ବଲାଙ୍ଗିର ୦୫/୦୪: କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଲୱେ ଷ୍ଟେସନରୁ ୪୦ଲକ୍ଷ ଟଙ୍କାର ଜବତ ଘଟଣାରେ ତଦନ୍ତ ଆରମ୍ଭ ହୋଇଛି । ଶନିବାର ସକାଳୁ ସମ୍ବଲପୁର ସ୍ଥିତ ଆଞ୍ଚଳିକ ଆୟକର କାର୍ଯ୍ୟାଳୟରୁ ଏକ ତିନିଜଣିଆ ଅଧିକାରୀ ଦଳ ଟିଟିଲାଗଡ଼ ଆସିଛନ୍ତିା ସେମାନେ ଟିଟିଲାଗଡ଼ ଆରପିଏଫ ଥାନାକୁ ଯାଇ  ଟଙ୍କା ସହ ଧରାପଡିଥିବା ପଶ୍ଚିମବଙ୍ଗର ଯୁବକ ପ୍ରଭାତ ସାମୁଏଲ, କେସିଙ୍ଗାର ବ୍ୟବସାୟୀ ଅଜୟ ସୋନୀଙ୍କୁ ଦିନତମାମ ପଚରାଉଚୁରା କରିଥିଲୋ ସକାଳ ସାଢ଼େ ୧୦ଟାରୁ ସଂଧ୍ୟା ୮ଟା ପର୍ଯ୍ୟନ୍ତ ଦୀର୍ଘଦଶ ଘଣ୍ଟା ଧରି ଟିଟକିନିକି ଯାଞ୍ଚ କରିଥିଲା । ପ୍ରଥମେ ଅଟକ ଯୁବକ ପ୍ରଭାତକୁ କିଏ , କାହିଁକି ଏବଂ କେତେ ଟଙ୍କା କାହାକୁ ଦେବାକୁ କହିଥିଲା ବୋଲି ତଥ୍ୟ ସଂଗ୍ରହ କରାଯାଇଥିଲା । ପରେ ବ୍ୟବସାୟୀ ଶ୍ରୀ ସୋନୀଙ୍କୁ ଟଙ୍କାର ଉତ୍ସ ସମ୍ପର୍କରେ ଏବଂ କାହାକୁ ପଠାଯାଉଥିବା ବୋଲି ପଚରାଉଚୁରା କରିଥିଲା । ଅବଶ୍ୟ ବ୍ୟବସାୟୀ ଶ୍ରୀ ସୋନୀଙ୍କ ସମେତ ତାଙ୍କ ଚାଟାର୍ଡ ଆକାଉଣ୍ଟାଣ୍ଟ ମଧ୍ୟ ଉପସ୍ଥିତ ଥିଲେ ।

ଶ୍ରୀ ସୋନୀଙ୍କ କାରବାର ଏବଂ ବିନା କାଗଜପତ୍ରରେ କର୍ମଚାରୀ ହାତରେ ଏତେ ଟଙ୍କା ପଠାଇବାକୁ ନେଇ ନାନା ପ୍ରଶ୍ନ ସୃଷ୍ଟି ହୋଇଛିା ବିଗତ କିଛିଦିନ ହେଲା କ୍ରମାଗତ ଭାବରେ କେସିଙ୍ଗା-ଟିଟିଲାଗଡ଼ ଅଞ୍ଚଳରୁ ଏଭଳି ଲକ୍ଷଲକ୍ଷ ଟଙ୍କା ଜବତ ହେଉଛି । ପୂର୍ବରୁ କେବଳ ଟିଟିଲାଗଡ଼ ଷ୍ଟେସନରୁ ହିଁ ୭୦ଲକ୍ଷ ନଗଦ ଟଙ୍କା ଜବତ ହୋଇଛି । ସେଥିରେ ମଧ୍ୟ କେସିଙ୍ଗା ଲିଙ୍କ୍ ରହିଥିଲା । ତାକୁ ମଧ୍ୟ କେସିଙ୍ଗାରୁ ଅଣାଯାଇଥିଲା ଏବଂ ତାର ସେମିତି କୌଣସି କାଗଜପତ୍ର ନଥିବା କୁହାଯାଇଥିଲା । ଏଥିସହ ଟିଟିଲାଗଡ଼ ଜଙ୍କସନ ଦେଶର ବିଭିନ୍ନ ରାଜ୍ୟକୁ ଯୋଡ଼ୁଥିବାରୁ ଏଠାରୁ ଟିକସ ଫାଙ୍କିବାକୁ କଳାଧନର କୌଣସି ହାୱଲା ନେଟୱର୍କ କାମ କରୁଛି କି ବୋଲି ଏବେ ସନ୍ଦେହ ଦୃଢ଼ିଭୂତ ହେଉଛି । କାରଣ ବିଗତ ଦିନରେ ହାୱଲା ନେଟୱର୍କ ଲିଙ୍କରରେ ବଲାଙ୍ଗିରର ନାଁ ଯୋଡ଼ି ହୋଇସାରିଛି । ତେଣୁ ଏହି ମାମଲାକୁ କେବଳ ଆୟକର ନୁହେଁ ବରଂ ପୁଲିସ ମଧ୍ୟ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୁଏ ।

