କୋଲକାତା,୨୪।୧୨: ବହୁ ଚର୍ଚ୍ଚିତ କୋଲକାତା ଆର୍‌ ଜି କର୍‌ ହତ୍ୟା ମାମଲାରେ ବଡ଼ ଅପଡେଟ୍। ଆସିଲା ସେଣ୍ଟ୍ରାଲ ଫରେନ୍ସିକ୍‌ ଲାବ୍ରୋଟରୀର ରିପୋର୍ଟ । କ୍ରାଇମ୍ ସ୍ପଷ୍ଟରେ ନାହିଁ କୌଣସି ଚିହ୍ନ। ପୀଡିତା ଓ ଅଭିଯୁକ୍ତଙ୍କ ମଧ୍ୟରେ ଧସ୍ତାଧସ୍ତି କିମ୍ବା ମାରପିଟ୍‌ର ମିଳିନି ସଙ୍କେତ। କେବଳ ସେତିକି ନୁହେଁ ସେମିନାର ରୁମ୍‌ର କୌଣସି ସ୍ଥାନରେ କିଛି ବି ଚିହ୍ନ ନାହିଁ।  

କୋଲକାତା ଆରଜି କର ହସ୍ପିଟାଲରେ ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ସାରା ଦେଶରେ ସୃଷ୍ଟି କରିଥିଲା ଆକ୍ରେଶ।   ଚଳିତ ବର୍ଷ ଅଗଷ୍ଟ ୯ ରେ ହସ୍ପିଟାଲର ଚତୁର୍ଥ ମହଲାରେ ଥିବା ସେମିନାର ରୁମ୍‌ରେ ଜୁନିଅର ଡାକ୍ତରଙ୍କ ମିଳିଥିଲା ମୃତଦେହ । ଏବେ ଏହି ମାମଲାରେ ଆସିଲା ସେଣ୍ଟ୍ରାଲ ଫରେନ୍ସିକ୍‌ ଲାବ୍ରୋଟରୀର ରିପୋର୍ଟ । ଏହା ଅନୁସାରେ କ୍ରାଇମ୍‌ସ୍ପଟ୍‌ରେ ପୀଡିତା ଓ ଅଭିଯୁକ୍ତଙ୍କ ମଧ୍ୟରେ କୌଣସି ଧସ୍ତାଧସ୍ତି କିମ୍ବା ମାରପିଟ୍‌ ହୋଇଥିବାର ସଙ୍କେତ ମିଳିନି। 

CFSL ଟିମ୍‌ କହିଛି ଯେ, ସେମିନାର ହଲ୍‌ରେ ଥିବା କାଠ ପ୍ଲାଟଫର୍ମରେ ରଖାଯାଇଥିବା ଗଦା ବ୍ୟତୀତ ଚଟ୍ଟାଣର କୌଣସି ଅଂଶରେ ଜୈବିକ ଦାଗ ମିଳି ନାହିଁ। ଏହାବ୍ୟତୀତ, ନୀଳ ସିଟ୍ ସହିତ କାଠ ଟେବୁଲ ଉପରେ ବି କୌଣସି ଚିହ୍ନ ବି ନାହିଁ। ରିପୋର୍ଟ ପରେ କୋଲକାତା ପୁଲିସର ସ୍ୱତନ୍ତ୍ର ଯାଞ୍ଚ ଟିମ୍‌ ଓ ପରେ ସିବିଆଇ ତଦନ୍ତକୁ ନେଇ ପ୍ରଶ୍ନ ଉଠୁଛି।  ଯେଉଁଥିରେ କୁହାଯାଇଥିଲା ସେମିନାର ରୁମ୍‌ରେ ହିଁ ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ଫଳରେ ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ରହସ୍ୟ ଆହୁରି ଗଭୀର ହୋଇଛି। ଅନ୍ୟ କେଉଁ ସ୍ଥାନରେ ପୀଡିତାଙ୍କ ସହ ଦୁଷ୍କର୍ମ ଓ ହତ୍ୟା ପରେ ତାଙ୍କର ମୃତଦେହକୁ ଆଣି ରଖାଯାଇଥିବା ସନ୍ଦେହ କରାଯାଉଛି।