ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଅର୍ଥନୈତିକ ଅବରୋଧ, ବାରବାଟୀରେ ରାସ୍ତାରୋକ, ୬୫ ଗିରଫ

ରସୁଲପୁର/ମଧୁବନ,୧୧ା୨(ଆପ୍ର): ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ଦୁଇ ଥର ଅସଫଳ ହେବା ପରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଅର୍ଥନୈତିକ ଅବରୋଧ ଆରମ୍ଭ ହୋଇଛି । ଯଦି ଚାଷୀମାନେ ଭୁବନେଶ୍ୱରକୁ ଯାଇପାରିବେ ନାହିଁ, ଭୁବନେଶ୍ୱରକୁ କୌଣସି କୃଷିଜାତ ସାମଗ୍ରୀ ଯାଇପାରିବ ନାହିଁ ବୋଲି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତି ମୁତାବକ ଆଜି ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ୧୬ନଂ ଜାତୀୟ ରାଜପଥର ବାରବାଟୀଠାରେ ଦୁଇ ଘଣ୍ଟା ଅବରୋଧ କରାଯାଇଥିଲା । ପୁଲିସ କୃଷକ ସଂଗଠନର ନେତା ଓ କର୍ମୀମାନଙ୍କୁ ଗିରଫ କରିବା ସହିତ ରାଜପଥରୁ ଅବରୋଧ ହଟାଇଥିଲା । ପୂର୍ବ ନିଷ୍ପତ୍ତି ମୁତାବକ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ ବାରବାଟୀ ନିକଟସ୍ଥ ମାଣତୀର ଛକଠାରେ ଜିଲ୍ଲା ସଂଯୋଜକ ଦୁର୍ଗା ପ୍ରସାଦ ଦାସଙ୍କ ନେତୃତ୍ୱରେ ଏକ ହଜାରରୁ ଅଧିକ କୃଷକ ଏକ ଶୋଭାଯାତ୍ରାରେ ଆସି ୧୬ନଂ ଜାତୀୟ ରାଜପଥର ବରବାଟୀ ଛକରେ ଚାଷୀମାନେ ରାସ୍ତା ଅବରୋଧ କରିଥିଲେ । ରସୁଲପୁର ତହସିଲଦାର ସରୋଜ କୁମାର ପଣ୍ଡା, କଳିଙ୍ଗନଗର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାଜକିଶୋର ଦୋରା, ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ କେଦାରନାଥ ସାହୁ, ଧର୍ମଶାଳା ଥାନା ଅଧିକାରୀ ଉମାକାନ୍ତ ନାୟକ, କୁଆଖିଆ ଥାନା ଅଧିକାରୀ ଆଶିଷ କୁମାର ସାହୁ, ବଡଚଣା ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର, ଯଖପୁରା ଥାନା ଅଧିକାରୀ ରମାକାନ୍ତ ମୁଦୁଲିଙ୍କ ସମେତ ୪ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଥିଲା । ଆନ୍ଦୋଳନକାରୀ କୃଷକ ନେତା ଓ କୃଷକଙ୍କୁ ପୁଲିସ ରାସ୍ତା ଅବରୋଧ ହଟାଇବାକୁ ବୁଝାଶୁଝା କରିଥିଲା । ଅବରୋଧ ନହଟିବାରୁ ଅପରାହ୍ଣ ୨ଟାରେ ପୁଲିସ ଆନ୍ଦୋଳନକାରୀମାନଙ୍କୁ ଗିରଫ କରିବା ଆରମ୍ଭ କରିଥିଲା। ମୋଟ୍ ୬୫ ଜଣ ଚାଷୀ ଓ କୃଷକ ନେତାଙ୍କୁ ପୁଲିସ ଗିରଫ କରି କୁଆଖିଆ ଥାନାରେ ଅଟକ ରଖିଥିଲା ।
ସରକାର ଦୀର୍ଘଦିନ ହେଲା ଚାଷୀଙ୍କ ଉପରେ ବଳ ପ୍ରୟୋଗ କରୁଥିଲେ ସୁଦ୍ଧା ଚାଷୀ ଆନ୍ଦୋଳନକୁ ଦବାଇ ଦେଇପାରିବେ ନାହିଁ ବୋଲି ନବ ନିର୍ମାଣ କୃଷକ ସଂଗଠନର ରସୁଲପୁର ବ୍ଲକ ସଂଯୋଜକ ମୁକୁନ୍ଦଦେବ ମହାନ୍ତି ପ୍ରତିକ୍ରିୟାରେ କହିଛନ୍ତି । ବଡ଼ଚଣା ବ୍ଲକ୍ ସଂଯୋଜକ ଅଶୋକ ଶାନ୍ତି, ଧର୍ମଶାଳା ବ୍ଲକ୍ ସଂଯୋଜକ ହେମନ୍ତ ଦୋରା, ବରୀ ବ୍ଲକ ସଂଯୋଜକ ମାଧବ ଶାନ୍ତି, ବରିଷ୍ଠ କୃଷକ ନେତା ଇଂ. ବିଶ୍ୱଜିତ ମହାନ୍ତି, ପିସିସି ସମ୍ପାଦକ ତଥା କୃଷକ ନେତା ଅଧିର କୁମାର ଜେନା, କେନ୍ଦ୍ରାପଡ଼ା ଜିଲ୍ଲା ସହ ସଂଯୋଜକ ଦୋଳ ଗୋବିନ୍ଦ ସାହୁ, ସୁକିନ୍ଦା ସହସଂଯୋଜକ ସଂଜୟ ରାଉତ, ଦାନଗଦୀ ସଯୋଜକ ରାଜକିଶୋର ଘଡ଼େଇ ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।