ଭୁବନେଶ୍ବର,୭।୨ : ନୂଆ ସ୍ୱର ଓ ନୂଆ ଛାନ୍ଦରେ ପରିମାର୍ଜିତ ହୋଇ ଆସିବ ମହାକବି ବଳରାମ ଦାସଙ୍କ ରଚିତ ଲକ୍ଷ୍ମୀ ପୁରାଣ । ଏବେ ଘରେ ଘରେ ପଢ଼ା ଯାଉଥିବା ଲକ୍ଷ୍ମୀ ପୁରାଣ ବଳରାମ ଦାସଙ୍କ ଭ୍ରମାତ୍ମକ ସଂସ୍କରଣ । ନୂଆ ଲକ୍ଷ୍ମୀ ପୁରାଣ ବଳରାମ ଦାସଙ୍କ ମୂଳ ରଚିତ ଲେଖାରୁ ଆସିବ। ଓଡ଼ିଆ ସାହିତ୍ୟ ଏକାଡେମୀ ପୁସ୍ତକ ଛାପିବ । ୧ କୋଟି ଲକ୍ଷ୍ମୀ ପୁରାଣ ବହି ଓଡ଼ିଶାରେ ଘରେ ଘରେ ମାଗଣା ବଣ୍ଟାଯିବ। ନମିତା ଅଗ୍ରୱାଲ ଓ ଗୀତା ଦାସ ଏହି ସଂଶୋଧିତ ପରିମାର୍ଜିତ ପୁରାଣକୁ କଣ୍ଠ ଦେବେ। ରାଜ୍ୟ ସରକାର ଉଭୟଙ୍କ ସହ କଥା ହୋଇଛନ୍ତି। ସେମାନେ ନୂଆ ଛନ୍ଦରେ ଗାଇବା ପାଇଁ ରାଜି ହୋଇଛନ୍ତି । ମିଶନ ଶକ୍ତି ଅଡିଟୋରିୟମରେ ଆୟୋଜିତ ହୋଇଥିବା ଲକ୍ଷ୍ମୀ ପୁରାଣ କରିଡର୍ କାର୍ଯ୍ୟକ୍ରମରେ ଏହି ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
ବିଶିଷ୍ଟ ଗବେଷକ ଅସିତ୍ ମହାନ୍ତି ନମିତା ଅଗ୍ରୱାଲ ଓ ଗୀତା ଦାସଙ୍କ ଗୀତ ଗାଇବା ନେଇ ସିଧାସଳଖ ପ୍ରଶ୍ନ ଉଠାଇଥିଲେ ଆଜି ସଭାରେ। ତାଙ୍କ ଅଭିଯୋଗ ଅନୁସାରେ, ଗାୟିକା ନମିତା ଅଗ୍ରୱାଲ, ଗୀତା ଦାସ ଓ ଅନ୍ୟ କିଛି ଗାୟକ ମାନେ ଅସମ୍ପୂର୍ଣ୍ଣ ଓ ଭ୍ରମାତ୍ମକ 'ଲକ୍ଷ୍ମୀ ପୁରାଣ' ଗାନ କରି ଆସୁଛନ୍ତି । ଯାହାଫଳରେ ଘରେ ଘରେ ମହିଳାମାନେ ବଳରାମ ଦାସଙ୍କ ମୂଳ ରଚନାରୁ ବିଚ୍ୟୁତ ହୋଇ ବିକୃତ ସଂସ୍କରଣ ପାଠ କରୁଛନ୍ତି । ବଜାରେ ମିଳୁଥିବା ସଂସ୍କରଣରେ ମହାକବି ବଳରାମ ଦାସଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ମୂଳ ଭାବଧାରା ଅଦୃଶ୍ୟ । ତେଣୁ ଯାହା ଭୁଲ୍ ଭାବେ ପ୍ରଚଳିତ ହୋଇଛି, ତାହା ଏବେ ବନ୍ଦ ହେବା ଉଚିତ୍ ବୋଲି ସେ ଦାବି କରିଛନ୍ତି ।
