PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ: ରେଞ୍ଜରଙ୍କ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ, ବଡ଼ମ୍ବା ରେଞ୍ଜରଙ୍କ ସମେତ ୧୫ ଅଟକ
  • ||
  • ଭୁବନେଶ୍ୱର: ଥଣ୍ଡା ଜ୍ୱରରେ ରାଜ୍ୟ କଲବଲ: ପୀଡ଼ିତ ଶିଶୁଙ୍କ ସଂଖ୍ୟା ୩ଗୁଣ ବଢ଼ିଛି, ଚିନ୍ତାରେ ଅଭିଭାବକ
  • ||
  • ଭୁବନେଶ୍ୱର: ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ବୋମାମାଡ଼, ଜଣେ ଅଟକ
  • ||
  • ଭୁବନେଶ୍ୱର: ସରିଲା ଖଣ୍ଡଗିରି କୁମ୍ଭମେଳା, ଫେରିଲେ ସାଧୁସନ୍ଥ
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ତ୍ରୀବତା ଥିଲା ୭.୮
  • ||

ଭାରତୀୟତାର ପ୍ରତୀକ ରିଷି ସୁନକ

ରିଷି ଭାରତୀୟ ମୂଳର ହୋଇଥିବାରୁ ସମଗ୍ର ଭାରତ ତାଙ୍କର ଉପଲବ୍ଧି ପାଇଁ ଗର୍ବିତ ହେବା ସାଧାରଣ ଘଟଣା । ଯେଉଁ ଭାରତକୁ ୨୦୦ବର୍ଷ ଧରି ବ୍ରିଟେନ ଶାସନ କରୁଥିଲା ଏବଂ ଏହାକୁ ‘ଶ୍ୱେତାଙ୍ଗଙ୍କ ବୋଝ’ ରୂପେ ଯଥାର୍ଥତା ପ୍ରତିପାଦନ କରୁଥିଲା ସେହି ‘ଦାସ-ଦେଶ’ର ଜଣେ ବ୍ୟକ୍ତି ଯେତେବେଳେ ବ୍ରିଟିଶ ପ୍ରଧାନମନ୍ତ୍ରୀ ହୋଇଯାଏ, ଏହାକୁ ଗୋରାଙ୍କ ଗର୍ବଭଙ୍ଗ ଭିନ୍ନ ଆଉ କ’ଣ କୁହାଯାଇପାରେ?

କଦାଚିତ୍‌ ଅଚିନ୍ତୟନୀୟ, ଅବିଶ୍ୱସନୀୟ ତଥା କଳ୍ପନାତୀତ ଘଟଣା ସମଗ୍ର ବିଶ୍ୱକୁ ସ୍ତବ୍ଧ ଓ ଆଚମ୍ବିତ କରିଦେଇଥାଏ । ଗତ ଅକ୍ଟୋବର ୨୪ ତାରିଖ, ଦୀପାବଳି ଦିନ ଏଭଳି ଏକ ବିସ୍ମୟକର ଘଟଣା ଦୃଷ୍ଟିଗୋଚର ହୋଇଛି । ଯେଉଁ ଭାରତକୁ ଦିନେ ଇଂଲଣ୍ଡ ତାର ଉପନିବେଶ ରୂପେ ଶାସନ କରୁଥିଲା ଏବଂ ସଗର୍ବେ ଘୋଷଣା କରୁଥିଲା ଯେ, ବ୍ରିଟିଶ ସାମ୍ରାଜ୍ୟରେ ସୂର୍ଯ୍ୟାସ୍ତ ହୁଏନାହଁ, ସେହି ବ୍ରିଟେନର ପ୍ରଧାନମନ୍ତ୍ରୀ ଆଜି ରିଷି ସୁନକ ନାମକ ଜଣେ ଭାରତୀୟ ବଂଶୋଭବ ହିନ୍ଦୁ ।