ଅଧିକ ପଢ଼ନ୍ତୁ :-  ଶ୍ରୀକ୍ଷେତ୍ର ସାହିଯାତ: ସେତୁବନ୍ଧ ପ୍ରତିଷ୍ଠା କଲେ ରାବଣ, ଆଜି ବାଲି ସାହି ଯାତ ଓ ରାବଣ ବଧ

ସୂଚନାଯୋଗ୍ୟ ଯେ, ଗତକାଲି ସଂଧ୍ୟାରେ କେସିଙ୍ଗା ରେଲୱେ ଷ୍ଟେସନରୁ ୪୦ ଲକ୍ଷ ଟଙ୍କା ଜବତ କରିଛିା ଟିଟିଲାଗଡ ରେଲୱେ ପୁଲିସ କୌଣସି ସୂତ୍ରରୁ ଖବର ପାଇ ଜଣେ ଯୁବକ ଗୋଟିଏ ବ୍ୟାଗରେ ଟଙ୍କା ନେଉଥିବା ବେଳେ ଧରାପଡିଥିଲେ । ଟଙ୍କା ନେଉଥିବା ପଶ୍ଚିମବଙ୍ଗର ପ୍ରଭାତ ସାମୁଏଲ ନାମକ ଜଣେ ଯୁବକଙ୍କୁ ଆରପିଏଫ ଅଟକ ରଖିଛି । ଯୁବକଟି କେସିଙ୍ଗା ଅଞ୍ଚଳର ଜଣେ ବ୍ୟବସାୟୀ ଅଜୟ ସୋନି ଠାରୁ ପଇସା ନେଇ ରାୟପୁର ଯାଉଥିବା କହଥିଲେ । ଯାହାପରେ ବ୍ୟବସାୟୀ ଶ୍ରୀ ସୋନୀ ମଧ୍ୟ ତଦନ୍ତ ସ୍କାନରକୁ ଆସିଛନ୍ତି।

ସୋମବାର ହାଜର ହେବେ

ଦିନତମାମ ପଚରାଉଚୁରା କରିବା ପରେ ସଂଧ୍ୟା ପ୍ରାୟ ୮ଟାରେ ଆୟକର ବିଭାଗ ସମ୍ବଲପୁର ଫେରିଯାଇଛି । ହେଲେ ସେମାନେ ତଦନ୍ତ ଏବଂ ଟଙ୍କା ସମ୍ପର୍କରେ କୌଣସି ତଥ୍ୟ ଦେଇନାହାନ୍ତି । ଟଙ୍କା କେଉଁଠୁ ଆସିଲା, କେଉଁଠିକୁ ଯାଉଥିଲା ସେନେଇ ଏବେ ତଦନ୍ତ ଜାରି ରହିଛି । ସୋମବାର ଦିନ ପରବର୍ତ୍ତୀ ହାଜର ହେବେ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।