ନୂଆଦିଲ୍ଲୀ, ୧୨।୬: ଷ୍ଟାଣ୍ଡ-ଅପ୍ କମେଡିଆନ୍ ପ୍ରଣୀତ ମୋରେଙ୍କ ଶୋ’ରେ ‘୩୭୦ ଟଙ୍କାର ବିରିୟାନୀ’କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏବେ ଉଗ୍ର ରୂପ ନେଇଛି । ଏହି ମାମଲାରେ ଜାତୀୟ ମହିଳା କମିଶନ (NCW) କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ହରିୟାଣାର ଗୁରୁଗ୍ରାମରେ ଆୟୋଜିତ ଏହି କମେଡି ଶୋ’ର ଭାଇରାଲ ଭିଡିଓକୁ ଆଧାର କରି କମିଶନ ହରିୟାଣା ପୁଲିସ ମହାନିର୍ଦ୍ଦେଶକ (DGP) ଙ୍କୁ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ କମେଡିଆନ୍ ପ୍ରଣୀତ ମୋରେ ଏବଂ ୱେବ୍ ଡେଭଲପର ହିମାଂଶୁ ଜାଙ୍ଗଡ଼ାଙ୍କୁ ସମନ ଜାରି କରାଯାଇଛି । ମହିଳା କମିଶନଙ୍କ କହିବା ଅନୁଯାୟୀ, ଏହି ଶୋ’ ସମୟରେ ମହିଳାଙ୍କ ପ୍ରତି ଯୌନ ନିର୍ଯାତନା ଏବଂ ସେମାନଙ୍କ ସହମତି ବିନା ଶାରୀରିକ ସମ୍ପର୍କ ରଖିବା ଭଳି ସମ୍ବେଦନଶୀଳ ବିଷୟକୁ ଥଟ୍ଟା କରିବା ସାଧାରଣ ବୋଲି ଦର୍ଶାଇବାକୁ ଚେଷ୍ଟା କରାଯାଇଛି । ମହିଳାଙ୍କ ସମ୍ମାନ ଏବଂ ବ୍ୟକ୍ତିଗତ ସ୍ୱାଧୀନତାକୁ କ୍ଷୁଣ୍ଣ କରୁଥିବା ଏଭଳି ଆଚରଣକୁ ସମାଜରେ କଦାପି ହାଲୁକା ଭାବେ ନିଆଯାଇପାରିବ ନାହିଁ ।

୭ ଦିନ ମଧ୍ୟରେ ରିପୋର୍ଟ ମାଗିଲେ କମିଶନ:

ଜାତୀୟ ମହିଳା କମିଶନର ଅଧ୍ୟକ୍ଷା ବିଜୟା ରାହାଟକର ହରିୟାଣା ଡିଜିପିଙ୍କୁ ପତ୍ର ଲେଖି ଏହି ମାମଲାରେ ତୁରନ୍ତ ଏବଂ ସମୟସୀମା ମଧ୍ୟରେ ତଦନ୍ତ ଶେଷ କରିବାକୁ କହିଛନ୍ତି । ଏହାସହ ୭ ଦିନ ମଧ୍ୟରେ ଏକ ବିସ୍ତୃତ ‘ଆକ୍ସନ ଟେକନ ରିପୋର୍ଟ’ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଘଟଣାରେ ଭାରତୀୟ ନ୍ୟାୟ ସଂହିତା ଅଧୀନରେ ଏଫ୍ଆଇଆର୍ ରୁଜୁ ହୋଇଛି କି ନାହିଁ ଏବଂ ଆୟୋଜକ ଓ କଳାକାରମାନଙ୍କର ଏଥିରେ କ’ଣ ଭୂମିକା ଥିଲା, ସେ ନେଇ ସ୍ପଷ୍ଟୀକରଣ ମଗାଯାଇଛି ।

ଆପତ୍ତିଜନକ କଣ୍ଟେଣ୍ଟ ଉପରେ ରୋକ୍ ଲଗାଇବାକୁ ପ୍ରଶ୍ନ:

