୩ମାସ ହେଲାଣି ଖୋଳାତଡ଼ାରେ ମାତିଛି ୱାଟକୋ: ଯନ୍ତ୍ରଣା ଭୋଗୁଛନ୍ତି ଜଗମୋହ ଓ ପଞ୍ଚସଖାନଗର ବାସିନ୍ଦା, ବିପଦପୂର୍ଣ୍ଣ ଭାବେ ଯାଉଛନ୍ତି ଗାଡ଼ି ଚାଳକ

ଭୁବନେଶ୍ୱର,୨୬/୦୫: ୩ମାସ ହେଲାଣି ଯମ ଯନ୍ତ୍ରଣା ଭୋଗୁଛନ୍ତି ଜଗମୋହନ ନଗର ଏବଂ ଡୁମୁଡୁମା ପଞ୍ଚସଖାନଗର ବାସିନ୍ଦା । ସ୍ୱେରେଜ କାମ ପାଇଁ ୩ମାସ ହେଲାଣି ରାସ୍ତା ଖୋଳୁଛି ୱାଟକୋ । ଗୋଟିଏ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ଲୋକେ ୪କିଲୋମିଟର ବାଟ ବୁଲୁଛନ୍ତି । ଏମିତିକି ସ୍ୱାସ୍ଥ୍ୟଗତ ଜରୁରୀ ଆବଶ୍ୟକତା ବେଳେ ସବୁଠୁ ବେଶୀ ହଇରାଣ ହେଉଛନ୍ତି ଅଞ୍ଚଳବାସୀ । ଏପରିକି ଘରୁ ଗାଡ଼ି ବାହାର କରିପାରୁନାହାଁନ୍ତି । ଆମ୍ବୁଲାନ୍ସ କି ଅଗ୍ନିଶମ ଗାଡ଼ି ଯିବା ପାଇଁ ମଧ୍ୟ ରାସ୍ତା ନାହିଁ । ଏପରି ସମସ୍ୟାରେ ୩ମାସ ହେଲାଣି ଘାଣ୍ଟି ହେଲାଣି ଅଞ୍ଚଳବାସିନ୍ଦା । ଅଭିଯୋଗ କଲେ କେହି ଶୁଣୁନାହାଁନ୍ତି । ୱାଟକୋ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଧରା ଛୁଆଁ ଦେଉନାହାଁନ୍ତି ।
୬୩ ନମ୍ବର ୱାର୍ଡ ଜଗମୋହନ ନଗର ମୁଖ୍ୟ ରାସ୍ତା ଅର୍ଥାତ୍ ଆଇଟିଆର୍ ଗଳି ଲେନ୍ କାମ ନେଇ ୩ମାସ ପୂର୍ବରୁ ଖୋଳିଥିଲା ୱାଟକୋ । ଏହି ସମୟରେ ସ୍ଥାନୀୟ ବାସିନ୍ଦା, ଆଇଟିଆର୍ କଲେଜ ଛାତ୍ରଛାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ମାସେ ତଳେ କାମ ସରିବା ପରେ ଚଳିତ ସପ୍ତାହରେ ଏହି ରାସ୍ତାରେ ପିଚୁ ପକାଇଛି । ହେଲେ ଗତକାଲି ହଠାତ୍ ଆଇଟିଆର୍ କଲେଜରୁ ପଞ୍ଚସଖା ନଗରକୁ ଯିବା ଶଙ୍ଖ ପାଖରେ ୧୫ଫୁଟର ବଡ଼ ଗାତ ଖୋଳି ଦିଆଯାଇଛି । ଏହି ସ୍ଥାନରେ ରାସ୍ତା କାମ ଚାଲିଥିବା ନେଇ କୌଣସି ସତର୍କତା ବୋର୍ଡ ମଧ୍ୟ ମରାଯାଇନାହିଁ । ଫଳରେ ଜଗମୋହନ ନଗର ପଟୁ ଏବଂ ପଞ୍ଚସଖାନଗର ପଟୁ ଆସୁଥିବା ଗାଡ଼ି ଚାଳକ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି । ଏହି ଗାତ ପାଖରେ କେବଳ ଗୋଟିଏ ନୀଳ ରଙ୍ଗର କପଡ଼ା ଟାଙ୍ଗି ଦେଇଛନ୍ତି । କୌଣସି ସୁରକ୍ଷା ବାଡ଼ ମଧ୍ୟ ଦେଇନାହାଁନ୍ତି । ଫଳରେ ଏକ ଫୁଟର ରାସ୍ତାରେ ବିପଦପୂର୍ଣ୍ଣ ଭାବେ ଯାତ୍ରା କରୁଛନ୍ତି ଗାଡ଼ି ଚାଳକ । ଯଦି କୌଣସି ଗାଡ଼ି ଚାଳକ ଭାରସାମ୍ୟ ହରାନ୍ତି ତେବେ ସିଧା ଗାତରେ ପଡ଼ି ଖଣ୍ଡିଆଖାବରା ହେବା ଥୟ ।
ସ୍ଥାନୀୟ ବାସିନ୍ଦା କିଶୋର କୁମାର ମହାରଣାଙ୍କ କହିବା କଥା, ଆଗରେ ରାସ୍ତା କାମ ହେଉଥିବା ନେଇ କୌଣସି ସୂଚନା ଦେଉନାହାଁନ୍ତି । ୨ କିଲୋମିଟର ଆସିବା ପରେ ପୁଣି ପଛକୁ ଫେରିବା ଭାରି ବାଧୁଛି । ତେଣୁ ବିପଦପୂର୍ଣ୍ଣ ଭାବେ ଏହି ଗାତକୁ ପାରି ହେବାକୁ ପଡ଼ୁଛି । ସୁନିତା ପଣ୍ଡାଙ୍କ କହିବା କଥା, ୱାଟକୋ ଲୋକଙ୍କୁ ଜାଣିଶୁଣି ହଇରାଣ କରୁଛି । ରାସ୍ତା କାମ କରିବା ପୂର୍ବରୁ ଅନ୍ୟ ଏକ ସର୍ଭିସ୍ ରୋଡ୍ ତିଆରି କରିବା ଆବଶ୍ୟକ । ହେଲେ କରାଯାଉନି । ଜାଣିଶୁଣି ଗୋଟିଏ ଦିନର କାମକୁ ୧୦ ଦିନ ଲଗାଇ ଦେଉଛନ୍ତି । ଫଳରେ ଆମେ ବହୁତ ହଇରାଣ ହେଉଛୁ । କର୍ପୋରେଟର ସୁଜାତା ଛୋଟରାୟ କହିଛନ୍ତି, ଏହି ସ୍ଥାନରେ ସ୍ୱେରେଜ ପାଣିର ସଂଯୋଗ ପାଇଁ ଗାତ ଖୋଳାଯାଇଛି । ଲୋକଙ୍କ ଅଭିଯୋଗ ନେଇ ୱାଟକୋ ଅଧିକାରୀଙ୍କୁ ଜଣାଇଲେ ବି ସେ କୌଣସି କଥା ଶୁଣୁନାହାଁନ୍ତି । ଏହି ସ୍ୱେରେଜ କାମ ମେୟର ସିଧା ନିଜେ ବୁଝୁଛନ୍ତି ବୋଲି କର୍ପୋରେଟର ଶ୍ରୀମତି ଛୋଟରାୟ କହିଛନ୍ତି । ଏନେଇ ୱାଟକୋ ଡିଭିଜନ-୨ ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶିବାନୀ ସାହୁଙ୍କୁ ଯୋଗାଯୋଗ କରିଥିଲେ ହେଁ କୌଣସି ଉତ୍ତର ମିଳିନାହିଁ ।