କଟକ,୦୭/୦୧: ସଡ଼କ ଦୁର୍ଘଟଣା ହ୍ରାସ ପାଇଁ  ପ୍ରତି ବର୍ଷ ସଚେତନତା ସପ୍ତାହ ପାଳନ କରାଯାଉଛି ।  ଏବେ ସପ୍ତାହ ପରିବର୍ତ୍ତେ ମାସ ପାଳନ କରାଗଲାଣି ।  ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଉଡ଼ାଇ ଦିଆଯାଉଛି । କିନ୍ତୁ  ଦୁର୍ଘଟଣା କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି ।  ଏହା ସହ ତାଳ ଦେଇ ବଢୁଛି ମୃତାହତଙ୍କ ସଂଖ୍ୟା । ତେଣୁ ସଡ଼କ ସୁରକ୍ଷା ସଚେତନତା ଏକରକମ  ପ୍ରହସନରେ ପରିଣତ ହୋଇଛି । ସଚେତନତା ନାଁରେ  ଯେଉଁ ଟଙ୍କା ଖର୍ଚ୍ଚ କରାଯାଉଛି ତାହା ପ୍ରକୃତ କାହା ପକେଟ୍‌କୁ ଯାଉଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । 

ସୂଚନା ଅନୁସାରେ, ୨୦୨୨ ଜାନୁଆରୀରରୁ  ଡିସେମ୍ବର ମଧ୍ୟରେ ରାଜ୍ୟରେ ୧୧ ହଜାର ୬୬୩ଟି  ଦୁର୍ଘଟଣା ସଂକ୍ରାନ୍ତ ମାମଲା ରୁଜୁ ହୋଇଥିଲା । ଏହି  ଦୁର୍ଘଟଣାରେ ୫ ହଜାର ୪୬୭ ଜଣଙ୍କ ଜୀବନ  ଯାଇଥିବା ବେଳେ ୧୦ ହଜାର ୩୦୨ ଜଣ ଗୁରୁତର  ଆହତ ହୋଇଥିଲେ । ସେହିପରି ୨୦୨୩ ଜାନୁଆରୀ  ଡିସେମ୍ବର ମଧ୍ୟରେ ଦୁର୍ଘଟଣା ସଂଖ୍ୟା ୧୨ ହଜାର  ୫୨କୁ ବୃଦ୍ଧି ପାଇଥିଲା । ଏଥିରେ ୫ ହଜାର ୬୯୬  ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ ହଜାର  ୪୧୯ ଜଣ ଗୁରୁତର ଆହତ ହୋଇଥିଲେ । ୨୦୨୨  ତୁଳନାରେ ୨୦୨୩କୁ ଦୁର୍ଘଟଣାରେ ମୃତକଙ୍କ  ହାର୍‌ ୪.୨% ବୃଦ୍ଧି ପାଇଛି । ଆହତଙ୍କ ସଂଖ୍ୟାରେ  ୩.୩% ବୃଦ୍ଧି ଘଟିଛି । ଆଗାମୀ ଦିନରେ ୨୦୨୪ର  ସଡ଼କ ରିପୋର୍ଟ ଆସିବ । 

୨୦୨୪ରେ ଅନେକ ବଡ଼  ଦୁର୍ଘଟଣା ଘଟିଥିବାରୁ ୨୦୨୩ ତୁଳନାରେ ଉଭୟ  ମୃତକ ଓ ଆହତଙ୍କ ସଂଖ୍ୟା ଅଧିକ ରହିବ ବୋଲି  ଆଶଙ୍କା କରାଯାଉଛି । ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଥିବାରୁ ସଚେତନତା  ନାଁରେ ଯାହାସବୁ ପଦକ୍ଷେପ ନିଆଯାଉଛି ସେସବୁର  କୌଣସି ଅର୍ଥ ରଖୁନାହିଁ । ଅନ୍ୟପକ୍ଷରେ ସଚେତନତା  ପାଇଁ ବିଭିନ୍ନ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ  (ଆର୍‌ଟିଓ)କୁ ରାଜ୍ୟ ସରକାର ୪ରୁ ୬ଲକ୍ଷ  ଟଙ୍କା ପର୍ଯ୍ୟନ୍ତ ପ୍ରଦାନ କରିଥାନ୍ତି । ଯେଉଁ ଆରଟିଓ  ଅଧୀନରେ ଅପେକ୍ଷାକୃତ କମ୍‌ ଗାଡ଼ି ପଞ୍ଜୀକରଣ  ହେଉଛି ସେହିସବୁ କାର୍ଯ୍ୟାଳୟକୁ ୪ଲକ୍ଷ ଏବଂ  ବଡ଼ବଡ଼ ଆରଟିଓଙ୍କୁ ୬ଲକ୍ଷ ଟଙ୍କା ଦିଆଯାଇଛି ।  ଏହି ଅର୍ଥରେ ଆରଟିଓଙ୍କ ପକ୍ଷରୁ ବିଭିନ୍ନ ଅଞ୍ଚଳରେ  ସଚେତନତା ରଥ ପରିକ୍ରମା କରାଯାଉଛି । ସେହିପରି  ସ୍କୁଲ୍‌ ପିଲାଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା, ବିଭିନ୍ନ  ସ୍ଥାନରେ ହୋର୍ଡିଂ, ଡ୍ରାଇଭରମାନଙ୍କ ଆଖି ପରୀକ୍ଷା  ଆଦି କରାଯାଉଛି । କିନ୍ତୁ ଏହାର ସୁଫଳ କାହିଁକି  ମିଳୁନାହିଁ ତାହାର ଉତ୍ତର କାହା ପାଖରେ ନାହିଁ । 

ଦୁଇ ବର୍ଷ ତଳେ ସଚେତନତା ପାଇଁ ପ୍ରତ୍ୟେକ  ଆର୍‌ଟିଓଙ୍କୁ ଗୋଟେ ଲେଖାଏଁ ଏଲ୍‌ଇଡି ଗାଡ଼ି  ଦିଆଯାଇଥିଲା । ଏହି ଏଲ୍‌ଇଡି ଗାଡ଼ି ରାଜ୍ୟ ବାହାରୁ  ଅଣାଯାଇଥିଲା । ପ୍ରତି ଗାଡ଼ି ୨ଲକ୍ଷରୁ ଅଧିକ ଟଙ୍କା  ବ୍ୟୟ କରାଯାଇଥିଲା । କିନ୍ତୁ ରାଜ୍ୟରେ ଏହିଭଳି  ଗାଡ଼ି ୧ ଲକ୍ଷ ଟଙ୍କା ଭିତରେ ମଧ୍ୟ କରାଯାଇ ପାରିଥାନ୍ତା  ବୋଲି କୁହାଯାଉଛି । ତେଣୁ ବାହାରୁ ଗାଡ଼ି ଆଣିବା  ଆଳରେ ଲକ୍ଷାଧିକ ଟଙ୍କା ହରିଲୁଟ୍‌ କରାଯାଇଥିବା  ଅଭିଯୋଗ ହେଉଛି ।

 ଏ ସଂକ୍ରାନ୍ତରେ ପରିବହନ ବିଭାଗର ଜଣେ  ବରିଷ୍ଠ ଅଧିକାରୀ କହିଛନ୍ତି, ଯଦିଓ ସଚେତନତା  ପାଇଁ ପ୍ରତିବର୍ଷ ବିପୁଳ ଅର୍ଥ ଖର୍ଚ୍ଚ ହେଉଛି କିନ୍ତୁ  ଏହାର ପ୍ରଭାବ ଲୋକଙ୍କ ଉପରେ ପଡ଼ିପାରୁ ନାହିଁ ।  ଫଳରେ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି ।  ଯେ ପର୍ଯ୍ୟନ୍ତ ଲୋକେ ନିଜ ସ୍ତରରେ ସଚେତନ  ହେବେନି, ସେ ପର୍ଯ୍ୟନ୍ତ ଦୁର୍ଘଟଣା ହ୍ରାସ ହେବ  ନାହିଁ ବୋଲି ସେ କ୍ଷୋଭର ସହ ପ୍ରକାଶ କରିଛନ୍ତି ।