ନୂଆଦିଲ୍ଲୀ,୨୭/୦୫:  ଇନ୍ଧନ ଦର ବୃଦ୍ଧି ଏବଂ ସୁନା ରୁପା ଉପରେ ଅଧିକ ଆମଦାନି ଶୁଳ୍କ ଜୁନ୍‌ ସୁଦ୍ଧା ଖୁଚୁରା ମୁଦ୍ରାସ୍ଫୀତିକୁ ୫%କୁ ତେଜିବ । ଏଭଳି ଆଶଙ୍କା ପ୍ରକାଶ କରିଛନ୍ତି ଅର୍ଥନୀତିଜ୍ଞ । ତେବେ ଇନ୍ଧନ ଦର ବୃଦ୍ଧିର ପ୍ରଭାବ କମିବା ପର୍ଯ୍ୟନ୍ତ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ସତର୍କତା ଅବଲମ୍ବନ କରି ମୁଦ୍ରାସ୍ଫୀତି ନିଷ୍ପତ୍ତି ନେବ ବୋଲି ଏମାନେ ପ୍ରକାଶ କରିଛନ୍ତି ।  ୧୧ ଦିନ ମଧ୍ୟରେ ଲିଟର ପିଛା ପେଟ୍ରୋଲ ଏବଂ ଡିଜେଲ ଦର ପାଖାପାଖି ୮ ଟଙ୍କା ମହଙ୍ଗା ହୋଇଗଲାଣି । ମେ’ ୧୫ରୁ ଦରବୃଦ୍ଧି ଟ୍ରେଣ୍ଡ୍‌ ଆରମ୍ଭ ହୋଇଥିଲା । ସେବେଠାରୁ ୪ ଥର ବଢ଼ିଛି ଇନ୍ଧନ ଦର । ଇନ୍ଧନ ଦର ବଢ଼ିବା ଦ୍ୱାରା ଆଗକୁ ଦରଦାମ ସ୍ଥିତି ଉତ୍କଟ ହେବ, ଯାହାକି ମୁଦ୍ରାସ୍ଫୀତିକୁ ଉପରମୁହାଁ କରିବ ବୋଲି ପ୍ରକାଶ କରିଛନ୍ତି ଅର୍ଥନୀତିଜ୍ଞ । 

ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ଯୋଗୁ ଏହି ଦୁଇ ଇନ୍ଧନ ଉପରେ ନିର୍ଭରଶୀଳ କ୍ଷେତ୍ରଗୁଡ଼ିକ ଭୟଙ୍କର ଭାବେ ପ୍ରଭାବିତ ହେବେ । ପରିବହନ, ଷ୍ଟୋରେଜ ଏବଂ କିଛିକାଂଶରେ ଇଲେକ୍ଟ୍ରିସିଟି କ୍ଷେତ୍ର ପ୍ରଭାବିତ ହେବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ବିଶେଷଜ୍ଞ ।  ଅନ୍ୟପକ୍ଷରେ, ଅଣଜରୁରୀ ଆମଦାନିକୁ ନିୟନ୍ତ୍ରଣ କରିବା ପାଇଁ ସରକାର ମେ’ ୧୩ରେ ସୁନା ଏବଂ ରୁପା ଉପରେ ଆମଦାନି ଶୁଳ୍କକୁ ୧୫%କୁ ବୃଦ୍ଧି କରିଛନ୍ତି । ଏହା ମଧ୍ୟ ମୁଦ୍ରାସ୍ଫୀତି ଉପରେ ଚାପ ପକାଇବ ବୋଲି ଅର୍ଥନୀତିଜ୍ଞମାନେ ପ୍ରକାଶ କରିଛନ୍ତି । ଇନ୍ଧନ ଦରରେ ହାରାହାରି ୮ ଟଙ୍କା ବୃଦ୍ଧି ଦ୍ୱାରା ଖୁଚୁରା ମୁଦ୍ରାସ୍ଫୀତିରେ ପ୍ରାୟ ୭୫ ବେସିସ୍‌ ପଏଣ୍ଟ ବୃଦ୍ଧି ଘଟିବ । ୨୦୨୬ ମେ’ରେ ଖାଉଟି ମୂଲ୍ୟ ସୂଚକାଙ୍କଭିତ୍ତିକ ମୁଦ୍ରାସ୍ଫୀତି ୪ରୁ୪.୫% ଏବଂ ଜୁନ୍‌ରେ ୪.୫ରୁ ୫% ମଧ୍ୟରେ ରହିବ ବୋଲି ଇୱାଇ ଇଣ୍ଡିଆର ମୁଖ୍ୟ ପଲିସି ଆଡ୍‌ଭାଇଜର ଡି.କେ. ଶ୍ରୀବାସ୍ତବ ପ୍ରକାଶ କରିଛନ୍ତି ।