ସେପଟେ ଆଜି ନୂଆ ସଂଶୋଧିତ ଲକ୍ଷ୍ମୀ ପୁରାଣ କିପରି ହେବ ଓ ସ୍ୱର ଓ ଛାନ୍ଦ କିପରି ହେବା ଉଚିତ ସେନେଇ ମଞ୍ଚରେ ଗାଇ ଶୁଣାଇଥିଲେ ବିଶିଷ୍ଟ ଜଗନ୍ନାଥ ଗବେଷକ ଗୌରାଙ୍ଗ ଚରଣ ଦାଶ। ଅନ୍ୟପଟେ ୩୪ ବର୍ଷ ତଳେ ଚଟି ଲକ୍ଷ୍ମୀ ପୁରାଣ ବହି ରୁ ଗୀତ ପ୍ରସ୍ତୁତ କରିଥିବା ସୀତାରାମ ଅଗ୍ରୱାଲ ପୁରୁଣା ଭୁଲ୍କୁ ସ୍ବୀକାର କରିବା ସହ ନୂଆ ଗୀତକୁ ଭବ୍ୟ ଦିବ୍ୟ ଭାବେ ରଚନା କରିବାକୁ ଆଶାୟୀ ଅଛନ୍ତି ବୋଲି କହିଛନ୍ତି। ବଳରାମ ଦାସଙ୍କ ମୂଳ ରଚିତ ଲକ୍ଷ୍ମୀ ପୂରାଣର ନୂଆ ଗୀତ ରେକର୍ଡ ହେବ। ଗୀତା ଦାସ ଓ ନମିତା ଅଗ୍ରୱାଲ ମିଶି ଗାଇବେ। ଘରେ ଘରେ ପହଞ୍ଚିବ ନୂଆ ବଳରାମ ଦାସଙ୍କ ମୂଳ ପରିମାର୍ଜିତ ଲକ୍ଷ୍ମୀ ପୂରାଣ ।
ଆସନ୍ତା ମାଣବସା ଗୁରୁବାରରେ ପରିମାର୍ଜିତ ହୋଇଥିବା ଲକ୍ଷ୍ମୀ ପୁରାଣ ଆସିବ। ଗବେଷଣା ଚାଲିଛି। ସଙ୍ଗୀତ ପ୍ରସ୍ତୁତ ଲାଗି ଦୁଇ ମାସ ଲାଗିବ ବୋଲି କହିଛନ୍ତି ନମିତା ଅଗ୍ରୱାଲ ଙ୍କ ସ୍ଵାମୀ ତଥା ପ୍ରଖ୍ୟାତ ସଙ୍ଗୀତଜ୍ଞ ସୀତାରାମ ଅଗ୍ରୱାଲ । ପ୍ରସିଦ୍ଧ ଗାୟିକା ଗୀତା ଦାସ ନୂଆ ଲକ୍ଷ୍ମୀ ପୁରାଣ ଗାଇବା ପାଇଁ ବ୍ୟଗ୍ର ଥିବା କହିଛନ୍ତି। ସିଙ୍ଗର ଭାବେ ମା‘ ଲକ୍ଷ୍ମୀଙ୍କ କୃପାରୁ ସେ ଯେଉଁ ଲକ୍ଷ୍ମୀ ପୁରାଣ ଗାଇଥିଲେ ଶ୍ରୋତା ତାକୁ ଗ୍ରହଣ କରିଥିଲେ। ଏବେ ସଠିକ୍ ଭାବରେ ବଳରାମ ଦାସଙ୍କ ରଚିତ ଲକ୍ଷ୍ମୀ ପୁରାଣ ଗାଇ ମା‘ ଲକ୍ଷ୍ମୀ ଙ୍କ କୃପା ଲାଭ କରିବେ ବୋଲି କହିଛନ୍ତି ଗୀତା ଦାସ। ଆଗକୁ ରାଜ୍ୟର ବିଭିନ୍ନ ସ୍ଥାନରେ 'ଲକ୍ଷ୍ମୀ ପୁରାଣ' ଆଧାରିତ ନାଟକ ମଞ୍ଚସ୍ଥ ହେବ । ଭଜନ, କୀର୍ତ୍ତନ ଏବଂ ସଙ୍ଗୀତ ମାଧ୍ୟମରେ ମା ଲକ୍ଷ୍ମୀଙ୍କ ସମତାର ସନ୍ଦେଶ ଘରେ ଘରେ ପହଞ୍ଚିବ । କଳସ ଧରି ମହିଳାମାନେ ଗାଁ ଗାଁ ବୁଲି ଏକ ନୂଆ ସୁସ୍ଥ ପରମ୍ପରାର ଶୁଭାରମ୍ଭ କରିବେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ।