PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

କ୍ଷତିପୂରଣ ଦାବିରେ ଦାଦନ ଶ୍ରମିକ ମୃତଦେହ ରଖି ରାସ୍ତା ଅବରୋଧ

କୋକସରା:୨୭/୦୩ କୋକସରା ବ୍ଲକ କାଉଡୋଳା ପଞ୍ଚାୟତ ମହାଜନଗୁଡା ଗାଁର ମହେନ୍ଦ୍ର ବେଶ୍ରା ଦାଦନ ଖଟିବାକୁ ଯାଇ ମୃତ୍ୟୁ ଘଟିଥିଲା। ପରିବାର ଲୋକେ କ୍ଷତିପୂରଣ ମହେନ୍ଦ୍ରଙ୍କ ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ କରିଥିଲେ। ବ୍ଲକ ଉପାଧ୍ୟକ୍ଷଙ୍କ ହସ୍ତକ୍ଷେପ ପରେ ରାସ୍ତା ଅବରୋଧ ହଟିଥିଲା।

ତାମିଲନାଡୁ ରାଜ୍ୟର କୋଏମ୍ବାଟୁର ଜଗନ୍ନାଥ ଟେକ୍ସ ଟାଇଲ କମ୍ପାନୀରେ ଆଜିକୁ ୩ ମାସ ତଳେ କୋକସରା ବ୍ଲକ କାଉଡୋଳା ପଞ୍ଚାୟତ ମହାଜନଗୁଡା ଗାଁ ର ଯୁବକ ମହେନ୍ଦ୍ର ବେଶ୍ରାର ସନ୍ଦେହ ଜନକ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଠାବ ହୋଇଥିଲା। ପରେ କମ୍ପାନୀ ପକ୍ଷରୁ ମୃତ ଯୁବକଙ୍କ ମୃତଦେହକୁ ଆମ୍ବୁଲାନ୍ସରେ ଗାଁ କୁ ପଠାଇଥିଲେ। ମୃତଦେହ ଗାଁରେ ପହଞ୍ଚିବା ପରେ କ୍ଷତିପୂରଣ ଓ ନ୍ୟାୟ ଦାବିରେ ପରିବାର ପକ୍ଷରୁ ମହାଜନଗୁଡା ଠାରେ ଜାତୀୟ ରାଜପଥ ଅବରୋଧ କରିଥିଲେ।

ଖବର ପାଇ ଘଟଣାସ୍ଥଳରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, କୋକସରା ତହସିଲଦାର ଦେବବ୍ରତ କରାଟି,ଆମପାଣି ଓ କୋକସରା ଥାନା କର୍ମଚାରୀ ପହଞ୍ଚି ରାସ୍ତା ଅବରୋଧ ରୁ ଓହରି ଯିବାପାଇଁ ଆଲୋଚନା କରିଥିଲେ। କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଙ୍କ ଉଦ୍ୟମ କ୍ରମେ କମ୍ପାନୀ ର ମାଲିକ ସହ ଫୋନରେ ଯୋଗାଯୋଗ କରି ଶ୍ରମିକଙ୍କ ପରିବାର କୁ କ୍ଷତିପୂରଣ ବାବଦରେ କମ୍ପାନୀ ୬୦ ହଜାର, ବ୍ଲକ ଉପାଧ୍ୟକ୍ଷ ୫ ହଜାର ଓ କାଉଡୋଳା ସରପଞ୍ଚ ହରିଶ୍ଚନ୍ଦ୍ର ଯୋଜନାରେ ୩ ହଜାର ଆର୍ଥିକ ସହାୟତା କରିବା ସହ ସରକାରୀ ନିୟମ ଅନୁସାରେ କ୍ଷତିପୂରଣ ଯୋଗାଇ ଦିଆଯିବା ନେଇ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିବା ଜଣାପଡିଛି। ତେବେ ସକାଳ ୮ ଘଣ୍ଟା ରୁ ମଧ୍ୟାହ୍ନ ୧୨ ଘଣ୍ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ ଫଳରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।