ସାଧାରଣ ମନୋରଞ୍ଜନ ମଞ୍ଚ ଏବଂ ଡିଜିଟାଲ୍ ପ୍ଲାଟଫର୍ମଗୁଡ଼ିକରେ ମହିଳାଙ୍କ ପ୍ରତି ଅପମାନଜନକ, ହିଂସାତ୍ମକ କିମ୍ବା ଆପତ୍ତିଜନକ କଣ୍ଟେଣ୍ଟକୁ ରୋକିବା ପାଇଁ ରାଜ୍ୟ ପୁଲିସ କି ପ୍ରକାର ପଦକ୍ଷେପ ନେଉଛି, ସେ ସମ୍ପର୍କରେ ମଧ୍ୟ କମିଶନ ଜବାବ ମାଗିଛନ୍ତି । ବିବାଦର ମୁଖ୍ୟ ସୂତ୍ରଧାର ପ୍ରଣୀତ ମୋରେ ଏବଂ ହିମାଂଶୁ ଜାଙ୍ଗଡ଼ାଙ୍କୁ ଜୁନ୍ ୨୨ ତାରିଖ ଅପରାହ୍ନ ୪ଟାରେ ମହିଳା କମିଶନଙ୍କ ସମ୍ମୁଖରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନୋଟିସ୍ ଜାରି କରାଯାଇଛି ।

କ’ଣ ଥିଲା ସମ୍ପୂର୍ଣ୍ଣ ବିବାଦ ?

ଏହି ବିବାଦ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଶୋ’ ସମୟରେ ହିମାଂଶୁ ଜାଙ୍ଗଡ଼ା ଜଣେ ଝିଅ ସହ ତାଙ୍କର ସାକ୍ଷାତର କାହାଣୀ ଶୁଣାଇଥିଲେ । ସେ କହିଥିଲେ ଯେ ସେ ଝିଅଟି ପାଇଁ ଚିକେନ୍ ବିରିୟାନୀ ବାବଦରେ ୩୭୦ ଟଙ୍କା ଖର୍ଚ୍ଚ କରିଥିଲେ । ପରେ ଯେତେବେଳେ ଝିଅଟି ତାଙ୍କୁ ଘରେ ଛାଡ଼ିଦେବାକୁ କହିଲା, ସେ ବିରିୟାନୀ ପାଇଁ ଖର୍ଚ୍ଚ ହୋଇଥିବା ଟଙ୍କା ଆଦାୟ କରିବାକୁ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ପ୍ରସ୍ତାବ ଦେଇଥିଲେ । ଏହି ଆପତ୍ତିଜନକ ମନ୍ତବ୍ୟ ଉପରେ କମେଡିଆନ୍ ପ୍ରଣୀତ ମୋରେଙ୍କୁ ହସୁଥିବାର ଦେଖାଯାଇଥିଲା ।

ଚାକିରି ହରାଇଲେ ହିମାଂଶୁ, ମାଗିଲେ କ୍ଷମା:

ସୋସିଆଲ ମିଡିଆରେ ତୀବ୍ର ସମାଲୋଚନା ହେବା ପରେ ପ୍ରଣୀତ ଏବଂ ହିମାଂଶୁ ଦୁହେଁ କ୍ଷମା ପ୍ରାର୍ଥନା କରିଛନ୍ତି । ବିବାଦ ବଢ଼ିବା ପରେ ହିମାଂଶୁ ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟ ଡିଲିଟ୍ କରିଦେଇଛନ୍ତି । ଏହା ସହିତ ଗୁରୁଗ୍ରାମର ଏକ କମ୍ପାନୀ ହିମାଂଶୁଙ୍କ ଏଭଳି ଅଶାଳୀନ ମନ୍ତବ୍ୟ ପାଇଁ ତାଙ୍କୁ ଚାକିରିରୁ ବହିଷ୍କୃତ କରିଦେଇଛି । ସେପଟେ କମିଶନ ସ୍ପଷ୍ଟ କରିଛନ୍ତି ଯେ ମହିଳାଙ୍କ ସମ୍ମାନ ଏବଂ ସହମତି ପ୍ରସଙ୍ଗରେ କୌଣସି ପ୍ରକାର ସାଲିସ୍ ଗ୍ରହଣୀୟ ନୁହେଁ ।

ଆହୁରି ପଢ଼ନ୍ତୁ... Fire Accident: ଭୟଙ୍କର ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ୫ ମହଲା ବିଲ୍ଡିଂ, ଜଳିଗଲେ ୩ ଜଣ