PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ଋଷି କୁମାର ଶୁକ୍ଳା ନୂଆ ସିବିଆଇ ନିର୍ଦ୍ଦେଶକ

ନୂଆଦିଲ୍ଲୀ,୨ ।୨(ଏଜେନ୍ସି): ବରିଷ୍ଠ ଆଇପିଏସ୍‌ ଅଫିସର ଋଷି କୁମାର ଶୁକ୍ଳା ସିବିଆଇର ନୂଆ ନିର୍ଦ୍ଦେଶକ ନିଯୁକ୍ତ ହୋଇଛନ୍ତି । । ତାଙ୍କୁ ଦୁଇବର୍ଷ ପାଇଁ ଏହି ପଦବୀରେ ନିଯୁକ୍ତି ମିଳିଛି । ଦାୟିତ୍ୱ ନେବା ପରଠାରୁ ଦୁଇବର୍ଷ ପାଇଁ ସେ ଏହି ପଦବୀରେ ରହିବେ । ଶୁକ୍ଳା ୧୯୮୩ ବ୍ୟାଚ ମଧ୍ୟପ୍ରଦେଶ କ୍ୟାଡର ଆଇପିଏସ୍‌ ଅଫିସର ।
ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଚୟନ କମିଟି ବୈଠକ ବସିଥିଲେ ମଧ୍ୟ କୌଣସି ନିଷ୍ପତ୍ତି ହୋଇପାରି ନଥିଲା । ବୈଠକରେ କମିଟିର ଅନ୍ୟ ଦୁଇ ସଦସ୍ୟ ଯଥା ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଓ ଲୋକସଭାରେ କଂଗ୍ରେସ ନେତା ମଲିକାର୍ଜୁନ ଖର୍‌କେ ଉପସ୍ଥିତ ଥିଲେ । ଦୁଇଘଣ୍ଟା ଧରି ଚାଲିଥିବା ବୈଠକରେ ପ୍ରାୟ ୩୦ଟି ନାମ ଉପରେ ଆଲୋଚନା ହୋଇଥିଲା । ଶୁକ୍ଳାଙ୍କ ବ୍ୟତୀତ ନାମ ତାଲିକାର ଆଗରେ ଥିଲେ ୧୯୮୪ ବ୍ୟାଚ୍‌ ଅଫିସର ଜାଭେଦ ଅହମ୍ମଦ, ରଜନୀକାନ୍ତ ମିଶ୍ର, ଏସ୍‌.ଏସ୍‌. ଦେଶୱାଲ, ଶିବାନନ୍ଦ ଝା । ମାତ୍ର ଏହି ନାମ ଉପରେ ଖର୍‌ଗେ ଆପତ୍ତି ଉଠାଇବା ସହ ଆଉ କିଛି ନାମ ପ୍ରସ୍ତାବ ଦେବାକୁ କହିଥିଲେ । ଯାହାଫଳରେ ବୈଠକ ବିଫଳ ହୋଇଥିଲା । ତେବେ ଦୁଇଥର ବୈଠକ ବସି କୌଣସି ସହମତି ନ ମିଳିବା ଫଳରେ ସରକାର ଆଜି ଚୟନ କମିଟିର ୨-୧ ନିଷ୍ପତ୍ତି ଭିତ୍ତିରେ ଶୁକ୍ଳାଙ୍କ ନାମ ଚୂଡାନ୍ତ କରିଛନ୍ତି । ସୂଚନାଯୋଗ୍ୟ ଯେ ଜାନୁଆରୀ ୨୪ରେ ଚୟନ କମିଟିର ବୈଠକ ବସି ଥିଲେ ମଧ୍ୟ କୌଣସି ନିଷ୍ପତ୍ତି ହୋଇପାରି ନଥିଲା ।
ଚୟନ କମିଟିର ସୁପାରିସ ଆଧାରରେ ଶୁକ୍ଳାଙ୍କୁ ନିଯୁକ୍ତ କରାଯାଇଛି ବୋଲି କାର୍ମିକ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି । ଅପରପକ୍ଷରେ ଶୁକ୍ଳାଙ୍କ ନିଯୁକ୍ତିକୁ ବିରୋଧ କରି ଖରଗେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପତ୍ର ଲେଖିଛନ୍ତି । ସେଥିରେ ସେ ଦର୍ଶାଇଛନ୍ତି ଯେ ଦୁର୍ନୀତି ନିବାରଣ ତଦନ୍ତ ମାମଲାରେ ଶୁକ୍ଳାଙ୍କ ଅନୁଭବ କମ୍‌ ରହିଛି । ବରଂ ତାଙ୍କ ବଦଳରେ ଜାଭେଦ ଅହମ୍ମଦଙ୍କୁ ନିଯୁକ୍ତି କରାଯିବା ଆବଶ୍ୟକ ବୋଲି ସେ ଉଲ୍ଲେଖ କରିଛନ୍ତି ।
