ଭୁବନେଶ୍ୱର, ୧୦/୭ : ଜମି ଲିଜ୍ ସମ୍ବନ୍ଧୀୟ ମାମଲାରେ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ଓ ବିଧିବଦ୍ଧ ପ୍ରକ୍ରିୟାର ଯଥାର୍ଥ ପାଳନକୁ ସର୍ବୋଚ୍ଚ ଗୁରୁତ୍ୱ ଦେଇ ଆବଶ୍ୟକୀୟ ସଠିକ୍ ସଂରକ୍ଷିତ ରେକର୍ଡ଼ ପ୍ରଦାନ କରିବା ନିମନ୍ତେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଦୃଢ଼ ନିର୍ଦ୍ଦେଶ ଜାରି କରାଯାଇଛି l ଏ ସଂକ୍ରାନ୍ତରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି l

ସମ୍ପ୍ରତି ଏକ ମାମଲାରେ ଉଚ୍ଚ ନ୍ୟାୟାଳୟଙ୍କ ରାୟକୁ ଦୃଷ୍ଟିରେ ରଖି ବିଭାଗ ସ୍ପଷ୍ଟ କରିଛି ଯେ, ଜମି ଲିଜ୍ ସଂକ୍ରାନ୍ତୀୟ ସମସ୍ତ ମାମଲାରେ ନ୍ୟାୟାଳୟଙ୍କ ଆଦେଶ, ପ୍ରଚଳିତ ଆଇନ ଏବଂ ନିର୍ଦ୍ଧାରିତ ପ୍ରକ୍ରିୟାର ସଠିକ୍ ଅନୁପାଳନ କରାଯିବ। କୌଣସି ପ୍ରକାରର ଅବହେଳା କିମ୍ବା ବିଳମ୍ବକୁ ଗୁରୁତର ଭାବେ ବିବେଚନା କରାଯିବ l ଏହି ପରିପ୍ରେକ୍ଷୀରେ ରାଜସ୍ୱ ସଚିବ କହିଛନ୍ତି, ଜମି ଲିଜ୍ ସମ୍ପର୍କିତ ନ୍ୟାୟିକ ମାମଲାରେ ଆଇନସମ୍ମତ ନିଷ୍ପତ୍ତି, ସମୟବଦ୍ଧ କାର୍ଯ୍ୟାନୁଷ୍ଠାନ ଏବଂ ସ୍ୱଚ୍ଛତା ସୁନିଶ୍ଚିତ କରିବା ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କ ଦାୟିତ୍ୱ। ଏଥିରେ କୌଣସି ତ୍ରୁଟି ଦେଖାଦେଲେ ଜନସାଧାରଣଙ୍କ ସ୍ୱାର୍ଥ ପ୍ରଭାବିତ ହେଉଛି । ଏଥିନିମନ୍ତେ ଏ ସମ୍ପର୍କିତ ସମସ୍ତ ନଥିପତ୍ର ସୁରକ୍ଷିତ ଭାବେ ସଂରକ୍ଷିତ ରଖିବା ସହ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ସଠିକ୍ ସମୟରେ ତାହା ଯୋଗାଇଦେବା ନିମନ୍ତେ ରାଜସ୍ୱ ସଚିବ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି l

ସେହିପରି ସମସ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କୁ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପ୍ରତି ସମ୍ପୂର୍ଣ୍ଣ ସମ୍ମାନ ପ୍ରଦର୍ଶନ କରିବା, ଆଇନଗତ ବ୍ୟବସ୍ଥାକୁ ଅନୁସରଣ କରିବା ଏବଂ ଆବଶ୍ୟକୀୟ ସତର୍କତା ଓ ଦାୟିତ୍ୱବୋଧ ସହ କାର୍ଯ୍ୟ କରିବା ନିମନ୍ତେ ରାଜସ୍ୱ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି l ଜିଲ୍ଲାପାଳମାନେ ବିଭିନ୍ନ ଅଧୀନସ୍ଥ କାର୍ଯ୍ୟାଳୟ ପରିଦର୍ଶନ ସମୟରେ ଏସବୁ ନଥିପତ୍ରର ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଯାଂଚ କରି ଏସବୁର ସୁରକ୍ଷା ଏବଂ ଉପଲବ୍ଧି ସୁନିଶ୍ଚିତ କରିବା ନିମନ୍ତେ ପରାମର୍ଶ ଦିଆଯାଇଛି l ରାଜସ୍ୱ ନଥିପତ୍ରର ସୁରକ୍ଷା ମାଧ୍ୟମରେ ରାଜସ୍ୱ ପ୍ରଶାସନକୁ ସ୍ଵଚ୍ଛ ଏବଂ ସୁବ୍ୟବସ୍ଥିତ କରିବା ଦିଗରେ ରାଜସ୍ୱ ବିଭାଗ ନିଜର ପ୍ରତିବଦ୍ଧତା ସ୍ପଷ୍ଟ କରିଛି l