କଟକ,୨୧/୧୨: କଟକ-ପାରାଦୀପ ରାସ୍ତା କୁଜଙ୍ଗ ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାଲି ବୋଝେଇ ହାଇଓ୍ବା ଧକ୍କାରେ ଜଣେ ବାଇକ୍ ଆରୋହୀ ମୃତ । ସେହିପରି ଅନ୍ୟ ଜଣେ ଗୁରୁତର। ଏନେଇ ଘଟଣାସ୍ଥଳରେ ଗୁରୁତରଙ୍କୁ ପ୍ରଥମେ କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରେ କଟକକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ମୃତ ବ୍ୟକ୍ତ ଜଣକ ବାଗୋଇ ଗାଁର ସଂଗ୍ରାମ ସ୍ୱାଇଁ ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ଗତକାଲି ରାତିରେ ସଂଗ୍ରାମ ଓ ମାନସ ପ୍ରଧାନ ବାଇକ୍ ଯୋଗେ ଘରକୁ ଫେରୁଥିଲେ। ସେହି ସମୟରେ କୁଜଙ୍ଗ ବଜାର ନିକଟରେ ଏକ ବାଲି ବୋଝେଇ ହାଇଓ୍ବା ଦୁଇ ଜଣଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସଂଗ୍ରାମ ସ୍ୱାଇଁଙ୍କ ମୃତ୍ୟୁ ହୋଇଥିବା ବେଳେ ମାନସ ପ୍ରଧାନ ଗୁରୁତର ହୋଇଥିଲେ। ଗୁରୁତରଙ୍କୁ ସ୍ଥାନୀୟ ଲୋକେ ପ୍ରଥମେ କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ବି ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ସେପଟେ ପୁଲିସ ଘଟଣାର ତଦନ୍ତ କରୁଛି।