୧୯୪୭ ମସିହାରେ ତତ୍କାଳୀନ ବ୍ରିଟେନର ଶ୍ରମିକ ଦଳର ସରକାର ଯେତେବେଳେ ଭାରତକୁ ସ୍ୱାଧୀନତା ପ୍ରଦାନ କରିବାର ନିଷ୍ପତ୍ତି ନେଲେ, ଶ୍ରମିକ ଦଳର ନେତା ୱିନଷ୍ଟନ ଚର୍ଚ୍ଚିଲ ମତ ଦେଇଥିଲେ– ଯଦି ଭାରତକୁ ସ୍ୱାଧୀନତା ପ୍ରଦାନ କରାଯାଏ ତେବେ ସେଠାକାର କ୍ଷମତା ଦୁଷ୍ଟ, ଧୂର୍ତ୍ତ ଓ ଚୋରଙ୍କ ହସ୍ତଗତ ହେବ । ସମସ୍ତ ଭାରତୀୟ ନେତା ନୀଚ ଶ୍ରେଣୀର ଓ ଦୁର୍ବଳ ବ୍ୟକ୍ତିତ୍ୱସମ୍ପନ୍ନ । ମାତ୍ର ୭୫ବର୍ଷ ମଧ୍ୟରେ ରିଷି ସୁନକ୍‌ ଚର୍ଚ୍ଚିଲଙ୍କ ମତକୁ କେବଳ ଭୁଲ୍‌ ପ୍ରମାଣିତ କଲେନାହିଁ, ଏହା ମଧ୍ୟ ପ୍ରମାଣିତ କରିଦଲେ ଯେ ବ୍ରିଟେନରେ ମଧ୍ୟ ଏବେ କୌଣସି ବ୍ରିଟିଶ ନେତା ଯୋଗ୍ୟତାଭିତ୍ତିରେ ଏହି ଭାରତୀୟ ନେତାଙ୍କ ସମକକ୍ଷ ନୁହଁନ୍ତି ।

କେତେକ ବୁଦ୍ଧିଜୀବୀ ମତ ଦିଅନ୍ତି ଏହା ବ୍ରିଟେନର ମହାନ ଗଣତାନ୍ତ୍ରିକ ପରମ୍ପରାର ଏକ ଜ୍ୱଳନ୍ତ ପ୍ରମାଣ, କାରଣ ସୁନକ ଇଂଲଣ୍ଡର ଏକ ଅଳ୍ପସଂଖ୍ୟକ ଭାରତୀୟ ବଂଶୋଭବ ହିନ୍ଦୁ ହୋଇଥିବା ସତ୍ତେ୍ୱ ଦେଶର ସର୍ବୋଚ୍ଚ ଶାସନପଦ ହାସଲ କରିପାରିଲେ । କିଞ୍ଚିତ ପରିମାଣରେ ଏହା ସତ୍ୟ, କିନ୍ତୁ ସଂପୂର୍ଣ୍ଣ ସତ୍ୟ ନୁହେଁ । ରିଷି ସୁନକଙ୍କୁ ପ୍ରଧାନମନ୍ତ୍ରୀ କରି ବ୍ରିଟେନ କୌଣସି ମହାନତା ବା ଦୟା ପ୍ରଦର୍ଶନ କରିନାହିଁ, ବରଂ ଦେଶର ଏକ ବିଶେଷ ଘଡ଼ିସନ୍ଧି ମୁହୂର୍ତ୍ତରେ, ଯେତେବେଳେ ଗତ ୪ବର୍ଷ ମଧ୍ୟରେ ୩ଜଣ ପ୍ରଧାନମନ୍ତ୍ରୀ ନିଜର ଦାୟିତ୍ୱ ନିର୍ବାହରେ ବିଫଳ ହୋଇ ଇସ୍ତଫା ଦେଇସାରିଛନ୍ତି, ସେତେବେଳେ ରିଷି ଏହି କଣ୍ଟକମୟ ସିଂହାସନ ଆରୋହଣ କରି ନିଜର ସତ୍‌ସାହସ ଓ ଦେଶପ୍ରେମକୁ ପ୍ରମାଣିତ କରିଛନ୍ତି ।

ବର୍ତ୍ତମାନର ବ୍ରିଟିଶ ଜାଠ ଦଳ ରେ ରିଷି ସୁନକ ଯେ ଶ୍ରେଷ୍ଠ, ସର୍ବୋତ୍ତମ ଓ ଯୋଗ୍ୟତମ ଏଥିରେ କୌଣସି ସନ୍ଦେହ ନାହିଁ । ତାଙ୍କ ଦଳର ସଂଖ୍ୟାଧିକ ସାଂସଦଙ୍କର ବିଶ୍ୱାସ ଯେ ରିଷି ହିଁ ଦେଶକୁ ବର୍ତ୍ତମାନର ଆର୍ଥିକ ସଙ୍କଟରୁ ମୁକ୍ତ କରିପାରିବେ । ତେଣୁ ଯଦି ସେ ଭାରତୀୟ ମୂଳର ଏବଂ ହିନ୍ଦୁ ବା ବ୍ରିଟେନର ଅଳ୍ପସଂଖ୍ୟକ ଗୋଷ୍ଠୀ ବା ଧର୍ମାବଲମ୍ବୀ ଅନ୍ତର୍ଭୁକ୍ତ ସେଇଥିପାଇଁ ଯେ ସେ ଏହି ପଦ ହାସଲ କରିଛନ୍ତି, ଏହା ଭୁଲ୍‌ ।

