ବିଦେଶ ମାଟିରେ ନୂଆ କୀର୍ତ୍ତିମାନ ରଚିଲେ ଋଷଭ ପନ୍ତ, ଏକାକୀ ଭାଙ୍ଗିଲେ ୪ ପୂର୍ବତନ ଓ୍ବିକେଟ କିପରଙ୍କ ମିଳିତ ରେକର୍ଡ

ଏଜବେଷ୍ଟନ୍ ୦୨/ ୦୭: ଟିମ୍ ଇଣ୍ଡିଆ ଓ୍ବେକଟ୍ କିପର ବ୍ୟାଟର୍ ଋଷଭ ପନ୍ତ ଇଂଲଣ୍ଡ ଟେଷ୍ଟ ମ୍ୟାଚର ପ୍ରଥମ ମ୍ୟାଚରେ ଦର୍ଶନୀୟ ଇନିଂସ ଖେଳି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ନିକଟରେ ଶେଷ ହୋଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜରେ ଶୋଚନୀୟ ଇନିଂସ ଖେଳି ସମାଲୋଚନାର ଶିକାର ହୋଇଥିବା ପନ୍ତ କିନ୍ତୁ ଇଂଲଣ୍ଡରେ କମାଲ କରିଛନ୍ତି । ପ୍ରଥମ ଇନିଂସର ପ୍ରଥମ ଦିନରେ ସେ ଏକାକୀ ଭାରତର ସ୍କୋରକୁ ଆଗକୁ ନେଇଥିଲେ । ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ସତ୍ତ୍ବେ ଜାଡେଜା ଏବଂ ପନ୍ତଙ୍କ ପାର୍ଟନରସିପ୍ ଦଳକୁ ମଜବୁତ ସ୍ଥିତିରେ ପହଞ୍ଚାଇଥିଲା । ୧୧୧ ବଲରୁ ୧୪୬ରନର ଇନିଂସ ଖେଳି ଅନେକ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି ପନ୍ତ ।
ଟେଷ୍ଟ ଫର୍ମାଟରେ ଟିମ୍ ଇଣ୍ଡିଆ ପକ୍ଷରୁ ପୂର୍ବରୁ ସମସ୍ତ ଓ୍ବିକେଟ କିପର ମିଶି ଯାହା କରିପାରିନଥିଲେ ତାହା ଏକାକୀ କରି ଦେଖାଇଛନ୍ତି ଋଷଭ ପନ୍ତ । ଭାରତ ପକ୍ଷରୁ ବିଦେଶ ମାଟିରେ ପୂର୍ବତନ ଓ୍ବିକେଟ କିପର ମାନେ ଯେତିକି ଶତକ ହାସଲ କରିଛନ୍ତି ସେହି ଅନୁପାତରେ ପନ୍ତ ଖୁବ କମ୍ ମ୍ୟାଚ ଖେଳି ତାହା ହାସଲ କରିପାରିଛନ୍ତି । ଅର୍ଥାତ ୪ ଜଣ ପୂର୍ବତନ ଓ୍ବିକେଟ କିପର ୨୬୦ ମ୍ୟାଚ ଖେଳି ଯେତିକିଟି ଶତକ ହାସଲ କରିଥିଲେ ପନ୍ତ ମାତ୍ର ୨୩ଟି ମ୍ୟାଚ ଖେଳି ତାହା କରିବାକୁ ସକ୍ଷମ ହୋଇଛନ୍ତି ।
ବିଦେଶ ମାଟିରେ ପନ୍ତ ଏପର୍ଯ୍ୟନ୍ତ ମୋଟ ୪ଟି ଶତକ ହାସଲ କରିସାରିଲେଣି । ଜଣେ ଭାରତୀୟ ଓ୍ବିକେଟ କିପର ଭାବେ ବିଦେଶ ମାଟିରେ ଚାରିଟି ଶତକ ହାସଲ କରିବାକୁ ଋଷଭ ପନ୍ତ ମାତ୍ର ୨୩ଟି ଟେଷ୍ଟ ମ୍ୟାଚ ଖେଳିଥିବା ବେଳେ ପୂର୍ବତନ ଓ୍ବିକେଟ କିପର ମାନେ ୨୬୦ଟି ମ୍ୟାଚ ଖେଳିଥିଲେ । ପନ୍ତଙ୍କ ପୂର୍ବରୁ ବିଜୟ ମଞ୍ଜରେକର ଓ୍ବେଷ୍ଟଇଣ୍ଡିଜରେ ୧୯୫୩ ମସିହାରେ ଗୋଟିଏ ଶତକ ହାସଲ କରିବାରେ ସଫଳ ହୋଇଥିବା ବେଳେ, ସେହି ଇଣ୍ଡିଜ୍ ବିପକ୍ଷରେ ଅଜୟ ରାତ୍ରା ୨୦୦୨ ମସିହାରେ ଗୋଟିଏ ଶତକ ମାରିଥିଲେ । ସେହିଭଳି ୨୦୦୬ ମସିହାରେ ମହେନ୍ଦ୍ର ସିଂହ ଧୋନୀ ପାକିସ୍ତାନ ବିପକ୍ଷରେ ବିଦେଶ ମାଟିରେ ଗୋଟିଏ ଶତକ ହାସଲ କରିଥିବା ବେଳେ ୨୦୧୬ରେ ରିଦ୍ଧିମାନ ଶାହା ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଗୋଟିଏ ଶତକ ହାସଲ କରିଥିଲେ । ଏହି ୪ ଜଣ ପୂର୍ବତନ ଓ୍ବିକେଟ କିପର ମୋଟ ୪ଟି ଶତକ ହାସଲ କରିଥିବା ବେଳେ ପନ୍ତ ଏକାକୀ ମାତ୍ର ୨୩ଟି ମ୍ୟାଚ୍ ଖେଳି ତାହା କରିବାକୁ ସକ୍ଷମ ହୋଇଛନ୍ତି ।
ପନ୍ତଙ୍କ ବ୍ୟତିତ ଏହି ୪ ଜଣ ଓ୍ବିକେଟ କିପର୍ ବ୍ୟାଟର ବିଦେଶ ମାଟିରେ ଟେଷ୍ଟ ଶତକ ହାସଲ କରିବାକୁ ସକ୍ଷମ ହୋଇଛନ୍ତି । ବଡ କଥା ହେଉଛି ଇଂଲଣ୍ଡ ମାଟିରେ କେହି ଜଣେ ବି ଶତକ ମାରିପାରିନଥିଲେ । କିନ୍ତୁ ପନ୍ତ ବର୍ତ୍ତମାନ ସୁଦ୍ଧା ଦୁଇ ଦୁଇଟି ଶତକ ହାସଲ କରିସାରିଲେଣି ।