ନୂଆଦିଲ୍ଲୀ, ୨୭/୦୫ : ବଜାର ପୁଞ୍ଜି ଦୃଷ୍ଟିରୁ ତାଇୱାନ ଭାରତୀୟ ପୁଞ୍ଜି ବଜାରକୁ ପଛରେ ପକାଇ ଦେଇଛି । ଏଆଇ ଯୁଗରେ ବିଶ୍ୱର ସବୁଠୁ ବଡ଼ ଚିପ୍ ନିର୍ମାତା କମ୍ପାନି ତାଇୱାନ ସେମିକଣ୍ଡକ୍ଟର ମାନୁଫାକଚରିଂ କମ୍ପାନି (ଟିଏସ୍ଏମ୍ସି)ରେ ଅଭିବୃଦ୍ଧି ଯୋଗୁ ତାଇୱାନ ବଜାର ଏଭଳି ସଫଳତା ପାଇଛି । ବ୍ଲୁମ୍ବର୍ଗ ରିପୋର୍ଟ ମୁତାବକ, ତାଇୱାନର ବଜାର ପୁଞ୍ଜି ୪.୯୫ ଟ୍ରିଲିୟନ ଡଲାର (୪୧୫ ଲକ୍ଷ କୋଟି ଟଙ୍କା) ଛୁଇଁଛି । ଅନ୍ୟପଟେ ଭାରତ ବଜାରର ଭାଲ୍ୟୁ ହ୍ରାସ ହୋଇ ୪.୯୨ ଟ୍ରିଲିୟନ ଡଲାର (୪୧୩ ଲକ୍ଷ କୋଟି ଟଙ୍କା) ରହିଛି । ଏବେ ବିଶ୍ୱର ଟପ୍ ୫ ପୁଞ୍ଜି ବଜାର ମଧ୍ୟରେ ଆମେରିକା, ଚୀନ, ଜାପାନ ଏବଂ ହଂକଂ ପରେ ତାଇୱାନ ରହିଛି ।
ତାଇୱାନ ଶେୟାର ବଜାରର ଅଭିବୃଦ୍ଧି ପଛରେ ଟିଏସ୍ଏମ୍ସି ରହିଛି । ତାଇୱାନର ପ୍ରମୁଖ ସୁଚକାଙ୍କରେ କେବଳ ଏହି କମ୍ପାନିର ଅଂଶ ୪୨% ରହିଛି । ଚଳିତ ବର୍ଷ ଏହି କମ୍ପାନିର ଅଂଶ ୪୯% ବୃଦ୍ଧି ହୋଇଛି । ସାରା ବିଶ୍ୱରେ ଏଆଇ ଟେକ୍ନୋଲୋଜି ଲାଗି ବ୍ୟବହୃତ ହେଉଥିବା ସେମିକଣ୍ଡକ୍ଟର ଚିପ୍ ଯୋଗାଣ କ୍ଷେତ୍ରରେ ଏହି କମ୍ପାନିର ଦବଦବା ରହିଛି । ଅନ୍ୟପଟେ ଭାରତୀୟ ପୁଞ୍ଜି ବଜାର ଚଳିତ ବର୍ଷ ଆହ୍ୱାନପୂର୍ଣ୍ଣ ରହିଛି । ଚଳିତ ବର୍ଷ ଭାରତୀୟ ପୁଞ୍ଜି ବଜାରରୁ ବିଦେଶୀ ନିବେଶକମାନେ ୨୪ ବିଲିୟନ ଡଲାର (୨ ଲକ୍ଷ କୋଟି) ଟଙ୍କା ପ୍ରତ୍ୟାହାର କଲେଣି । ଭାରତୀୟ ବଜାରର ଶେୟାରର ଉଚ୍ଚ ଭାଲ୍ୟୁଏସନ ଏବଂ ଟଙ୍କା ମୂଲ୍ୟ ଦୁର୍ବଳ ହେବା ଯୋଗୁ ବିଦେଶୀ ନିବେଶକମାନେ ପୁଞ୍ଜି କାଢ଼ି ନେଉଛନ୍ତି ।
ଏହି ଖବରଟିକୁ ପଢନ୍ତୁ- ଦେଶରେ ଭୟଙ୍କର ସ୍ଥିତି; ୩ଏଫ୍କୁ ଫୋକସ୍ କରିବାକୁ ସୀତାରମଣଙ୍କ ଅପିଲ୍,୧ ଲକ୍ଷ କୋଟି ଟଙ୍କାର କ୍ଷତି ପଛର କାରଣ କଣ ?
ଅନ୍ୟପଟେ ନିବେଶକମାନେ ତାଇୱାନ ଏବଂ ଦକ୍ଷିଣକୋରିଆର ଏଆଇ ଏବଂ ମାନୁଫାକଚରିଂ କମ୍ପାନିଗୁଡିକର ଶେୟାରରେ ନିବେଶ କରୁଛନ୍ତି । ଇନ୍ଧନ ଦର ବୃଦ୍ଧି ଯୋଗୁ ଦେଶ ମଧ୍ୟରେ ମୁଦ୍ରାସ୍ଫୀତି ତେଜିଛି । ଏହା ଦ୍ୱାରା ଅଭିବୃଦ୍ଧି ପ୍ରଭାବିତ ହେବ । ଭାରତୀୟ ବଜାରରେ ଏଆଇ କମ୍ପାନି ଗୁଡିକର ଉପସ୍ଥିତି ଏତେଟା ନାହିଁ । ଭାରତୀୟ କର୍ପୋରେଟଗୁଡିକର ଲାଭ ଆଖିଦୃଶିଆ ନ ହେବା ଯୋଗୁ ନିବେଶକଙ୍କ ଭରସା ଜିତିବାରେ ବଜାର ସକ୍ଷମ ହେଉନି । ଅନ୍ୟପଟେ ଜିଡିପିକୁ ଦେଖିଲେ ଭାରତୀୟ ବଜାରର ଆକାର ୪.୧୫ ଟ୍ରିଲିୟନ ଡଲାର ହୋଇଥିବା ବେଳେ ତାଇୱାନ ଜିଡିପି ୯୭୭ ବିଲିୟନ ଡଲାର ସ୍ତରରେ ରହିଛି ।