ଗତ ଜାନୁଆରୀ ୧୦ ତାରିଖରେ ଆଲୋକ ବର୍ମାଙ୍କୁ ହଟାଯିବା ପରେ ସିବିଆଇ ନିର୍ଦ୍ଦେଶକ ପଦବୀ ଖାଲି ପଡିଥିଲା । ବର୍ମା ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନା ପରସ୍ପର ବିରୋଧରେ ଲାଞ୍ଚ ଅଭିଯୋଗ ଆଣିବା ପରେ ସରକାର ଉଭୟଙ୍କୁ ଗତବର୍ଷ ଅକ୍ଟୋବରରେ ଛୁଟିରେ ପଠାଇବା ସହ ଏମ୍‌. ନାଗେଶ୍ୱର ରାଓଙ୍କୁ ଅନ୍ତରୀଣ ମୁଖ୍ୟ ନିଯୁକ୍ତ କରିଥିଲେ । ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟ ବର୍ମାଙ୍କୁ ପୁନଃ ଅବସ୍ଥାପିତ କରିଥିଲେ । କିନ୍ତୁ ଚୟନ କମିଟି ଏହା ଉପରେ ଚୂଡାନ୍ତ ନିଷ୍ପତ୍ତି ନେବ ବୋଲି କହିଥିଲେ । ଚୟନ କମିଟି ୨-୧ ରାୟରେ ବର୍ମାଙ୍କୁ ହଟାଇ ଗୃହରକ୍ଷୀ, ଅଗ୍ନିଶମ ଓ ସିଭିଲ ଡିଫେନ୍ସ ମୁଖ୍ୟ ନିଯୁକ୍ତ କରିଥିଲେ । ମାତ୍ର ବର୍ମା ନୂଆ ନିଯୁକ୍ତିରେ ଯୋଗ ନ ଦେଇ ଇସ୍ତଫା ଦେଇଥିଲେ । ଅପରପକ୍ଷରେ ରାଓଙ୍କ ନିଯୁକ୍ତିକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରାଯାଇଥିଲା । ଗତକାଲି କୋର୍ଟ ଅନ୍ତରୀଣ ନିର୍ଦ୍ଦେଶକ ନିଯୁକ୍ତ ଠିକ୍‌ ନୁହେଁ ବୋଲି ଦର୍ଶାଇ ତୁରନ୍ତ ନିର୍ଦ୍ଦେଶକ ନିଯୁକ୍ତ କରିବା ଲାଗି ସରକାରଙ୍କୁ କହିଥିଲେ ।
ଶୁକ୍ଳା ମୂଳତଃ ଗ୍ୱାଲିୟର ବାସିନ୍ଦା । ତାଙ୍କର ପ୍ରଥମ ପୋଷ୍ଟିଂ ସିଏସ୍‌ଇ ରାୟପୁରରେ ହୋଇଥିଲା । ପରବର୍ତ୍ତୀ ସମୟରେ ସେ ଦାମୋହ, ଶିବପୁରୀ ଓ ମନ୍ଦସୌର ଏସ୍‌ପି ଭାବେ କାର୍ଯ୍ୟ କରିଛନ୍ତି । ୨୦୦୯ରୁ ୨୦୧୨ ପର୍ଯ୍ୟନ୍ତ ସେ ଗୁଇନ୍ଦା ବିଭାଗ ଏଡିଜି ପଦରେ ରହିଥିଲେ । ୨୦୧୬ ଜୁଲାଇରୁ ୨୦୧୯ ଜାନୁଆରୀ ପର୍ଯ୍ୟନ୍ତ ସେ ମଧ୍ୟପ୍ରଦେଶ ପୁଲିସ ମହାନିର୍ଦ୍ଦେଶକ ଥିଲେ । ପରେ ତାଙ୍କୁ ପୁଲିସ ହାଉସିଂ ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା ।