PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ – ରନୱେରେ ଧକ୍କା ହେଲା ଦୁଇଟି ବିମାନ ; ଆତଙ୍କରେ ଥରିଲେ ଯାତ୍ରୀ
  • ||
  • ଧାରା ୩୭୦ ଉଚ୍ଛେଦ ବେଳେ କେଜ୍ରିଓ୍ବାଲ କେଉଁଠି ଥିଲେ ? ଏବେ ଆମକୁ ସମର୍ଥନ ମାଗୁଛନ୍ତି : ଓମାର ଅବଦୁଲ୍ଲା
  • ||
  • ରାଉରକେଲା : ପାଞ୍ଚ ବର୍ଷର ପୁଅକୁ ମାରି ଟାଙ୍ଗି ଦେଲା ବାପା, ପରକୀୟା ପ୍ରୀତିରୁ ହତ୍ୟା ସନ୍ଦେହ
  • ||
  • ହିନ୍ଦୋଳ : ହାତୀ ଆକ୍ରମଣରେ ବୃଦ୍ଧ ମୃତ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା
  • ||
  • ଭୁବନେଶ୍ଵର : ୧୭ରେ ଓଡ଼ିଶା ଆସିବେ ଅମିତ ଶାହ, ଢେଙ୍କାନାଳ ସମାବେଶରେ ୫୦ ହଜାର ଲୋକଙ୍କୁ ଦେବେ ଉଦବୋଧନ
  • ||

ବିକାଶ ନାଁରେ ବଳିପଡ଼ିଲେ ଦ୍ରୁମ, ବର୍ଷକରେ କଟିଲାଣି ୩ଶହ ଗଛ

ଢେଙ୍କାନାଳ,୨୫/୦୫(ଶ୍ରୀବାସ ନାୟକ): କାହିଁ କେତେ ବର୍ଷ ହେଲା ଧାଡ଼ିଧାଡ଼ି ହୋଇ ରହିଥିଲା ବିରାଟକାୟ ଗଛ ସବୁ । ପୁରୁଷ ପୁରୁଷ ଧରି ସହରକୁ ସୁରକ୍ଷା ଦେଇ ଆସୁଥିଲେ ଏହି ବୃକ୍ଷଗୁଡ଼ିକ । ସମୟକ୍ରମେ ବିକାଶ ନାଁରେ ଏବେ ଅଧିକାଂଶ ଗଛ ବଳି ପଡ଼ିଛି । ବର୍ଷକ ମଧ୍ୟରେ ସହରରୁ ପ୍ରାୟ ୩ଶହ ଗଛ କଟିଲାଣି । ୪୨ ଡିଗ୍ରୀ ଖରା ତାତିରେ ଦେହ, ମୁହଁ ପୋଡ଼ିଗଲା ବେଳେ ସେମାନଙ୍କ ଅନୁପସ୍ଥିତି ଅନୁଭବ ହେଉଛି । ବୁଢ଼ାଙ୍କ ଠାରୁ ପିଲା ଯାଏ ସଭିଙ୍କ ପାଟିରୁ ସ୍ୱତଃ ବାହାରି ଆସୁଛି, “ଓଃ କି ଖରା…ଗଛ ଗୁଡ଼ା ଥିଲା ଯେ, ଜଣା ପଡୁନଥିଲା ।’ ପ୍ରଚଣ୍ଡ ଖରାରେ ଏବେ ସେଗୁଡ଼ିକୁ ମନ ଝୁରୁଛି ।

ପ୍ରାକୃତିକ ପରିବେଶ ଦୃଷ୍ଟିରୁ ଢେଙ୍କାନାଳ ଏକ ଅନନ୍ୟ ସ୍ଥାନ । ସହରକୁ ଚାରି ପାଶ୍ୱର୍ରୁ ପାହାଡ଼, ଜଙ୍ଗଲ ଘେରି ରହିଛି । ହେଲେ ବିକାଶ ନାମରେ ଧିରେ ଧିରେ ସହରର ପରିବେଶ ବିଗିଡ଼ିବାରେ ଲାଗିଛି । ଗତ କିଛି ମାସ ମଧ୍ୟରେ କେବଳ ସହରରୁ ପ୍ରାୟ ୩ଶହରୁ ଅଧିକ ଗଛ କଟାଯାଇଛି । ବସ୍‌ଷ୍ଟାଣ୍ଡ-ବାଇପାସ୍‌ ରାସ୍ତା ସମ୍ପ୍ରସାରଣ ପାଇଁ ୬୦ଟି ବହୁ ପୁରୁଣା ଗଛ କଟା ଯାଇଥିବା ବେଳେ ବସଷ୍ଟାଣ୍ଡ ଉନ୍ନତିକରଣ ପାଇଁ ଚଢେଇ ରଗଡ଼ା ପାହାଡ଼ରୁ ଛୋଟ, ବଡ଼ ପ୍ରାୟ ୨ଶହ ଗଛ କଟାଯାଇଛି । ସେହିପରି ଗାନ୍ଧି ପାର୍କ ନିକଟରେ ଡ୍ରେନ୍‌ ପାଇଁ ପ୍ରାୟ ୭ଟି ଗଛ, ନନ୍ଦିନୀ ଶତପଥୀଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରାୟ ୫ଟି ଗଛ ଏବଂ ନିକଟରେ ଜଗନ୍ନାଥ ରୋଡ୍‌ରେ ପ୍ରାୟ ୧୦ଟି ଗଛ କଟାଯାଇଛି । ଏହାସହ ସହର ଉପକଣ୍ଠ ଅଞ୍ଚଳରୁ ମଧ୍ୟ ଅନେକ ଗଛ କଟାଯାଇଛି ।

ବସ୍‌ଷ୍ଟାଣ୍ଡରୁ କଲେଜ ବାଇପାସ୍‌ ରାସ୍ତାର ଉଭୟ ପାଶ୍ୱର୍ରେ ଧାଡ଼ି ଧାଡ଼ି ହୋଇ ଅନେକ ପୁରୁଣା ଗଛ ରହିଥିଲା । ରାଜାରାଜୁଡ଼ା ଅମଳରୁ ଆମ୍ବ, ନିମ୍ବ, ଚାକୁଣ୍ଡା, ଶିରିସ, କୃଷ୍ଣଚୁଡ଼ା, ରାଧାଚୁଡ଼ା ଆଦି ଗଛ ରହିଥିଲା । ଶତାଧିକ ବର୍ଷର ବିଶାଳକାୟ ଗଛ ଡାଳ ସବୁ ରାସ୍ତାକୁ ଡାଙ୍କି ରଖିଥିଲା । ପୁରୁଖା ଲୋକଙ୍କ କହିବା ଅନୁସାରେ, କିଛି ବର୍ଷ ପୂର୍ବେ ଏତେ ଗଛ ଥିଲା ଯେ, ଉପରକୁ ଅନାଇଲେ ଆକାଶ ଦିଶୁନଥିଲା । ହେଲେ ଧିରେ ଧିରେ ସେସବୁ କଟା ହୋଇ ଚାଲିଲା । ଏହାପରେ ବି ଅନେକ ଗଛ ରହିଥିଲା । ଛାଇ ଦେବାସହ ଗଛ ମୂଳରେ ବେପାରୀ ପସରା ମେଲଉଥିଲେ । ଖରାଦିନରେ ଲୋକେ ଛାଇ ଦେଖି ଛିଡ଼ା ହେଉଥିଲେ । ଗୁଡ଼ିଆନାଳି ଛକ ଉପରେ ଥିବା ବହୁ ପୁରୁଣା ଆମ୍ବଗଛ ମୂଳେ ଖରାଦିନେ ଆଖୁରସ, ତରଭୁଜ ଖାଇବାକୁ ଲୋକେ ଅଟକି ଯିବା ସହ ଗଲାବେଳକୁ ଆମ୍ବ କିଛି ନେଇ ଯାଉଥିଲେ । କୁଞ୍ଜକାନ୍ତରେ ଥିବା ଅନେକ ଆମ୍ବ ଗଛ ଯୋଗୁଁ ୪୦ ଡିଗ୍ରୀ ଖରାରେ ବି ସେ ଅଞ୍ଚଳ ଥଣ୍ଡା ଲାଗୁଥିଲା ।

ହେଲେ ଏଥରର ଖରାଦିନରେ ଏସବୁର ବ୍ୟତିକ୍ରମ ଲୋକେ ଅନୁଭବ କରୁଛନ୍ତି । ରାସ୍ତା ପ୍ରଶସ୍ତିକରଣ ପାଇଁ ଲୋକଙ୍କୁ ସୁରକ୍ଷା ଦେଇ ଆସୁଥିବା ପ୍ରାୟ ୬୦ଟି ଗଛ ବଳି ପଡ଼ିଛି । ଫଳରେ ଏହି ରାସ୍ତା ଏବେ ଗଛ ଶୂନ୍ୟ ହୋଇପଡ଼ିଛି । ପୂର୍ବାହ୍ନ ପ୍ରାୟ ୧୦ଟାରେ ବେଳକୁ ପ୍ରଚଣ୍ଡ ଖରା ସାଙ୍ଗକୁ ପିଚୁ ତାତି ଲୋକଙ୍କୁ ଅତିଷ୍ଠ କରିପକାଉଛି । କଲେଜ ପାଖରୁ ବିବି ହାଇସ୍କୁଲ ପର୍ଯ୍ୟନ୍ତ ଶତାଧିକ ଆମ୍ବଗଛ ଥିଲା । ରାସ୍ତାକଡ଼ ଠାରୁ ଆରମ୍ଭ କରି ସେ ସବୁ ଅଞ୍ଚଳରେ ବହୁ ପୁରୁଣା ଆମ୍ବଗଛ ରହିଥିଲା । ଯେଉଁଥିରେ ବିଭିନ୍ନ ପ୍ରକାର ପକ୍ଷୀ ରହୁଥିଲେ । ବଉଳ ଯୋଗୁଁ ବହୁଳ ମାତ୍ରାରେ ମହୁମାଛି ରହୁଥିଲେ । ପ୍ରତ୍ୟେକ ଗଛରେ ମହୁମାଛି ବସା ଦେଖିବାକୁ ମିଳୁଥିଲା । ତେଣୁ କୁଞ୍ଜକାନ୍ତ ଅଞ୍ଚଳକୁ “ମଧୂବନ’ ବୋଲି କୁହାଯାଉଥିଲା ବୋଲି ପରିବେଶ ପ୍ରେମୀ ଶୁଭ୍ରାଂଶୁ ଶତପଥୀ କହିଛନ୍ତି ।

ଏବେ କିନ୍ତୁ ସେ ଆମ୍ବ ଗଛ ହଜି ଯିବା ସହ ମହୁମାଛି ବି ନାହାନ୍ତି । ତାହା ସହ “ମଧୁବନ’ ନାଁ ବି ହଜିଗଲାଣି ବୋଲି ଶ୍ରୀ ଶତପଥୀ କହିଛନ୍ତି । ବଡ଼ ଲୋକଙ୍କ ଠାରୁ ଛୋଟ ଛୁଆ ବି ଏହି ରାସ୍ତାରେ ଗଲା ବେଳେ ପୂର୍ବରୁ ଥିବା ଗଛ ଗୁଡ଼ିକୁ ମନେ ପକାଉଛନ୍ତି । କେବଳ ଏହି ଗୋଟିଏ ରାସ୍ତା ନୁହେଁ, ଜଗନ୍ନାଥ ରୋଡ୍‌, ବସଷ୍ଟାଣ୍ଡରୁ ଜିଲ୍ଲାପାଳଙ୍କ ଅଫିସ ପର୍ଯ୍ୟନ୍ତ ଗାନ୍ଧିମାର୍ଗ ଆଦି ଅନେକ ରାସ୍ତାରୁ ଗଛ ନିଶ୍ଚିହ୍ନ ହେବାରେ ଲାଗିଛି । ଏହି ପରିମାଣରେ ଗଛ କଟା ଜାରି ରହିଲେ ଆଗକୁ ପରିସ୍ଥିତି ଭୟଙ୍କର ହେବ ବୋଲି ପରିବେଶ ପ୍ରେମୀ ଆଶଙ୍କା ବ୍ୟକ୍ତ କଲେଣି ।

ସମ୍ବନ୍ଧିତ ଖବର