ପୁରୀ,୦୫/୦୪: ମହାପ୍ରଭୁଙ୍କ ଶ୍ରୀରାମଲୀଳା ଅବସରରେ ରାବଣ ସେତୁବନ୍ଧ ପ୍ରତିଷ୍ଠା କରିଛନ୍ତି । ସାହିଯାତର ସପ୍ତମ ଦିବସ ଶନିବାର ରାତିରେ ବାଲି ସାହି ବାସିନ୍ଦାଙ୍କ ପକ୍ଷରୁ ଏହି ନୀତି ସମ୍ପନ୍ନ ହୋଇଛି । ବାଲି ସାହିର ଆରାଧ୍ୟା ମା’ବାରାହୀଙ୍କୁ ଦର୍ଶନ କରି ଆଜ୍ଞାମାଳ ପାଇବା ପରେ ରାକ୍ଷସ ରାଜା ରାବଣ ପରିଭ୍ରମଣରେ ବାହାରିଥିଲେ । ସେଥିରେ ଶ୍ରୀରାମ, ଶ୍ରୀଲକ୍ଷ୍ମଣ ଓ ହନୁମାନଙ୍କ ଚରିତ୍ର ଥିଲେ । ସାହି ଭ୍ରମଣ ପରେ ଜଗନ୍ନାଥ ବଲ୍ଲଭ ମଠରେ ସେତୁବନ୍ଧ ପ୍ରତିଷ୍ଠା ବିଧି ସମ୍ପନ୍ନ ହୋଇଥିଲା ।

ବାଲିସାହି ଆଖଡ଼ା ତତ୍ତ୍ୱାବଧାନରେ ଡ଼ୁବେଇ ଜାଗାର ନୃସିଂହ ସୁଆର ରାବଣ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । ସାଙ୍ଗରେ ଥିଲେ ଜାଗା ସାଙ୍ଗ ଆଖଡ଼ା କର୍ମକର୍ତ୍ତା ସମେତ ଶତାଧିକ ସାହିଯାତ ପ୍ରେମୀ । ହରିବୋଲ ଧ୍ୱନିରେ କମ୍ପୁଥିଲା ଖଣ୍ଡମଣ୍ଡଳ । ବୀର ବାଦ୍ୟର ତାଳେ ତାଳେ ରାବଣ ତାଙ୍କ ଚିରାଚରିତ ମାର୍ଗରେ ଆଗେଇ ଥିଲେ । ବାଲି ସାହିରୁ ଶୋଭାଯାତ୍ରାରେ ବାହାରି ହରଚଣ୍ଡୀ ସାହି ଓ ଗୌଡ଼ବାଡ଼ ସାହି ଭ୍ରମଣ କରି ମଣିକର୍ଣ୍ଣିକା ସାହି ହୋଇ ଶ୍ରୀମନ୍ଦିର ଦକ୍ଷିଣଦ୍ୱାର ଓ ବଡ଼ଦାଣ୍ଡ ହୋଇ ଜଗନ୍ନାଥ ବଲ୍ଲଭ ମଠରେ ରାବଣ ପହଞ୍ଚିଥିଲେ । ସେଠାରେ ସେତୁ ବନ୍ଧ ପ୍ରତିଷ୍ଠା ନୀତି ସମ୍ପନ୍ନ ହୋଇଥିଲା । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀରାମ ଓ ଲକ୍ଷ୍ମଣ ଶ୍ରୀମନ୍ଦିରରୁ ବାହାରି ଜଗନ୍ନାଥ ବଲ୍ଲଭରେ ବିଜେ ହୋଇଥିଲେ । ନୃତ୍ୟ ପ୍ରଦର୍ଶନ ସହ ରାବଣ ପ୍ରତୀକାତ୍ମକ ସେତୁ ବନ୍ଧରେ ପାଦ ରଖି ପ୍ରତିଷ୍ଠା କରିଥିଲେ ।

ଅଧିକ ପଢ଼ନ୍ତୁ :-  ଶ୍ରୀକ୍ଷେତ୍ର ସାହିଯାତ: ଆଜି ଦୋଳମଣ୍ଡପ ସାହିରୁ ଲଙ୍କାପୋଡ଼ି ନୀତି, ମୁଖ୍ୟ ଚରିତ୍ର ରାବଣ ଓ ହନୁମାନ

