ନୂଆଦିଲ୍ଲୀ,୨୫/୦୨; ଇଂଲଣ୍ଡର ରିଚାର୍ଡ ପାଇବସ୍‌ ଆଫଗାନିସ୍ତାନ କ୍ରିକେଟ୍‌ ଦଳର ନୂଆ ମୁଖ୍ୟ କୋଚ୍‌ ନିଯୁକ୍ତ ହୋଇଛନ୍ତି । ସେ ପୂର୍ବତନ ମୁଖ୍ୟ କୋଚ୍‌ ଜୋନାଥନ ଟ୍ରଟ୍‌ଙ୍କ ସ୍ଥାନ ନେଇଛନ୍ତି । ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଆଫଗାନିସ୍ତାନର ଅଭିଯାନ ଶେଷ ହେବା ପରେ ଟ୍ରଟ୍‌ ବିଦାୟ ନେଇଥିଲେ । ଆଫଗାନିସ୍ତାନ କ୍ରିକେଟ୍‌ ବୋର୍ଡ଼ ପକ୍ଷରୁ ତାଙ୍କୁ କାର୍ଯ୍ୟକାଳ ନବଢ଼ାଇ ବିଷୟରେ ପୂର୍ବରୁ ଅବଗତ କରାଯାଇଥିଲା । 

ଆସନ୍ତା ମାସ (ମାର୍ଚ୍ଚ ୧୩ରୁ ୨୫ତାରିଖ) ୟୁଏଇ ଠାରେ ଆଫଗାନିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ସୀମିତ ଓଭର କ୍ରିକେଟ୍‌ ସିରିଜ ଖେଳାଯିବ । ଉଭୟ ଦଳ ମଧ୍ୟରେ ୩ଟି ଦିନିକିଆ ଓ ୩ଟି ଟି-ଟ୍ୱେଣ୍ଟି ଅନୁଷ୍ଠିତ ହେବ । ଏହି ସିରିଜରୁ ପାଇବସ୍‌ଙ୍କ କାର୍ଯ୍ୟକାଳ ଆରମ୍ଭ ହେବ । ପୂର୍ବରୁ ପାଇବସ୍‌ ୧୯୯୯ରୁ ୨୦୦୩ ପର୍ଯ୍ୟନ୍ତ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ କୋଚ୍‌ ଦାୟିତ୍ୱ ତୁଲାଇଥିଲେ । ତାଙ୍କ ଅଧିନରେ ପାକିସ୍ତାନ ୧୯୯୯ ବିଶ୍ୱକପ୍‌ ଫାଇନାଲ୍‌ ଖେଳିଥିଲା । ସେହିପରି ପାଇବସ୍‌ ୨୦୧୩ରେ ବାଂଲାଦେଶ ମୁଖ୍ୟ କୋଚ୍‌ ନିଯୁକ୍ତ ହୋଇଥିଲେ । ଏହାପରେ ସେ ୨୦୧୩ରୁ ୨୦୧୯ ପର୍ଯ୍ୟନ୍ତ ୱେଷ୍ଟଇଣ୍ଡିଜ୍‌ କ୍ରିକେଟ୍‌ ଦଳର ନିର୍ଦ୍ଦେଶକ, କୋଚ୍‌ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ସେ ଦୀର୍ଘ ୬ବର୍ଷ ଧରି ଏହି ପଦରେ ରହିଥିଲେ । ଇଂଲିଶ୍‌ କାଉଣ୍ଟି କ୍ରିକେଟରେ ସେ ମିଡିଲସେକ୍ସ ଦଳର କୋଚ୍‌ ଭାବେ କାର୍ଯ୍ୟ କରିଥିଲେ ।

ଏହା ବି ପଢନ୍ତୁ... ​​​​​ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌; ଭାରତର ବିଜୟ ଦୁଃସ୍ୱପ୍ନ, ସ୍ପେନ୍‌ଠୁ ସୁଟ୍‌ଆଉଟ୍‌ରେ ହାରିଲା 


ପାଇବସ୍‌ ବ୍ୟକ୍ତିଗତ ଖେଳାଳିଙ୍କ ବିକାଶରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ସେ ପାକିସ୍ତାନର ମହମ୍ମଦ ରିଜୱାନ, ଦକ୍ଷିଣ ଆଫ୍ରିକାର ଫାଫ୍ ଡୁ ପ୍ଲେସିସ୍ ଏବଂ କିମ୍ବଦନ୍ତୀ ଦ୍ରୁତ ବୋଲର ଡେଲ୍ ଷ୍ଟେନ୍ ଭଳି ଖେଳାଳିଙ୍କ ବିକାଶରେ ତାଙ୍କର ଅବଦାନ ରହିଛି । ପ୍ରଶିକ୍ଷଣ ଦେବା ବ୍ୟତୀତ, ପାଇବସ୍ ଜଣେ ଶିକ୍ଷାଗତ ଏବଂ ପ୍ରଦର୍ଶନ ରଣନୀତିଜ୍ଞ ମଧ୍ୟ । ୨୦୨୨ ମସିହାରେ, ସେ ଲଣ୍ଡନର ମିଡିଲସେକ୍ସ ବିଶ୍ୱବିଦ୍ୟାଳୟରୁ ସର୍ବୋତ୍ତମ ପ୍ରଦର୍ଶନ ପ୍ରଣାଳୀ ଉପରେ ତାଙ୍କର ଗବେଷଣା ପାଇଁ ଡକ୍ଟରେଟ୍ ଡିଗ୍ରୀ ହାସଲ କରିଥିଲେ । ସେ ଗ୍ରୀନୱିଚ୍ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ଏବଂ ପୋର୍ଟସମାଉଥ୍ ବିଶ୍ୱବିଦ୍ୟାଳୟରୁ ବିଏ (ଅନର୍ସ) ଡିଗ୍ରୀ ମଧ୍ୟ ହାସଲ କରିଥିଲେ ।