ରିଷି ଭାରତୀୟ ମୂଳର ହୋଇଥିବାରୁ ସମଗ୍ର ଭାରତ ତାଙ୍କର ଉପଲବ୍ଧି ପାଇଁ ଗର୍ବିତ ହେବା ସାଧାରଣ ଘଟଣା । ଯେଉଁ ଭାରତକୁ ୨୦୦ବର୍ଷ ଧରି ବ୍ରିଟେନ ଶାସନ କରୁଥିଲା ଏବଂ ଏହାକୁ “ଶ୍ୱେତାଙ୍ଗଙ୍କ ବୋଝ’ ରୂପେ ଯଥାର୍ଥତା ପ୍ରତିପାଦନ କରୁଥିଲା ସେହି “ଦାସ-ଦେଶ’ର ଜଣେ ବ୍ୟକ୍ତି ଯେତେବେଳେ ବ୍ରିଟିଶ ପ୍ରଧାନମନ୍ତ୍ରୀ ହୋଇଯାଏ, ଏହାକୁ ଗୋରାଙ୍କ ଗର୍ବଭଙ୍ଗ ଭିନ୍ନ ଆଉ କ’ଣ କୁହାଯାଇପାରେ? ଆଜି ଅବସ୍ଥା ଏଭଳି ହୋଇଛି ଯେ ବ୍ରିଟେନକୁ ଏହି ବିକଳ ଆର୍ଥିକ ଅନଟନରୁ ମୁକ୍ତ କରିବା ପାଇଁ କୌଣସି ଗୋରା ସାଂସଦ ସାହସ କରୁନାହାଁନ୍ତି ଏବଂ ଜଣେ ପରେ ଜଣେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଉଛନ୍ତି । ସମୟର ଚକ୍ର ବାସ୍ତବିକ ଖୁବ୍‌ ବିଚିତ୍ର!

ତେବେ ଏହା ମଧ୍ୟ ଦେଖିବାକୁ ମୁଳୁଛି ଯେ, ବ୍ରିଟେନରେ ବୁଦ୍ଧିମାନଙ୍କ ଠାରୁ ଆରମ୍ଭକରି ସାଧାରଣ ଜନତା ପର୍ଯ୍ୟନ୍ତ ଜଣେ ଭାରତୀୟ-ମୂଳର ହିନ୍ଦୁ, ତାଙ୍କ ଦେଶର ପ୍ରଧାନମନ୍ତ୍ରୀ ହେବା ବିଷୟକୁ ନେଇ ଆଦୌ ଦୁଃଖିତ ବା କ୍ଷୁବ୍ଧ ନୁହଁନ୍ତି ବରଂ ସେମାନେ ଯୋଗ୍ୟତାକୁ ସମ୍ମାନ ଦେବା ସଙ୍ଗେସଙ୍ଗେ ଏହି ଐତିହାସିକ ଘଟଣାକୁ ଯଥାର୍ଥ ରୂପେ ଗ୍ରହଣ କରିନେଇଛନ୍ତି । କିନ୍ତୁ ଦୁଃଖ ତଥା ଆଶ୍ଚର୍ଯ୍ୟର ବିଷୟ, ଆମ ଦେଶର କେତେକ ରାଜନେତା ଓ ବୁଦ୍ଧିଜୀବୀ ଏହି ଘଟଣା ପାଇଁ ଖୁବ୍‌ ଦୁଃଖିତ ଏବଂ ବିଚଳିତ । ଅବଶ୍ୟ ଏହି ଗୋଷ୍ଠୀର ଲୋକଙ୍କ ପ୍ରକୃତି ହେଲା ଯେତେବେଳେ ମଧ୍ୟ ଦେଶ ବା ଦେଶବାସୀ ନିଜକୁ ଗର୍ବିତ ମନେ କରିଛନ୍ତି ସେମାନେ ଦୁଃଖ ଓ କ୍ଷୋଭରେ ଭାଙ୍ଗିପଡ଼ି ବିଭିନ୍ନ ଉଦ୍ଭଟ ମନ୍ତବ୍ୟ ଦେବା ଆରମ୍ଭ କରିଦିଅନ୍ତି ।

