ନୂଆଦିଲ୍ଲୀ: ଦୀର୍ଘ ୧୦ ବର୍ଷ ପରେ ରଣଜୀ ଖେଳୁଥିବା ହିଟମ୍ୟାନ୍‌ ରୋହିତ ଶର୍ମାଙ୍କ ପ୍ରଦର୍ଶନ ଖେଳପ୍ରେମୀଙ୍କୁ ନିରାଶ କରିଛି । ନିକଟରେ ଶେଷ ହୋଇଥିବା ବର୍ଡର ଗାଭାସ୍କର ଟ୍ରଫିରେ ଲଗାତାର ଖରାପ ପ୍ରଦର୍ଶନ କରିଥିବା ରୋହିତ ରଣଜୀ ଖେଳିବାକୁ ବାଧ୍ୟ ହୋଇଥିଲେ । ମୁମ୍ବାଇ ଟିମ୍‌ରେ ସାମିଲ ଥିବା ରୋହିତ ଶର୍ମା ଜମ୍ମୁକାଶ୍ମୀର ବିପକ୍ଷରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି । ୧୯ଟି ବଲ୍‌ ଖେଳିଥିବା ବେଳେ କେବଳ ୩ ରନ୍‌ କରି ପାଭିଲିୟନ୍‌ ଫେରିଛନ୍ତି ଭାରତୀୟ ଟିମର ଅଧିନାୟକ ରୋହିତ ଶର୍ମା ।  ରୋହିତ ମ୍ୟାଚ୍‌ର ପ୍ରଥମ ଇନିଂସରେ ୧୯ଟି ବଲ୍‌ ଖେଳିଥିଲେ ସୁଦ୍ଧା ଗୋଟିଏ ବି ଚୌକା ମାରିପାରି ନାହାନ୍ତି । ରୋହିତ ଆଉଟ୍‌ ହେବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । 

ରଣଜୀ ଟ୍ରଫି ୨୦୨୪-୨୫ର ଦ୍ୱିତୀୟ ପର୍ଯ୍ୟାୟ ଆଜି (୨୩ ଜାନୁଆରୀ)ରୁ ଆରମ୍ଭ ହୋଇଛି । ଏଥିରେ ମୁମ୍ବାଇ ଦଳ ଜମ୍ମୁକାଶ୍ମୀର ବିପକ୍ଷରେ ପ୍ରଥମ ମ୍ୟାଚ ଖେଳୁଛି। ଜମ୍ମୁକାଶ୍ମୀର ବିପକ୍ଷରେ ଖେଳାଯାଉଥିବା ମ୍ୟାଚ୍‌ର ପ୍ରଥମ ଇନିଂସରେ ରୋହିତ ଶର୍ମା ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ସେ ଦ୍ରୁତ ବୋଲର ଉମର ନାଜିର ମିରଙ୍କ ବଲ ବୁଝିପାରି ନଥିଲେ । ରୋହିତ ଶର୍ମା କ୍ୟାଚ୍‌ ଆଉଟ୍‌ ହୋଇଥିଲେ । ଏହିପରି, ମୁମ୍ବାଇ ପାଇଁ ପ୍ରଥମ ଇନିଂସରେ ରୋହିତ ଶର୍ମା ମାତ୍ର ୩ ରନ କରି ଆଉଟ ହୋଇଥିଲେ । 

ଏହା ପୂର୍ବରୁ ଟିମ ଇଣ୍ଡିଆ ବର୍ଡର ଗାଭାସ୍କର ଟ୍ରଫି ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିଥିଲା । ଏହି ଗସ୍ତରେ, ଭାରତୀୟ ଅଧିନାୟକ ରୋହିତ ଶର୍ମା ପାଞ୍ଚଟି ଟେଷ୍ଟ ମଧ୍ୟରୁ ତିନୋଟିରେ ଅଂଶଗ୍ରହଣ କରିଥିଲେ। ହିଟମ୍ୟାନ ତିନୋଟି ମ୍ୟାଚ୍‌ରେ ମାତ୍ର ୩୧ ରନ କରିଥିଲେ । ରୋହିତ ତାଙ୍କ କ୍ୟାରିୟରରେ ଏପର୍ଯ୍ୟନ୍ତ ୬୭ଟି ଟେଷ୍ଟ ଖେଳିଛନ୍ତି। ଏହି ମ୍ୟାଚ୍‌ଗୁଡ଼ିକର ୧୧୬ ଇନିଂସରେ ବ୍ୟାଟିଂ କରି ସେ ୪୦ ହାରରେ ୪୩୦୧ ରନ କରିଛନ୍ତି। ଏହି ସମୟ ମଧ୍ୟରେ ତାଙ୍କ ବ୍ୟାଟରୁ ୧୨ଟି ଶତକ ଏବଂ ୧୮ଟି ଅର୍ଦ୍ଧଶତକ ଆସିଛି। କିନ୍ତୁ ଏବେ ରୋହିତ ଶର୍ମା ଫର୍ମକୁ ଫେରିବାକୁ ସଂଘର୍ଷ କରୁଛନ୍ତି ।

ସୂଚନାଯୋଗ୍ୟ, ଆଜିର ଏହି ମ୍ୟାଚ୍‌ରେ ରୋହିତ ଶର୍ମା ଏବଂ ଯଶସ୍ବୀ ଜୟସ୍ବାଲ ଓପନ କରିଥିଲେ । ରୋହିତ ଶର୍ମା ୩ ଏବଂ ଜୟସ୍ବାଲ ମାତ୍ର ୪ ରନ୍‌ କରି ଆଉଟ୍‌ ହୋଇଥିଲେ । ୩୩.୨ ଓଭରରେ ଦଳ ସବୁ ଓ୍ବିକେଟ୍‌ ହରାଇ ୧୨୦ ରନ୍‌ କରିଥିଲା । ଏହା ପରେ ପଡ଼ିଆକୁ ଆସିଥିବା ଜମ୍ମୁକାଶ୍ମୀର ଦଳ ୩୯ ରନ୍‌ରେ ଆଗୁଆ ରହିଛି ।