ଆଠଗଡ଼,୨୬/୦୧: ସାଧାରଣତନ୍ତ୍ର ଦିବସରେ ଅଘଟଣ। ସ୍କୁଲ ପିଲାଙ୍କୁ ନେଇ ପରେଡ଼୍ ଗ୍ରାଉଣ୍ଡ ଯିବା ବେଳେ ଓଲଟିଲା ପିକ୍ଅପ ଭ୍ୟାନ । ଫଳରେ ଜଣେ ଛାତ୍ରଙ୍କ ମୃତ । ଏଥିସହ ୨୩ ଜଣ ଆହତ ହୋଇ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯ ଜଣଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି। ତେବେ ଆଠଗଡ଼ର ଉତ୍ତର ବାଙ୍କୀ ବ୍ଲକ ଅନ୍ତର୍ଗତ ମାଳବିହାରପୁରରେ ଏହି ଘଟଣା ଘଟିଛି। ମୃତ ଛାତ୍ର ଜଣକ ୧୦ମ ଶ୍ରେଣୀର ସୌମ୍ୟରଞ୍ଜନ ବେହେରା ବୋଲି ଜଣାପଡ଼ିଛି।
ସୂଚନା ମୁତାବକ,ବାଙ୍କୀ ବ୍ଲକ ଅନ୍ତର୍ଗତ ମାଳବିହାରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏକ ପିକଅପ୍ ଭ୍ୟାନ ପିଲାଙ୍କୁ ନେଇ ସରଣ୍ଡା ପରେଡ ଗ୍ରାଉଣ୍ଡକୁ ଯାଉଥିଲା । ସେହି ସମୟରେ ନଟିଆ ବର ନିକଟରେ ପିକ୍ଅପ ଭ୍ୟାନଟି ଓଲଟି ପଡିଥିଲା । ଫଳରେ ୨୩ ଜଣ ଆହତ ହୋଇ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଗୁରୁତର ୯ ଜଣଙ୍କୁ ନେଇ କଟକ ଯାଉ ଥିବା ବେଳେ ବାଟରେ ମାଧପୁର ନିକଟରେ ସୌମ୍ୟରଞ୍ଜନ ବେହେରାଙ୍କ ମୃତ୍ୟୁ ହୋଇଛି। ପୋଷ୍ଟ ମର୍ଟମ ପାଇଁ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ଅଣା ଯାଇଛି। ଆଠଗଡ଼ ଡ଼ାକ୍ତରଖାନାରେ ଆଠଗଡ଼ ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମା, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରବିନ୍ଦ୍ର ମଲ୍ଲିକ, ତହସିଲଦାର କ୍ଷେତ୍ର ମୋହନ ସ୍ବାଇଁ ପହଞ୍ଚି ଘଟଣା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ବିଜେପି ନେତା ବ୍ରଜେନ୍ଦ୍ର ରାୟ ମଧ୍ୟ ଡାକ୍ତରଖାନାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।