ପୂର୍ବତନ କଂଗ୍ରେସ ସରକାର ଅମଳର କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ, ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକ ଓ ଆମେରିକାର ଉପରାଷ୍ଟ୍ରପତି କମଳା ହାରିସଙ୍କ ଉଦାହରଣ ଦେଇ ନିଜ ଦେଶ ଭାରତକୁ ଉପଦେଶ ଦିଅନ୍ତି, ଅଳ୍ପସଂଖ୍ୟକଙ୍କୁ କିଭଳି ଏହି ପାଶ୍ଚାତ୍ୟ ଦେଶମାନେ ସମ୍ମାନ ଦେଇଛନ୍ତି ତାହା ସେମାନଙ୍କ ଠାରୁ ଶିକ୍ଷାଲାଭ କରିବା ପାଇଁ । କାଶ୍ମିରର ପିଡିପି ନେତା ମେହବୁବା ମୁଫ୍‌ତି ମଧ୍ୟ ଏଭଳି ମତ ଦିଅନ୍ତି ଏବଂ ଭାରତକୁ ଶିକ୍ଷାଲାଭ ପାଇଁ ଉପଦେଶ ଦିଅନ୍ତି ।

ତେବେ ଏହି ଚତୁର ନେତାମାନେ ଭୁଲିଯାନ୍ତି ଯେ, ଭାରତର ଜନତା ଏବେ ଆଉ ଅଶିକ୍ଷିତ ବା ଅଜ୍ଞାନ ନୁହଁନ୍ତି ଯେ ସେମାନେ ଏମାନଙ୍କ ଅପପ୍ରଚାର ଦ୍ୱାରା ପ୍ରଭାବିତ ହୋଇଯିବେ । କିନ୍ତୁ ତଥାପି ଦୁଃଖିତ ଓ ବିବ୍ରତ ହେଉଛନ୍ତି ଆମ ଦେଶର କେତେକ ରାଜନେତା ଓ ବୁଦ୍ଧିଜୀବୀ । ଜଣେ ଭାରତୀୟ ମୂଳର ହିନ୍ଦୁ, ଇଂଲଣ୍ଡର ପ୍ରଧାନମନ୍ତ୍ରୀ ହେବା ବିଷୟକୁ ଏମାନେ ହଜମ କରିପାରୁ ନାହାଁନ୍ତି । ନିଜେ ଭାରତୀୟ ହୋଇ ମଧ୍ୟ ଭାରତ, ଭାରତୀୟ, ଭାରତୀୟତା, ଭାରତୀୟ ଧର୍ମ, ସଂସ୍କୃତି, ପରମ୍ପରା ଇତ୍ୟାଦି ବିଷୟ ପ୍ରତି ଏମାନଙ୍କର ଘୋର ବିତୃଷ୍ଣା ଓ ଘୃଣା ।

ତେଣୁ ସେମାନେ ଏକ ଭ୍ରମାତ୍ମକ ବିବରଣୀ ମାଧ୍ୟମରେ ଏହି ମହାନ ଘଟଣାକୁ ନ୍ୟୂନ କରିବା ସହିତ ଭାରତୀୟ ଗଣତନ୍ତ୍ର ଓ ଧର୍ମନିରପେକ୍ଷତାର ସଫଳତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ସେମାନେ ଇଂଲଣ୍ଡ ଠାରୁ ଭାରତ ଶିକ୍ଷାଲାଭ କରିବା ପାଇଁ ଉପଦେଶ ଦେଉଛନ୍ତି । ଭାରତରେ ଅଳ୍ପସଂଖ୍ୟକ ଗୋଷ୍ଠୀର ଲୋକ ପ୍ରଧାନମନ୍ତ୍ରୀ କାହିଁକି ହୋଇପାରୁ ନାହାଁନ୍ତି ବୋଲି ପ୍ରଶ୍ନ କରୁଛନ୍ତି ।