ମେ’ମାସର ସିପିଆଇ ବା ଖାଉଟି ମୂଲ୍ୟ ସୂଚକାଙ୍କଭିତ୍ତିକ ମୁଦ୍ରାସ୍ଫୀତି ଜୁନ୍‌ ୧୨ରେ ଜାରି ହେବ । ବର୍ତ୍ତମାନ ସ୍ଥିତିରେ ଇନ୍ଧନ ଦର ସ୍ୱାଭାବିକ ସ୍ତରକୁ ଆସିବା ପର୍ଯ୍ୟନ୍ତ ଆର୍‌ବିଆଇ ୱେଟ୍‌ ଆଣ୍ଡ୍‌ ୱାଚ୍‌ ମୋଡ୍‌ରେ ରହିବ । ଅର୍ଥାତ୍‌ ମୁଦ୍ରାନୀତି ବୈଠକରେ ସୁଧ ହାର ନିଷ୍ପତ୍ତି ନେବା ବେଳେ ଏହା ସତର୍କତା ଅବଲମ୍ବନ କରିବ । ଇନ୍ଧନ ଦରର ପ୍ରଭାବ ସମୀକ୍ଷା କରିବା ପାଇଁ ଏହା ଅନ୍ୟୁନ ଗୋଟିଏ ତ୍ରୟମାସ ଅପେକ୍ଷା କରିବ । ଯଦି ସିପିଆଇ ମୁଦ୍ରାସ୍ଫୀତି ୫% ପାର୍‌ କରେ ଏବଂ ବୃଦ୍ଧି ଧାରା ଜାରି ରୁହେ ତେବେ ଆର୍‌ବିଆଇ ସୁଧ ହାରକୁ କଡ଼ାକଡ଼ି କରିବା ଆରମ୍ଭ କରିବ ବୋଲି କହିଛନ୍ତି ଶ୍ରୀବାସ୍ତବ । ଇଣ୍ଡିଆ ରେଟିଙ୍ଗ୍‌ସ ଆଣ୍ଡ୍‌ ରିସର୍ଚ୍ଚର ନିର୍ଦ୍ଦେଶକ ମେଘା ଆରୋରା କହିଛନ୍ତି ଯେ, ଜୁନ୍‌ରେ ଖୁଚୁରା ମୁଦ୍ରାସ୍ଫୀତି ୪% ପାର୍‌ କରିପାରେ କିନ୍ତୁ ଏହା ଆର୍‌ବିଆଇର ନିର୍ଦ୍ଧାରିତ ସୀମା ମଧ୍ୟରେ ରହିବ । ଫଳରେ ସୁଧ ହାର ଅପରିବର୍ତ୍ତିତ ରହିପାରେ । ମେ’ ମଧ୍ୟଭାଗରୁ ପେଟ୍ରୋଲ ଏବଂ ଡିଜେଲ ଦରରେ ବୃଦ୍ଧି ଆରମ୍ଭ ହୋଇଛି । ମେ’ରେ ମୁଦ୍ରାସ୍ଫୀତି ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିବ । କିନ୍ତୁ ଜୁନ୍‌ରେ ସମ୍ପୂର୍ଣ୍ଣ ପ୍ରଭାବ ଦେଖିବାକୁ ମିଳିବ । ମୁଦ୍ରାନୀତି ନିଷ୍ପତ୍ତି ନେବା ସମୟରେ ଆର୍‌ବିଆଇ ସିପିଆଇ ମୁଦ୍ରାସ୍ଫୀତିକୁ ଧ୍ୟାନରେ ରଖିଥାଏ ।

ସାର ସବ୍‌ସିଡି ୩ ଲକ୍ଷ କୋଟି ଛୁଇଁବ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ସାରା ବିଶ୍ୱ ବଜାର ଏବେ ସଙ୍କଟରେ ରହିଛି । ଯୁଦ୍ଧ ବନ୍ଦ ନ ହେଲେ ଚଳିତ ଆର୍ôଥକ ବର୍ଷରେ କେନ୍ଦ୍ର ସରକାରଙ୍କ ସାର ସବସିଡି ବାବଦ ଖର୍ଚ୍ଚ ୩ ଲକ୍ଷ କୋଟି ଟଙ୍କା ଛୁଇଁପାରେ । ବଜେଟ ଅନୁମାନ ୧.୭୧ ଲକ୍ଷ କୋଟି ଟଙ୍କାରୁ ଏହା ଦୁଇ ଗୁଣା । ୟୁରିଆ, ଏଲ୍‌ଏନ୍‌ଜି ଏବଂ ଅନ୍ୟ କଞ୍ଚାମାଲ ଦର ବୃଦ୍ଧି ଯୋଗୁ ସବ୍‌ସିଡିରେ ଏଭଳି ବୃଦ୍ଧି ହେବ ବୋଲି ଆକଳନ କରାଯାଇଛି । ଇଣ୍ଡିଆନ କାଉନ୍‌ସିଲ ଫର୍‌ ରିସର୍ଚ୍ଚ ଅନ୍‌ ଇଣ୍ଟରନ୍ୟାସ୍‌ନାଲ ଇକୋନୋମିକ ରିଲେସନର ଏକ କାର୍ଯ୍ୟକ୍ରମରେ ସାର ବିଭାଗ ସଚିବ କ୍ରିଷ୍ଣକାନ୍ତ ପାଠକ କହିଛନ୍ତି, ଦେଶ ମଧ୍ୟରେ ପର୍ଯ୍ୟାପ୍ତ ସାର ଉପଲବ୍ଧ ରହିଛି । ୨୦ ନିୟୁତ ଟନ୍‌ରୁ ଉଦ୍ଧ୍ୱର୍ ସାର ରହିଛି । ଗୋଟିଏ ଆର୍ôଥକ ବର୍ଷରେ ଭାରତ ୭୦ ନିୟୁତ ଟନ୍‌ ସାର ବ୍ୟବହାର କରୁଛି । ଏହା ମଧ୍ୟରେ ଅଧିକାଂଶ ହେଉଛି ନାଇଟ୍ରୋଜେନ ସାର ।

ଆହୁରି ପଢନ୍ତୁ-Global Market Ranking : ଭାରତୀୟ ପୁଞ୍ଜି ବଜାରକୁ ପଛରେ ପକାଇଲା ତାଇୱାନ, ଟପ୍‌ ୫ରେ ନାହିଁ ଭାରତ

ସେହିଭଳି ୧୦ ନିୟୁତ ଟନ୍‌ ଡିଏପି, ୪୦ ନିୟୁତ ଟନ୍‌ ୟୁରିଆ ମଧ୍ୟ ଦେଶ ମଧ୍ୟରେ ବ୍ୟବହାର ହେଉଛି । ମାଟିରେ ମିଶିବା ଦିଗକୁ ଦେଖିଲେ ୟୁରିଆ କ୍ଷେତ୍ରରେ ବଡ଼ ଆହ୍ୱାନ ରହିଛି । ଡାଲି ବାଦ ମାଣ୍ଡିଆ ଭଳି ସ୍ୱଦେଶୀ ଶସ୍ୟ ଅଧିକ ଚାଷ ହେବାର ଆବଶ୍ୟକତା ରହିଛି । ସେହିଭଳି ଦେଶ ମଧ୍ୟରେ ଆମୋନିୟମ ସଲ୍‌ଫେଟ ବ୍ୟବହାର ହେବା ଉଚିତ । ଏହା ମାଟିରେ ମିଶିବା କ୍ଷେତ୍ରରେ ବେଶ୍‌ ଉନ୍ନତ ବୋଲି ସେ ଉଲ୍ଲେଖ କରିଛନ୍ତି । ଉଲ୍ଲେଖଯୋଗ୍ୟ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାର, ଇନ୍ଧନ ଏବଂ ବିଦେଶୀ ମୁଦ୍ରା ଭଣ୍ଡାର (୩ ଏଫ୍‌) ଉପରେ ସୋମବାର ଫୋକସ କରିଥିଲେ । ଏହା ଦେଶ ଉପରେ ଚାପ ସୃଷ୍ଟି କରୁଥିବା ସେ କହିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବିଦେଶୀ ମୁଦ୍ରା ସଞ୍ଚୟ ଉପରେ ଗୁରୁତ୍ୱାରୋପ କରିଥିଲେ । ଏବେ ତେଲ ବାଦ ବିଶ୍ୱ ବଜାରରେ ସାର ଦର ଉପରମୁହାଁ ହୋଇଛି।