ରାଞ୍ଚି- ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚି ସ୍ଥିତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) କାର୍ଯ୍ୟାଳୟ ଉପରେ ପେଟ୍ରୋଲ ବୋମା ଆକ୍ରମଣ ଘଟଣା। ଏହାର ତଦନ୍ତ ଏବେ ଏନଆଇଏ କରିବ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମାମଲାର ଗମ୍ଭୀରତାକୁ ଦେଖି ଏହାର ତଦନ୍ତ ଦାୟିତ୍ୱ ଏନଆଇଏକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଜାରି କରିଛି। ଏହାସହ ଉକ୍ତ ମାମଲାରେ ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ (ୟୁଏପିଏ) ଏବଂ ବିସ୍ଫୋରକ ଆଇନର ଧାରା ମଧ୍ୟ ଯୋଡା ଯାଇଛି। କୁହାଯାଉଛି ଯେ, ଶୁକ୍ରବାର ଏନଆଇଏର ଏକ ଦଳ ରାଞ୍ଚିରେ ପହଞ୍ଚି ତଦନ୍ତ ଦାୟିତ୍ୱ ଭାର ଗ୍ରହଣ କରିବ।
ସୂଚନା ଅନୁସାରେ , ରାଞ୍ଚିର ନିବାରଣପୁରରେ ଥିବା ଆରଏସଏସ କାର୍ଯ୍ୟାଳୟ ଉପରେ ହୋଇଥିବା ପେଟ୍ରୋଲ ବୋମା ଆକ୍ରମଣ ପରେ, ପ୍ରଥମେ ଏହଗି ମାମଲାର ତଦନ୍ତ ଝାଡ଼ଖଣ୍ଡ ଆତଙ୍କବାଦ ନିରୋଧୀ ସ୍କ୍ୱାଡ୍ (ATS) କରୁଥିଲା। ହେଲେ , ପ୍ରାରମ୍ଭିକ ତଦନ୍ତରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବା ପରେ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତଦନ୍ତକୁ NIAକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛି। ତଦନ୍ତକାରୀ ସଂସ୍ଥାଗୁଡ଼ିକ ଅନୁସାରେ, ମାମଲାର ଗୁରୁତ୍ୱକୁ ଦୃଷ୍ଟିରେ ରଖି, ଏବେ ଏହି ମାମଲାରେ ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ (UAPA) ଏବଂ ବିସ୍ଫୋରକ ଆଇନର ଧାରା ଯୋଡା ଯାଇଛି। ଏହା ତଦନ୍ତର ପରିସର ବ୍ୟାପକ ହେବା ସହ ପୂରା ନେଟୱର୍କର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ।
ପ୍ରାରମ୍ଭିକ ତଦନ୍ତରୁ ଗିରଫ ଅଭିଯୁକ୍ତଙ୍କ ସହିତ ଝାଡ଼ଖଣ୍ଡ, ଉତ୍ତର ପ୍ରଦେଶ, ଦିଲ୍ଲୀ ଏବଂ ମୁମ୍ବାଇ ପର୍ଯ୍ୟନ୍ତ ଥିବା ସ୍ପଷ୍ଟ ହୋଇଛି। ତଦନ୍ତକାରୀ ସଂସ୍ଥାଗୁଡ଼ିକର ସନ୍ଦେହ ଯେ, ଏହି ମାମଲା ପଛରେ ଏକ ସଂଗଠିତ ନେଟୱର୍କ ସକ୍ରିୟ ଅଛି। ଏହି କାରଣରୁ ତଦନ୍ତକୁ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକୁ ଦିଆଯାଇଛି। ଏପର୍ଯ୍ୟନ୍ତ ମାମଲାର ଯାଞ୍ଚ କରୁଥିବା ଏଟିଏସ୍, ସମସ୍ତ ପ୍ରମାଣ, କେସ୍ ଡାଏରୀ, ଡକ୍ୟୁମେଣ୍ଟ୍ ଏବଂ ଅନ୍ୟାନ୍ୟ ତଦନ୍ତ ସାମଗ୍ରୀ ଏନଆଇଏକୁ ହସ୍ତାନ୍ତର କରିଛି। ଏହି ଡକ୍ୟୁମେଣ୍ଟଗୁଡିକ ଆଧାରରେ NIA ତଦନ୍ତକୁ ଆଗକୁ ବଢାଇବ।
ସୂତ୍ରାନୁସାରେ, ଏନଆଇଏର ଏକ ସ୍ୱତନ୍ତ୍ର ଦଳ ଶୁକ୍ରବାର ରାଞ୍ଚିରେ ପହଞ୍ଚିବେ। ଏହି ଟିମ୍ ଘଟଣା ସ୍ଥଳ ଅନୁଧ୍ୟାନ କରିବା ସହ ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା କରିବ ଏବଂ ସମଗ୍ର ମାମଲାର ତଦନ୍ତ ଆରମ୍ଭ କରିବ। ତଦନ୍ତ ଏଜେନ୍ସି ଏହା ମଧ୍ୟ ଅନୁସନ୍ଧାନ କରିବ ଯେ, ଆକ୍ରମଣର ଷଡ଼ଯନ୍ତ୍ର କେଉଁ ସ୍ତରରେ କରାଯାଇ ଥିଲା ଏବଂ ଏଥିରେ କେଉଁ କେଉଁ ଲୋକଙ୍କ ଭୂମିକା ରହିଛି।
ଆହୁରି ମଧ୍ୟ ପଢନ୍ତୁ : ଅଶୋଧିତ ତୈଳ ଦାମ୍ ହେଲା ଶସ୍ତା, କମିବ କି ପେଟ୍ରୋଲ-ଡିଜେଲ ରେଟ୍ : ଜାଣନ୍ତୁ କ’ଣ କହିଲେ ପେଟ୍ରୋଲିୟମ ମନ୍ତ୍ରୀ ?