ଏହି ତଥାକଥିତ ରାଜନେତା ଓ ବୁଦ୍ଧିଜୀବୀ ଭୁଲିଯାନ୍ତି ଯେ, ବାସ୍ତବରେ ଭାରତଠାରୁ ହିଁ ଇଂଲଣ୍ଡ ଏଭଳି ସ୍ୱଚ୍ଛ ଧର୍ମନିରପେକ୍ଷତା ଶିକ୍ଷାଲାଭ କରିଛି । ଭାରତକୁ ଇଂଲଣ୍ଡଠାରୁ ଶିଖିବାର କିଛି ନାହିଁ । ଗଣତାନ୍ତ୍ରିକ ଇଂଲଣ୍ଡରେ ଜଣେ ଅଣବ୍ରିଟିଶ ତଥା ଅଣଖ୍ରୀଷ୍ଟିଆନ ବ୍ୟକ୍ତିକୁ ପ୍ରଧାନମନ୍ତ୍ରୀ ହେବାପାଇଁ ୩୪୬ ବର୍ଷ ସମୟ ଲାଗିଲା । ୧୬୭୬ ମସିହାରେ ବ୍ରିଟେନର ଗଣତାନ୍ତ୍ରିକ ବ୍ୟବସ୍ଥାର ପ୍ରଥମ ପ୍ରଧାନମନ୍ତ୍ରୀ ହେଲେ ରୋବୋର୍ଟ ୱାଲପୋଲ ଏବଂ ସେହିଦିନ ଠାରୁ ୨୦୨୨ ପର୍ଯ୍ୟନ୍ତ ବ୍ରିଟେନରେ ୫୬ଜଣ ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ଏମାନେ ସମସ୍ତେ ବ୍ରିଟିଶ ଓ ଖ୍ରିଷ୍ଟିଆନ ଥିଲେ । ରିଷି ସୁନକ ୫୭ତମ ପ୍ରଧାନମନ୍ତ୍ରୀ ।

ହିନ୍ଦୁବହୁଳ ଭାରତରେ ମାତ୍ର ୭୫ବର୍ଷ ଗଣତାନ୍ତ୍ରିକ ବ୍ୟବସ୍ଥାରେ ୩ଜଣ ମୁସଲମାନ ରାଷ୍ଟ୍ରପତି, ୩ଜଣ ମୁସଲମାନ ଉପରାଷ୍ଟ୍ରପତି, ଜଣେ ଶିଖ୍‌ ରାଷ୍ଟ୍ରପତି, ଜଣେ ଶିଖ୍‌ ପ୍ରଧାନମନ୍ତ୍ରୀ ଓ ୩ଜଣ ଅଳ୍ପସଂଖ୍ୟକ ଦେଶର ମୁଖ୍ୟ ବିଚାରପତି ପଦ ଅଳଂକୃତ କରିସାରିଛନ୍ତି । ଏପରିକି ଦେଶର ପ୍ରଥମ ୫ଜଣ ଶିକ୍ଷାମନ୍ତ୍ରୀ ପଦ ମୁସଲମାନମାନଙ୍କୁ ପ୍ରଦାନ କରାଯାଇଥିଲା । ଜଣେ ମୁସଲମାନ ଦେଶର ଗୃହମନ୍ତ୍ରୀ ହୋଇଥିଲେ । ଅନେକ ରାଜ୍ୟରେ ମୁସଲମାନ ଓ ଖ୍ରୀଷ୍ଟିଆନ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଇଂଲଣ୍ଡ ବା ଆମେରିକା ସହିତ ଅନ୍ୟ କୌଣସି ତଥାକଥିତ ଉନ୍ନତ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଅଳ୍ପସଂଖ୍ୟକଙ୍କୁ ଏଭଳି ଉଚ୍ଚ ସମ୍ମାନ, ଆସନ ଓ ପଦ ପ୍ରଦାନ କରାଯିବାର କୌଣସି ଉଦାହରଣ ନାହିଁ । ଆମେରିକାରେ ବାରାକ ଓବାମାଙ୍କ ଭଳି ଜଣେ ଯୁଗ୍ମ-ଜାତ ବା ଅର୍ଦ୍ଧ-ଆଫ୍ରିକୀୟଙ୍କୁ ରାଷ୍ଟ୍ରପତି ହେବାପାଇଁ ୨୨୦ ବର୍ଷ ସମୟ ଲାଗିଲା ।