ଆଜି ବାଲି ସାହି ଯାତ, ରାବଣ ବଧ

ଆଜି ମହାପ୍ରଭୁଙ୍କ ଶ୍ରୀରାମଲୀଳାର ମହତ୍ତ୍ୱପୂର୍ଣ୍ଣ ଅଂଶ ‘ରାବଣ ବଧ’ ପର୍ବ । ରାବଣ ସକାଳେ ବାଲି ସାହି ଭ୍ରମଣ କରିବେ । ଶ୍ରୀମନ୍ଦିରକୁ ଯାଇ ଆଜ୍ଞାମାଳପ୍ରାପ୍ତ ହେବେ । ରାତିରେ ପୁନଃ ଯାତ୍ରା କରିବେ । ନିକୁମ୍ବିଲା ବଟମୂଳେ ରାବଣ ଯଜ୍ଞ କଲାବେଳେ ହନୁମାନ ଯଜ୍ଞ ଭଙ୍ଗ କରିବେ । ରାବଣ ଭଗବତୀ କୋଟରୁ ସ୍ୱର୍ଗକୁ ନିଶୁଣି ଓ ଶକ୍ତି ହାସଲ କରି ଶ୍ରୀରାମଙ୍କ ସହିତ ଯୁଦ୍ଧ କରିବେ । ଶ୍ରୀରାମଙ୍କ ବାଣରେ ରାବଣର ପ୍ରାଣ ଯିବ । ହରଚଣ୍ଡୀ ସାହି, ଗୌଡ଼ବାଡ଼ ସାହି ଓ ମଣିକର୍ଣ୍ଣିକା ସାହି ପରିଭ୍ରମଣ କରି ଜଗନ୍ନାଥବଲ୍ଲଭରେ ବଧ ନୀତି ହେବ।

ରବିବାର ରାତିରେ ବାଲିସାହିର ଯାତ ବାହାରି ହରଚଣ୍ଡୀ ସାହି ଭ୍ରମଣ କରିବେ । ସାହିଯାତ ପ୍ରାରମ୍ଭରେ ବେଶଭୂଷା ହୋଇ ବାଲିସାହି ଆଖଡ଼ାରୁ ବାହାରିବେ ରାକ୍ଷସ ରାଜା ରାବଣ । ରାବଣ ପଛକୁ ଥିବେ ଭୁଆଷିକଙ୍କ ପଟୁଆର । ବାଲି ସାହିର ଆଠ ମେଳ ତଥା ଜାଗା ସମେତ ବିଭିନ୍ନ ଅନୁଷ୍ଠାନରୁ ବିଭିନ୍ନ ଚରିତ୍ର ବାହାରିବେ । ଖୁଣ୍ଟିଆ ଜାଗା, ହିଞ୍ଜଳ ଜାଗା, ଲୁହାଗଡ଼ ଜାଗା, ଗୁରୁଜଙ୍ଗ ଜାଗା, ପଞ୍ଚୁଆତି ଜାଗା, କାଳିକା କୋଟ, ନାଗା କୋଟ ଓ ଡ଼ୁବେଇ ଜାଗା ମୁଖ୍ୟତଃ ସାହିଯାତରେ ସାମିଲ ହେବେ । ବାଲି ସାହିଆଙ୍କ ସ୍ୱାଗତ କରିବାକୁ ହରଚଣ୍ଡୀ ସାହି ଆଖଡ଼ା ଅଧୀନ ସାହିମାନଙ୍କରେ ସାଜସଜା ହୋଇଥିବ । ନାଗା, ମେଢ଼, ନଶିରା, ସପ୍ତଶିରା ଆଦି ସାଙ୍ଗକୁ ଜାଗା ସାଙ୍ଗମାନେ ପାରମ୍ପରିକ ଖେଳ ପ୍ରଦର୍ଶନ କରିବେ । ଉଭୟ ସାହିର ମୁରବିମାନେ ଭାଇଚାରାର ବନ୍ଧନରେ ବାନ୍ଧି ହୋଇ ଶ୍ରୀକ୍ଷେତ୍ରରେ ଭାଇଚାରାର ବାର୍ତ୍ତା ବାଣ୍ଟିବେ ।