗ୍ରୁପ୍ ଆଉଟିଂ କମିଯିବ । ଏହାଦ୍ୱାରା ରେସ୍ତୋରାଁଗୁଡ଼ିକର କାରବାର ପ୍ରଭାବିତ ହେବ । ଶିଳ୍ପ ପ୍ରତିନିଧିମାନଙ୍କ କହିବାନୁସାରେ, ଜୋମାଟୋ ଏବଂ ସ୍ୱିଗି ଭଳି ଡେଲିଭରି ପ୍ଲାଟଫର୍ମଗୁଡ଼ିକର କମିଶନ ତଥା ଚ୍ୟାନେଲ ପାର୍ଟନର ଫି’ ବଢ଼ିପାରେ । ଗ୍ରାହକଙ୍କ ପାଇଁ ଦର ନ ବଢ଼ାଇ ଲାଭରେ ସନ୍ତୁଳନ ଆଣିବା ମୁସ୍‌କିଲ ହୋଇଯାଇପାରେ ।

ଆହୁରି ପଢ଼ନ୍ତୁ...ପେଟ୍ରୋଲ-ଡିଜେଲ ପରେ ମହଙ୍ଗା ହେବ ମୋବାଇଲ୍ ରିଚାର୍ଜ