ନୂଆଦିଲ୍ଲୀ: ପଞ୍ଜାବର ରୋପାର ରେଞ୍ଜର ଡିଆଇଜି ହରଚରଣ ସିଂହ ଭୁଲ୍ଲରଙ୍କୁ ସିବିଆଇ ଗିରଫ କରିଛି। ଆଜି (ଗୁରୁବାର) ଅପରାହ୍ନରେ ଏହି ଗିରଫଦାରୀ କରିଛି ବିଭାଗ । ଏହି ଗିରଫଦାରୀ ଏକ ହାଇ-ପ୍ରୋଫାଇଲ୍ ଲାଞ୍ଚ ମାମଲା ସହିତ ଜଡିତ ବୋଲି ଜଣାପଡିଛି । କୁହାଯାଉଛି କି, ମଣ୍ଡି ଗୋବିନ୍ଦଗଡ଼ର ଜଣେ ସ୍କ୍ରାପ୍ ବ୍ୟବସାୟୀ, ଡିଆଇଜିଙ୍କ ଉପରେ ୫ ଲକ୍ଷ ଟଙ୍କା ଲାଞ୍ଚ ଗ୍ରହଣ କରିବାର ଅଭିଯୋଗ ଆଣିଥିଲେ। ପୋଲିସ ଏପର୍ଯ୍ୟନ୍ତ ଏହି ବିଷୟରେ କୌଣସି ସରକାରୀ ବିବୃତ୍ତି ଜାରି କରିନାହିଁ।

ସିବିଆଇ ସୂତ୍ର ଅନୁଯାୟୀ, ଲାଞ୍ଚ ଗ୍ରହଣ କରିବା ସମୟରେ ଡିଆଇଜିଙ୍କୁ ଗିରଫ କରାଯାଇଛି । ଫତେଗଡ଼ ସାହିବର ବାସିନ୍ଦା ଅଭିଯୋଗକାରୀ ଅଭିଯୋଗ କରିଥିଲେ ଯେ ଡିଆଇଜି ଭୁଲ୍ଲର ଏକ ମାମଲା ସମାଧାନ କରିବା ପାଇଁ ବିପୁଳ ପରିମାଣର ଟଙ୍କା ଦାବି କରିଥିଲେ ଏବଂ ପ୍ରଥମ କିସ୍ତି ଦେବା ପାଇଁ ତାଙ୍କୁ ତାଙ୍କ ମୋହାଲି କାର୍ଯ୍ୟାଳୟକୁ ଡାକିଥିଲେ। ଏହି ସୂଚନା ଆଧାରରେ, ସିବିଆଇ ଟିମ୍ ଚଢାଉ କରି ଘଟଣାସ୍ଥଳରୁ ଡିଆଇଜିଙ୍କୁ ଗିରଫ କରିଥିଲା।

ସିବିଆଇ ଦୀର୍ଘ ଦିନ ଧରି ଏହି ବରିଷ୍ଠ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ପାଉଥିଲା, ଅଭିଯୋଗ ଅନୁସାରେ ସେ ମାମଲାରେ ଆଶ୍ୱସ୍ତି ପାଇଁ ଟଙ୍କା ଦାବି କରିଥିଲେ। ଏହି ସୂଚନା ଆଧାରରେ, ସଂସ୍ଥା ଏକ ଜାଲ ବିଛାଇ ଯୋଜନାବଦ୍ଧ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଅଧିକାରୀ ଜଣକ ୫ ଲକ୍ଷ ଲାଞ୍ଚ ଗ୍ରହଣ କରିବା ମାତ୍ରେ, CBI ଟିମ୍ ଘଟଣାସ୍ଥଳରେ ଚଢାଉ କରି ତାଙ୍କୁ ଗିରଫ କରିଥିଲା। ତଲାସୀ ସମୟରେ ଏହି ଟଙ୍କା ମଧ୍ୟ ଜବତ କରାଯାଇଥିଲା।

ଗିରଫ ପରେ, ସିବିଆଇ ଟିମ୍ DIGଙ୍କ କାର୍ଯ୍ୟାଳୟ ଏବଂ ବାସଭବନରେ ଚଢାଉ କରିଥିଲା। ଜଣେ ବରିଷ୍ଠ CBI ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି ଏବଂ ତାଙ୍କୁ ପଚରାଉଚରା ଚାଲିଛି।