ରୁଚିକା ଆତ୍ମହତ୍ୟା ଘଟଣା : ୨ ଦିନରେ ୧୦୦ରୁ ଅଧିକ ଛାତ୍ରୀଙ୍କ ବୟାନ ରେକର୍ଡ, ୩ ସିନିଅରଙ୍କ ସମ୍ପର୍କରେ ପୁଲିସକୁ ମିଳିଲା ସୁରାକ୍

ଭୁବନେଶ୍ୱର,୦୫/୦୭: ସିନିଅରମାନେ ରୁଚିକା ମହାନ୍ତିଙ୍କୁ କେଉଁ ପ୍ରକାର ରାଗିଂ କରିଥିଲେ? ଏମିତି କ’ଣ ହୋଇଥିଲା ଯେ ରୁଚିକାଙ୍କ ସହିବାର ସୀମା ଟପିଗଲା । ଫଳରେ ସେ ଆତ୍ମହତ୍ୟା ଭଳି ଚରମପନ୍ଥା ବାଛିଲେ ? ୩ ଦିନ ଧରି ତୁମ୍ବିତୋଫାନ ଚାଲିଥିବା ବିଜେବି କଲେଜ ଛାତ୍ରୀ ରୁଚିକାଙ୍କ ଆତ୍ମହତ୍ୟା ଘଟଣାରେ ଏଭଳି କିଛି ପ୍ରଶ୍ନ ସାମ୍ନାକୁ ଆସିଛି । କିନ୍ତୁ ପୁଲିସ ଏଦିଗରେ ଏଯାଏଁ କିଛି ସ୍ପଷ୍ଟ ତଥ୍ୟ ଦେଇପାରିନି ।
୨୦୦୯ରୁ ୨୦୨୧ ମଧ୍ୟରେ ବିଭିନ୍ନ ରାଜ୍ୟରେ ରାଗିଂ ସ୍ଥିତିକୁ ନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ଦର୍ଶାଉଛି, ରାଗିଂରେ ଓଡି଼ଶା ସ୍ଥାନ ଦେଶରେ ଚତୁର୍ଥ । ଏହି ସମୟରେ ମୋଟ ୫୭୯ ରାଗିଂ ଅଭିଯୋଗ ସାମ୍ନାକୁ ଆସିଛି । ବିଶେଷକରି ଇଞ୍ଜିନିୟରିଂ ଓ ମେଡିକାଲ କଲେଜଗୁଡ଼ିକ ରାଗିଂର ଅନ୍ତୁଡ଼ିଶାଳ । ସେଠାରେ ଅତି ହୀନ ଓ ଘୃଣ୍ୟ ପ୍ରକାର ରାଗିଂ ସିନିଅରମାନେ କରନ୍ତି । ଯେଉଁଥିପାଇଁ ଛାତ୍ରଛାତ୍ରୀ ପ୍ରାଣ ହାରିବାକୁ ପଛାଉ ନାହାନ୍ତି । ସମାନ ଢଙ୍ଗର ରାଗିଂର ଶିକାର ହୋଇ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜର ୨ ଜଣ ଛାତ୍ରଛାତ୍ରୀ ୨ ବର୍ଷରେ ପ୍ରାଣ ହରାଇଲେଣି ।
ରୁଚିକାଙ୍କ କ୍ଷେତ୍ରରେ ମଧ୍ୟ ଏଭଳି କିଛି ସାଂଘାତିକ ରାଗିଂ ହୋଇଥିବା ସନ୍ଦେହ କରାଯାଉଛି । ରୁଚିକା ରାଗିଂକୁ ନେଇ ସୁଇସାଇଡ୍ ନୋଟ୍ରେ କିଛି ସ୍ପଷ୍ଟ ସୂଚନା ଦେଇନାହାନ୍ତି । କିନ୍ତୁ ରୁଚିକା ତାଙ୍କ ରୁମ୍ମେଟଙ୍କୁ ଏକ ସିକ୍ରେଟ ଶୁଣାଇବେ ବୋଲି ମୃତ୍ୟୁପୂର୍ବରୁ କହିଥିଲେ । କିନ୍ତୁ ରୁମ୍ମେଟ୍ କଲେଜକୁ କ୍ଲାସ କରିବାକୁ ଯିବାରୁ ଉକ୍ତ ସିକ୍ରେଟ୍ର ରହସ୍ୟ ଫିଟିପାରିଲାନି। ସିନିଅରମାନେ ତାଙ୍କ ସହ କରିଥିବା କୌଣସି ଘୃଣ୍ୟ ରାଗିଂ ସମ୍ପର୍କିତ ଏହି ସିକ୍ରେଟ ଥିଲା କି ? ପରିବାର ଲୋକଙ୍କ କହିବା ମୁତାବକ, ରୁଚିକା ଶାନ୍ତ ସ୍ୱଭାବର ପିଲା ଥିଲେ । ସିନିଅରମାନେ ତାଙ୍କୁ ସାଇକୋ କହି ଚିଡ଼ାଉଥିଲେ । ରୁଚିକାଙ୍କ ଶାନ୍ତ ସ୍ୱଭାବର ଫାଇଦା ଉଠାଇ କେହି ସିନିଅର ତାଙ୍କ ସହ କୌଣସି ଖରାପ କାମ କରିନାହିଁ ତ? ଏସବୁ ଦିଗକୁ ନେଇ ପୁଲିସ ତଦନ୍ତ ଚଳାଇଛି ।
ସ୍ୱତନ୍ତ୍ର ପୁଲିସ ଟିମ୍ ସୋମବାର ମଧ୍ୟ କଲେଜ କ୍ୟାମ୍ପସରେ ପଚରାଉଚରା ଜାରି ରଖିଛି । ଦିନକରେ ପ୍ରାୟ ୩୫ଜଣ ସିନିଅରଙ୍କୁ ଜେରା କରିଛି । ୨ ଦିନ ମଧ୍ୟରେ ସିନିଅର ଓ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ମିଶାଇଲେ, ୧୦୦ରୁ ଅଧିକ ଜଣଙ୍କ ବୟାନ ରେକର୍ଡ କରାଯାଇ ସାରିଛି । ମଙ୍ଗଳବାର ବାକି ସିନିଅରମାନଙ୍କୁ ଜେରା କରାଯିବ । ୨ ଦିନିଆ ଜେରାରୁ ୩ ସିନିଅରଙ୍କ ସମ୍ପର୍କରେ ପୁଲିସକୁ ଅନେକ ସୁରାକ୍ ମିଳିଛି । ସେମାନେ ଯୁକ୍ତ ୩ ଶେଷ ବର୍ଷ ଛାତ୍ରୀ ବୋଲି ପୁଲିସ ଚିହ୍ନଟ କରି ସାରିଛି । କିନ୍ତୁ ରାଗିଂରେ ସମ୍ପୃକ୍ତି ସମ୍ପର୍କରେ ସେମାନଙ୍କ ଭୂମିକାକୁ ନେଇ ପୁଲିସ ବର୍ତ୍ତମାନ କୌଣସି ସ୍ପଷ୍ଟ ସୂଚନା ଦେବାକୁ ପଛଘୁଞ୍ଚା ଦେଉଛି । ସେପଟେ ସୁଇସାଇଡ୍ ନୋଟଟି ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯାଇଛି। ଉକ୍ତ ନୋଟ୍କୁ ରୁଚିକା ଲେଖିଥିଲେ କି ନାହିଁ? ତାହା ରିପୋର୍ଟ ଆସିବା ପରେ ଜଣାପଡ଼ିବ ବୋଲି ପୁଲିସ କହିଛି ।