ରିଷି ସୁନକ ଏକମାତ୍ର ଭାରତୀୟ ବଂଶଜ ନୁହଁନ୍ତି ଯିଏକି ବିଦେଶରେ ସର୍ବୋଚ୍ଚ ବା ଉଚ୍ଚ ପଦ ଅଳଙ୍କୃତ କରିଛନ୍ତି । ଆହୁରି ୫ଟି ଦେଶରେ ଭାରତୀୟ ମୂଳର ବ୍ୟକ୍ତିମାନେ ସର୍ବୋଚ୍ଚ ଆସନ ହାସଲ କରିଛନ୍ତି । ସେମାନଙ୍କ ମଧ୍ୟରେ ଗୟାନାର ରାଷ୍ଟ୍ରପତି ମହମ୍ମଦ ଇର୍ଫାନ ଅଲି, ପର୍ତ୍ତୁଗାଲର ପ୍ରଧାନମନ୍ତ୍ରୀ ଆଣ୍ଟୋନିଓ କୋଷ୍ଟା, ମରିସସ୍‌ ପ୍ରଧାନମନ୍ତ୍ରୀ ପବିନ୍ଦ ଜଗନ୍ନାଥ, ମରିସସ୍‌ ରାଷ୍ଟ୍ରପତି ପୃଥ୍ୱୀରାଜ ସିଂ ରୁପୁନ ଓ ସୁରିନାମ ରାଷ୍ଟ୍ରପତି ଚନ୍ଦ୍ରିକା ପ୍ରସାଦ ସନ୍ତୋକ । ୩ଟି ଦେଶର ଉପମୁଖ୍ୟ ହେଉଛନ୍ତି ଭାରତୀୟ ମୂଳର- ଆମେରିକାର ଉପରାଷ୍ଟ୍ରପତି କମଳା ହାରିସ, ଗୟାନାର ଉପରାଷ୍ଟ୍ରପତି ଭାରତ ଜାଗଦେଓ ଓ ଆୟାରଲାଣ୍ଡର ଉପମୁଖ୍ୟ ଲିଓ ଭରଦକର । ନ୍ୟାୟପାଳିକାର ସର୍ବୋଚ୍ଚ ପଦ ମଧ୍ୟ ଭାରତୀୟ ବଂଶଜମାନେ ମରିସସ୍‌, ଫିଜ, ସିଙ୍ଗାପୁର ଓ ସୁରିନାମରେ ଲାଭ କରିଛନ୍ତି । ୧୨ଟି ଦେଶରେ ୫୫ଜଣ ଭାରତୀୟ ବଂଶଜ କ୍ୟାବିନେଟ ମନ୍ତ୍ରୀ ରହିଛନ୍ତି । ୪ଜଣ ସହଯୋଗୀ ମନ୍ତ୍ରୀ ଓ ୬୫ଜଣ ସାଂସଦ ହୋଇଛନ୍ତି । ଏଭଳି ମୋଟ୍‌ ୧୫ଟି ଦେଶରେ ୨୦୦ରୁ ଅଧିକ ଭାରତୀୟ ବଂଶଜ ବିଭିନ୍ନ ସର୍ବୋଚ୍ଚ ତଥା ଉଚ୍ଚ ପଦପଦବି ଅଳଙ୍କୃତ କରିଛନ୍ତି ।

ଏହା ସତ୍ତେ୍ୱ ଦେଶରେ ଯେଭଳି ନକାରାତ୍ମକ ବାତାବରଣ ସୃଷ୍ଟି କରାଯାଉଛି ତାହା ନିତାନ୍ତ ନିନ୍ଦନୀୟ । କେତେକ ତଥାକଥିତ ବୁଦ୍ଧିଜୀବୀ, ନିରାଶାବାଦିତା, ନକାରାତ୍ମକତା ତଥା ବିଶୃଙ୍ଖଳତା ଇତ୍ୟାଦି ଦୁର୍ଗୁଣମାନଙ୍କୁ ସମର୍ଥନ ପ୍ରଦାନ ଓ ଯଥାର୍ଥତା ପ୍ରତିପାଦନ କରିବାରେ ସେମାନଙ୍କର ବୌଦ୍ଧିକତାର ପରିଭାଷା ରୂପେ ଗ୍ରହଣ କରିନେଇଛନ୍ତି । ତେଣୁ ଦେଶ ଓ ଦେଶବାସୀ ପାଇଁ ଯେକୌଣସି ସକାରାତ୍ମକ ବା ଆନନ୍ଦଦାୟକ ଘଟଣା ସେମାନଙ୍କୁ ଦୁଃଖିତ ଓ ବିଚଳିତ କରିଥାଏ । ନିଜର ଭାରତ, ଭାରତୀୟତା, ଭାରତୀୟ ଜନତା ଓ ଭାରତୀୟ ସଂସ୍କୃତି ବିଶ୍ୱସ୍ତରରେ ଯେତେ ନିନ୍ଦିତ ଓ ଭର୍ତ୍ସିତ ହେବେ, ସେମାନେ ସେତେ ଆନନ୍ଦିତ ହୋଇଥାନ୍ତି ।