ନୂଆଦିଲ୍ଲୀ,୧୨/୦୬: ଦିଲ୍ଲୀ ମାଲ୍ୟବନଗର ହୋଟେଲ୍ ଅଗ୍ନିକାଣ୍ଡକୁ କିଛି ଦିନ ପୁରୁଛି । ପୁଣି ଏକ ଅଗ୍ନିକାଣ୍ଡ ଘଟିଛି । ଦିଲ୍ଲୀ ତୁଗଲାକାବାଦ ଅଞ୍ଚଳରେ ଆଜି ସକାଳୁ ସକାଳୁ ଏକ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଦିଲ୍ଲୀ ପୁଲିସର ସୂଚନା ଅନୁଯାୟୀ, ଅଗ୍ନିଶମ ସେବା (ଡିଏଫଏସ) କର୍ମଚାରୀ ଏପର୍ଯ୍ୟନ୍ତ ୮ ଜଣଙ୍କୁ ଉଦ୍ଧାର କରିଛନ୍ତି ।

ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ପୁଲିସ ଏବଂ ଅଗ୍ନିଶମ ବାହିନୀ ଦଳ ତୁଗଲକାବାଦର ଷ୍ଟ୍ରିଟ୍ ନମ୍ବର ୧ରେ ଅବସ୍ଥିତ ନୟା ତାରା ଆପାର୍ଟମେଣ୍ଟ ନିକଟରେ ଉପସ୍ଥିତ ଅଛନ୍ତି । ଘଟଣାର ତଦନ୍ତ ଚାଲିଛି । ପ୍ରାଥମିକ ତଦନ୍ତ ଅନୁଯାୟୀ, କୋଠାର ଗ୍ରାଉଣ୍ଡ ଫ୍ଲୋର ପାର୍କିଂ ଅଞ୍ଚଳରେ ପାର୍କିଂ ହୋଇଥିବା ଗାଡ଼ିରୁ ଅଗ୍ନିକାଣ୍ଡ ଘଟିଥିଲା । ସମଗ୍ର କୋଠାରେ ଧୂଆଁ ବ୍ୟାପି ଯାଇଥିଲା, ଯାହା ଫଳରେ ଲୋକମାନେ ଭିତରେ ଫସି ରହିଥିଲେ। ଅଗ୍ନିଶମ ବିଭାଗର ଏଡିଓ ଯଶୋବନ୍ତ ମୀନା କହିଛନ୍ତି ଯେ, ପାର୍କିଂ ସ୍ଥାନରେ ରଖାଯାଇଥିବା ୩ଟି ସ୍କୁଟର, ୨ଟି ମୋଟରସାଇକେଲ ଏବଂ ଗୋଟିଏ ସାଇକେଲରେ ନିଆଁ ଲାଗିଯାଇଥିଲା । ଫଳରେ ନିଆଁ ଏବଂ ଧୂଆଁ ପଞ୍ଚମ ମହଲାକୁ ବ୍ୟାପିଯାଇଥିଲା । ଗ୍ରାଉଣ୍ଡ, ପ୍ରଥମ ଏବଂ ଦ୍ୱିତୀୟ ମହଲା ବେଶୀ କ୍ଷତି ହୋଇଛି ।

ଏହା ବି ପଢନ୍ତୁ...ପୂରା ବରଯାତ୍ରୀଙ୍କୁ ଗିଳି ଦେଇଥିଲା ଗୁମ୍ଫା ! ମଧ୍ୟପ୍ରଦେଶର ଏହି ଗାଁରେ ରହିଛି ଅନେକ ରହସ୍ୟ    

ଜଣେ ସ୍ଥାନୀୟ ବାସିନ୍ଦା ଅଗ୍ନିକାଣ୍ଡର ଭୟଙ୍କର ମୁହୂର୍ତ୍ତଗୁଡ଼ିକ ବର୍ଣ୍ଣନା କରିଛନ୍ତି, କିପରି ପଡ଼ୋଶୀମାନେ ସୁରକ୍ଷା ଗ୍ରୀଲ୍ କାଟି ଫସି ରହିଥିବା ବ୍ୟକ୍ତିମାନଙ୍କୁ ଉଦ୍ଧାର କରିବା ପାଇଁ ଏକତ୍ରିତ ହୋଇଥିଲେ । ସେ କହିଚନ୍ତି, " ଆମେ ରାସ୍ତାର ଠିକ୍ ଆରପଟେ ରହୁ । ଯେତେବେଳେ ଆମେ ଜାଣିଲୁ ଯେ ଏଠାରେ ନିଆଁ ଲାଗିଛି, ଆମେ ତୁରନ୍ତ ଦୌଡ଼ି ଆସିଲୁ । ପଡ଼ୋଶୀ ସାହାଯ୍ୟ ପାଇଁ ଏକାଠି ହୋଇଥିଲେ । ଯେତେବେଳେ ଆମେ ପହଞ୍ଚିଲୁ, ଆମେ ତଳ ମହଲାରେ ଗାଡ଼ି ବିସ୍ଫୋରଣ ହୋଇଥିବାର ଦେଖିଲୁ । ସେଠାରେ ୭ଟି ବାଇକ୍ ଏବଂ ଗୋଟିଏ ସ୍କୁଟର ଥିଲା, ଏବଂ ସେଗୁଡ଼ିକ ସବୁ ପୋଡି ଯାଇଛି । ଆମେ ପାଣି ପକାଇ ନିଆଁ ଲିଭାଇବାରେ ସଫଳ ହେଲୁ। ଆମେ ଲୋକଙ୍କୁ ଉଦ୍ଧାର କରିଥିଲୁ, ଶାଢ଼ି ସାହାଯ୍ୟରେ ସେମାନଙ୍କୁ ତଳକୁ ଆଣିଥିଲୁ । ପଛ ପାଖର ସୁରକ୍ଷା ଗ୍ରୀଲ୍ କାଟି ବାହାରକୁ ଆଣିଥିଲୁ। ମୋଟ ୮ ଜଣ ଆହତ ହୋଇଛନ୍ତି । ଚତୁର୍ଥ ମହଲାରେ ରହୁଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ତାଙ୍କ ନାମ ପଙ୍କଜ । '' 

ଜୁନ୍ ୩ ତାରିଖରେ ମାଲ୍ୟବନଗରରେ ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଥିଲା ।  ଏଥିରେ ୨୧ ଜଣଙ୍କର ମୃତ୍ୟୁ ହୋଇଥିଲା । ସେମାନଙ୍କ ମଧ୍ୟରେ ୧୧ ଜଣ ବିଦେଶୀ ନାଗରିକ ଥିଲେ । ସହୁଠୁ ଦୁଃଖଦ ଥିଲା ଗୁରୁଗ୍ରାମର ଏକ ପରିବାରର ୮ଜଣଙ୍କର ଏହି ଅଗ୍ନିକାଣ୍ଡରେ ମୃତ୍ୟୁ ହୋଇଥିଲା । ସିଏ ବିବେକ ଅଗ୍ରାୱାଲ ଓ ତାଙ୍କ ପରିବାର ଦିଲ୍ଲୀ ହୋଟେଲ୍ ନିଆଁରେ ଆଖି ବୁଜିଥିଲେ ।