ଶିଶିର ସରସ ମେଳା: 8 ଦିନରେ 14କୋଟି ବେପାର

ଭୁବନେଶ୍ବର,12।1(ବୁୟରୋ): ବ୍ୟବସାୟରେ ରେକର୍ଡ କଲା ଶିଶିର ସରସ ମେଳା। ଗତବର୍ଷର ରେକର୍ଡକୁ ଭାଙ୍ଗିଛି। ମେଳାର ପ୍ରଥମ 8 ଦିନରେ ବ୍ୟବସାୟ 14କୋଟି ଟଙ୍କାକୁ ଟପିଛି। ସବୁଠୁ ଅଧିକ ବ୍ୟବସାୟ କରିଛି କେନ୍ଦୁଝରର ପୋଡ଼ା ଚିକେନ ଓ ମଟନ୍ ବିକୁଥିବା ସ୍ବୟଂ ସହାୟକ ଗୋଷ୍ଠୀ। ଜାଗୃତି ମହିଳା ଗୋଷ୍ଠୀ 8 ଦିନରେ 16ଲକ୍ଷ ଟଙ୍କାର ଚିକେନ ଓ ମଟନ ପୋଡ଼ା ବିକିଥିବା ସୂଚନା ମିଳିଛି। ଦେଶର 24ଟି ରାଜ୍ୟରୁ ଆସିଥିବା ଗ୍ରାମୀଣ ଉତ୍ପାଦ ବିକ୍ରି ଏଥର ରେକର୍ଡ ଭାଙ୍ଗିଛି। ଏ ବର୍ଷ ମେଳାରେ 15କୋଟିର ବ୍ୟବସାୟ କରିବାକୁ ଓରମାସ୍ ପକ୍ଷରୁ ଲକ୍ଷ୍ୟ ରଖାଯାଇଥିଲା। ହେଲେ ବ୍ୟବସାୟ ଲକ୍ଷ୍ୟଠୁ ବି ଟପିଯିବ ବୋଲି ଆକଳନ କରାଯାଉଛି। ଶୁକ୍ରବାର 8ମ ଦିନ ଶେଷ ସୁଦ୍ଧା ମେଳାର ବ୍ୟବସାୟ 14କୋଟି 2ଲକ୍ଷ 79ହଜାର 230 ଟଙ୍କା ଛୁଇଁଛି। ଆଉ 3 ଦିନରେ ଏହି ପରିମାଣ 16କୋଟି ଛୁଇଁବ ବୋଲି ଅନୁମାନ କରାଯାଇଛି। ସବୁଠୁ ଅଧିକ ବ୍ୟବସାୟ ହୋଇଛି ଓଡ଼ିଆଣୀ ଷ୍ଟଲ୍ରେ। ସେହିପରି ହାଇଦ୍ରାବାଦୀ ବିରିୟାନି ବିକ୍ରିରେ ରେକର୍ଡ କରିଛି ଅମ୍ବିକା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ। ଏହି ଗୋଷ୍ଠୀର ବ୍ୟବସାୟ 8 ଦିନରେ 9ଲକ୍ଷ 31ହଜାର 689 ଟଙ୍କାରେ ପହଞ୍ଚିଛି। ଏହାବ୍ୟତୀତ ଓଡ଼ିଶା ଖାଦ୍ୟର ଚାହିଦା ବେଶ ଅଧିକ ରହିଛି। ଓଡ଼ିଆଣୀ ଷ୍ଟଲ୍ ବ୍ୟତୀତ ହିମାଚଳ ପ୍ରଦେଶର ଝୋଟ ତିଆରି ପୋଷାକ, କଲମକାରୀ, ଟସର, କାଶ୍ମୀର ପୋଷାକ ପ୍ରତି ଗ୍ରାହକଙ୍କ ଚାହିଦା ଅଧିକ ରହିଛି। ଆଜି ମେଳାର ନବମ ଦିନରେ ମୁଖ୍ୟ ଆକର୍ଷଣ ଥିଲା ଅନନ୍ୟା ଶ୍ରୀତମ ନନ୍ଦଙ୍କ ସଙ୍ଗୀତ। ଗ୍ରାମୀଣ ଉତ୍ପାଦ କିଣିବା ସହ ହଜାର ହଜାର ଶ୍ରୋତା ଅନନ୍ୟାଙ୍କ ସଙ୍ଗୀତ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।