ମୁମ୍ବାଇ ୦୩/୦୭: ଆମାଜନ୍‌ ପ୍ରାଇମ୍‌ରେ ପ୍ରସାରିତ ‘ପଞ୍ଚାୟତ’ ସିରିଜ୍‌ ଜରିଆରେ ଲୋକପ୍ରିୟତା ପାଇଛନ୍ତି ସାନ୍‌ଭିକା ଓରଫ୍‌ ରିଙ୍କି । ‘ପଞ୍ଚାୟତ ସିଜନ୍‌-୪’କୁ ନେଇ ସେ ଏକ ମଜାଦାର କଥା ଗଣମାଧ୍ୟମକୁ କହିଛନ୍ତି । ସିରିଜ୍‌ରେ ସଚିବଜୀ ଭୂମିକା ନିର୍ବାହ କରିଥିବା ଜିତେନ୍ଦ୍ର କୁମାରଙ୍କ ସହ ଚୁମ୍ବନ ଦୃଶ୍ୟକୁ ସେ ପ୍ରତ୍ୟାଖ୍ୟାନ କରିଥିଲେ । ଚୁମ୍ବନ ନ କରିବାକୁ ସେ ଅନୁରୋଧ କରିବା ପରେ କାହାଣୀରେ ପରିବର୍ତ୍ତନ କରାଗଲା ଏବଂ ସେହି ଦୃଶ୍ୟକୁ ହଟାଗଲା । ଚୁମ୍ବନ ଦୃଶ୍ୟ କରିବା ତାଙ୍କ ପାଇଁ ସହଜ ନ ଥିଲା ବୋଲି ସାନ୍‌ଭିକା ଗଣମାଧ୍ୟମକୁ କହିଛନ୍ତି । 

ସେ କହିଛନ୍ତି, କାହାଣୀ ବର୍ଣ୍ଣନା ସମୟରେ କେହି କିଛି କହିଲେ ନାହିଁ । କିନ୍ତୁ ନିର୍ଦ୍ଦେଶକ ଅକ୍ଷତଙ୍କ ସହ ବାର୍ତ୍ତାଳାପ ସମୟରେ ଏ ବିଷୟରେ ଜଣାପଡ଼ିଲା । ଏହା ପୂର୍ବରୁ କିନ୍ତୁ ସିନ୍‌ ଭିନ୍ନ ଥିଲା । ଏକ ପାରିବାରିକ ଶୋ’ ଭାବେ ପଞ୍ଚାୟତ ଘରେ ଘରେ ପରିଚିତି ପାଇଥିବାରୁ ଚୁମ୍ବନ ଦୃଶ୍ୟର ସୁଟିଂ ପୂର୍ବରୁ ଚିନ୍ତା କରିବାକୁ ସାନ୍‌ଭିକା ଦୁଇ ଦିନ ସମୟ ନେଲେ । ଶେଷରେ ସେ ଏହାକୁ ପ୍ରତ୍ୟାଖ୍ୟାନ କଲେ । ଗତ ସପ୍ତାହ ଆମାଜନ୍‌ରେ ରିଲିଜ୍‌ ହୋଇଛି ପଞ୍ଚାୟତର ସିଜନ୍‌-୪ । ଏହାକୁ ଦେଖିବା ପରେ ସମୀକ୍ଷକ ଓ ଦର୍ଶକ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି ।