ନୂଆଦିଲ୍ଲୀ,୩୧/୧୨: ନୂଆବର୍ଷରେ ଫ୍ୟାନ୍ସଙ୍କୁ ଲାଗି ପାରେ ଝଟକା । ବିଶେଷ କରି ରୋହିତ ଶର୍ମାଙ୍କ ପ୍ରଶଂସକଙ୍କ ପାଇଁ ଆସିପାରେ ନିରାଶ କରିବା ପରି କିଛି ଖବର । କାରଣ ବର୍ଡର ଗାଭାସ୍କର ଟ୍ରଫି ସିରିଜ ପରେ ଅବସର ନେଇ ପାରନ୍ତି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା । ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ରୋହିତ ସନ୍ୟାସ ଘୋଷଣା କରିବା ନେଇ ଚର୍ଚ୍ଚା ହେଉଛି ।
ଖରାପ ଫର୍ମରେ ଦେଇ ଗତି କରୁଛନ୍ତି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା । ବ୍ୟକ୍ତିଗତ ବିଫଳତା ସହ ତାଙ୍କ ଅଧିନାୟକତ୍ବକୁ ନେଇ ମଧ୍ୟ ସମାଲୋଚନା କରୁଛନ୍ତି ଫ୍ୟାନ୍ସ । ପଡିଆରେ ସେ ପୁରୁଣା କ୍ୟାପ୍ଟେନ୍ସି ଚମକ ନାହିଁ । ଦିନେ ଯିଏ କ୍ରିଜରେ ଛିଡା ହେଲେ ରନ ବର୍ଷା ହେଉଥିଲା ବ୍ୟାଟ ଗର୍ଜନ କରୁଥିଲା ମାତ୍ର ବର୍ଡର-ଗାଭାସ୍କର ଟ୍ରଫି ସିରିଜରେ ଫେଲ ମାରିଛନ୍ତି ରୋହିତ । ଲଗାତାର ଫ୍ଲପ ଶୋ ଦେଖିବାକୁ ମିଳିଛି । ଖରାପ ପ୍ରଦର୍ଶନ ପାଇଁ ତାଙ୍କୁ ସମାଲୋଚନା କରାଯାଇଥିଲା । ମେଲବର୍ଣ୍ଣରେ ୧୮୪ରନରେ ପରାସ୍ତ ହୋଇଥିଲା ଭାରତ । ଏହା ଫ୍ୟାନ୍ସଙ୍କୁ ପ୍ରବଳ ବାଧିଛି କାରଣ ଏହି ପରାଜୟ ପରେ ଭାରତର ବିଶ୍ବ ଟେଷ୍ଟ ଚମ୍ପିଅନସିପ୍ ଆଶା ଏକପ୍ରକାର ମଉଳି ଯାଇଛି ।
ବିଟିଜି ଟେଷ୍ଟରେ ଏବେ ଯାଏଁ ୪ଟି ଟେଷ୍ଟ ମ୍ୟାଚ ଖେଳାଯାଇଛି । ସେଥିରେ ରୋହିତ ୬ଟି ପାଳି ଖେଳି ମାତ୍ର ୩୧ ରନ କରିଛନ୍ତି । ଅଷ୍ଟ୍ରେଲିଆ ଟୁରରେ ତାଙ୍କର ବ୍ୟାଟିଂ ହାର ମାତ୍ର ୬ ରହିଛି । ଯାହା କୌଣସି ଭ୍ରମଣକାରୀ ଦଳର ଅଧିନାୟକଙ୍କ କ୍ଷେତ୍ରରେ କମ୍ । ଚଳିତ ବର୍ଷ ୧୦ଟି ଟେଷ୍ଟ ଇନିଂସରେ ସେ ଦୁଇ ଅଙ୍କ ଛୁଇଁ ପାରିନାହାନ୍ତି । ଚଳିତବର୍ଷ ସେ ୨୬ଟି ଟେଷ୍ଟ ଇନିଂସରେ ମାତ୍ର ୬୧୯ରନ କରିଛନ୍ତି । ଟି-ଟ୍ବେଣ୍ଟି ବିଶ୍ବକପ ଜିତିବା ପରେ ଏହି ଫର୍ମାଟକୁ ଅଲବିଦା କହିଥିଲେ ରୋହିତ । କେବଳ ଟେଷ୍ଟ ଓ ଦିନିକିଆ ଖେଳୁଥିଲେ । ନ୍ୟୁଜିଲାଣ୍ଡ ବିପକ୍ଷରେ ଖରାପ ପଦର୍ଶନ ପରେ ଏବେ ବର୍ଡର ଗାଭାସ୍କର ଟେଷ୍ଟ ସିରିଜରେ ଲଗାତାର ଫେଲ ହୋଇଛନ୍ତି ରୋହିତ । ତେଣୁ ସେ ବିଟିଜି ସିରିଜ ପରେ ଅବସର ନେବା ନେଇ ଚର୍ଚ୍ଚା ହେଉଛି ।
ରିପିଟ ହେବ ୧୦ ବର୍ଷ ତଳର ଇତିହାସ- ବର୍ଡର ଗାଭାସ୍କର ଟେଷ୍ଟ ସିରିଜ ପରେ ଯଦି ରୋହିତ ଅବସର ଘୋଷଣା କରନ୍ତି ତେବେ ୧୦ ବର୍ଷ ତଳର ଇତିହାସର ପୁର୍ନରାବୃତ୍ତି ହେବାକୁ ଯାଉଛି । ମହେନ୍ଦ୍ର ସିଂହ ଧୋନୀଙ୍କ ପରେ କ୍ରିକେଟକୁ ଅଲବିଦା କହିବେ ରୋହିତ । କାରଣ ମେଲବର୍ଣ୍ଣ ପରେ ଅବସର ନେଇଥିଲେ ଏମଏସଡି । ବର୍ତ୍ତମାନ ରୋହିତ ମଧ୍ୟ ସେହି ପଥରେ ରହିଛନ୍ତି ।
ଚର୍ଚ୍ଚା ଓ ଆଲୋଚନା ଭିତରେ ରୋହିତଙ୍କ ଉତ୍ତର ଥିଲା କିଛି ଅଲଗା । ସିଡନୀ ଟେଷ୍ଟରେ ସେ ଭାରତୀୟ ଦଳର କମାଣ୍ଡ ସମ୍ଭାଳିବେ ବୋଲି ସ୍ପଷ୍ଟ କରିଥିଲେ । ସେ କହିଥିଲେ, ଅତୀତରେ କଣ ଘଟିଲା ତାକୁ ନେଇ କିଛି ଭାବିବାର ନାହିଁ । ହଁ କିଛି ମ୍ୟାଚ ଆମ ସପକ୍ଷରେ ନଥିଲା । ଅଧିନାୟକ ଭାବେ ଏହା ନିରାଶାଜନକ । ବ୍ୟାଟର ଭାବେ ବି ନିରାଶ କରିଛି ।