ଭୁବନେଶ୍ୱର, ୧୫।୩: ଏବେଠୁ ତାତି ଅସମ୍ଭାଳ ହେଲାଣି । ଦିନରେ ସର୍ବାଧିକ ତାପମାତ୍ରା କେଉଁଠି ୩୫ ଡିଗ୍ରୀ ତ ଆଉ କେଉଁଠି ୪୦ ଡିଗ୍ରୀ ଛୁଇଁଲାଣି । ଦିନରେ ଖାଲି ଫ୍ୟାନ୍‌ରେ ବସି ହେଉନି । ଏମିତିରେ ବି ଅଘୋଷିତ ବିଦ୍ୟୁତ୍‌ କାଟ ହେଉଛି । ଏପରି ଅବସ୍ଥାରେ ଦିନରେ ସ୍କୁଲରେ ହନ୍ତସନ୍ତ ହୋଇ ପଡ଼ୁଛନ୍ତି ସରକାରୀ ସ୍କୁଲ ଛାତ୍ରଛାତ୍ରୀ । ମାତ୍ର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସକାଳୁଆ ସ୍କୁଲ କରିବା ବଦଳରେ ଚିରାଚରିତ ଭାବେ ଏପ୍ରିଲ୍‌ ୨କୁ ଅପେକ୍ଷା କରିଛି । ଏପ୍ରିଲ୍‌ ୨ ହେଲେ ହିଁ ସକାଳୁଆ ସ୍କୁଲ କରାଯିବ । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଧ୍ୟାନ ନଦେଇ ବେଫିକର ହୋଇଛି ବିଭାଗ । ଏପରି କହି ଶିକ୍ଷକ, ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏପରିକି ଶିକ୍ଷକ ସଂଗଠନମାନେ ସକାଳୁଆ ସ୍କୁଲ କରିବା ଦାବିରେ ବିଭାଗକୁ ଚିଠି ଲେଖିଛନ୍ତି । ତାତି ୪୦ ଡିଗ୍ରୀ ଛୁଇଁଲାଣି ।

ଏହା ବି ପଢ଼ନ୍ତୁ... ​​​​​​​ଘରୁ ଗ୍ୟାସ ଟାଙ୍କି ଉଠାଇନେଲା ଚୋର, ସିସିଟିଭି କ୍ୟାମେରାରେ ଚୋରିର ଦୃଶ୍ୟ

ଶନିବାର ରାଜ୍ୟର ୨୩ଟି ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା । ଝାରସୁଗୁଡ଼ାରେ ସର୍ବାଧିକ ୪୦.୨ ଡିଗ୍ରୀ, ଟିଟିଲାଗଡ଼ ଓ ସମ୍ବଲପୁରରେ ୪୦ ଡିଗ୍ରୀ ରହିଥିଲା । ଭାବନୀପାଟଣାରେ ୩୯.୮ ଡିଗ୍ରୀ, ହୀରକୁଦରେ ୩୯.୨, ରାଉରକେଲାରେ ୩୯.୧, ସୋନପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ୩୯ ଡିଗ୍ରୀ ଥିଲା । ବାକି ଚାନ୍ଦବାଲି, ଅନୁଗୁଳ, ବାରିପଦା, କେନ୍ଦୁଝରଗଡ଼, ତାଳଚେର, ବଲାଙ୍ଗିର, ଫୁଲବାଣୀ, ମାଲକାନାଗିରି, ନୟାଗଡ଼, ପାରଲାଖେମୁଣ୍ଡି, ଭଦ୍ରକ, ଢେଙ୍କାନାଳ, ବରଗଡ଼, ନୂଆପଡ଼ା, ନବରଙ୍ଗପୁର ଆଦି ସ୍ଥାନରେ ଦିନର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା । ମାତ୍ର ବିଭାଗର ମୁଣ୍ଡରେ ରହିଛି ପ୍ରତିବର୍ଷ ପରି ଏପ୍ରିଲ୍‌ ମାସ ହେଲେ ହିଁ ସକାଳୁଆ ସ୍କୁଲ ହେବ । ସେଣିକି ଯେତେ ଖରା ହେଉଛି ହେଉ । କିନ୍ତୁ ଏପଟେ କୋମଳମତି ଶିଶୁବାଟିକା ପିଲାଙ୍କଠୁ ଆରମ୍ଭ କରି ପ୍ରାଥମିକ ସ୍କୁଲ ପିଲା ଖରାରେ ମଧ୍ୟାହ୍ନରେ ସିଜୁଛନ୍ତି । ଦିନ ୧୧ ବାଜିବା ମାତ୍ରେ କ୍ଲାସରୁମ୍‌ରେ ବସିପାରୁନାହାନ୍ତି । ଗ୍ରାମାଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍‌ କାଟ୍‌ ହେଉଛି । ଫଳରେ ପିଲାମାନେ ହନ୍ତସନ୍ତ ହେଉଛନ୍ତି । ଏପରିକି କୋମଳମତି ଶିଶୁ ଯେଉଁମାନେ ଶିଶୁବାଟିକାରେ ପଢ଼ୁଛନ୍ତି ସେମାନଙ୍କ ଅବସ୍ଥା କ’ଣ ଯେ ହେଉଛି ତାହା ପରିକଳ୍ପନା କରିବା ସମ୍ଭବ ନୁହେଁ ବୋଲି କହିଛନ୍ତି ।

ଅଲ୍‌ ଉତ୍କଳ ପ୍ରାଥମିକ ଟିଚର୍ସ ଫେଡେରେସନ୍‌ ପକ୍ଷରୁ ଗତ ଗୁରୁବାର ଦିନ ଗଣଶିକ୍ଷା ବିଭାଗ ସଚିବଙ୍କ ଉଦ୍ଦେଶ୍ୟରେ ଏସଂପର୍କିତ ଏକ ଚିଠି ଦିଆଯାଇଛି । ଚିଠିରେ ଉଲ୍ଲେଖ କରାଯାଇଛି, ୯ତାରିଖରୁ ୧୩ ତାରିଖ ଯାଏ ପରୀକ୍ଷା ଚାଲିଥିବାରୁ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶ୍ରେଣୀର ପିଲାଙ୍କ ପାଇଁ ସକାଳ ସାଢ଼େ ୬ଟାରୁ ସାଢ଼େ ୧୧ଟା ଯାଏ ସ୍କୁଲ ଖୋଲାଥିଲା । ମାତ୍ର ଏବେଠୁ ଗ୍ରୀଷ୍ମ ପ୍ରଭାବର ସ୍ଥିତି ଏପରି ଅବସ୍ଥାରେ ହେଲାଣି ମଧ୍ୟାହ୍ନରେ ପିଲାଙ୍କ ସ୍କୁଲ କରିବା ସମ୍ଭବ ନୁହେଁ । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟି ରଖି ଗ୍ରୀଷ୍ମ ଅବକାଶ ଯାଏ ସକାଳୁଆ ସ୍କୁଲ କରାଯାଉ । ସେହିପରି ପ୍ରାଥମିକ ଶିକ୍ଷକ ନେତା ବ୍ରହ୍ମାନନ୍ଦ ରାଉତ କହିଛନ୍ତି, ଏନେଇ ଆମେ ବାରମ୍ବାର ସରକାରୀ ଅଧିକାରୀଙ୍କୁ ଭେଟୁଛୁ । ମାତ୍ର ସେମାନେ କହୁଛନ୍ତି ସରକାର କହିଲେ ଆମେ ସକାଳୁଆ ସ୍କୁଲ କରିବୁ ।