ଭୁବନେଶ୍ଵର, ୧୯/୦୩ : ଏସସିବି ଅଗ୍ନିକାଣ୍ଡ ଯୋଗୁଁ ରାଜ୍ୟ ରାଜନୀତି ସରଗରମ। ଉଠୁଛି ପଡ଼ୁଛି ବିଧାନସଭା। ବିରୋଧୀଙ୍କ ହଟ୍ଟଗୋଳରେ ଚାଲି ପାରୁନି ଗୃହ। ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡ଼ି ବସିଛନ୍ତି ବିରୋଧୀ। ମନ୍ତ୍ରୀ ଇସ୍ତଫା ନଦେଲେ ଯାଏଁ ଗୃହ ଚଲାଇ ଦେବେନି ବୋଲି ଚରମବାଣୀ ଶୁଣାଇଛନ୍ତି ବିଜେଡି ସଦସ୍ୟ। ସେପଟେ ଗୃହରେ ଅଚଳାବସ୍ଥା ନେଇ ସର୍ବଦଳୀୟ ବୈଠକ କରିଛନ୍ତି ବାଚସ୍ପତି।
ଏସସିବି ପ୍ରସଙ୍ଗରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ, ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ୩ ଦିନ ହେଲା ଗୃହରେ ହଟ୍ଟଗୋଳ ଚାଲିଛି। ମନ୍ତ୍ରୀଙ୍କ ନୀତି ନୈତିକତା ନଥିବାରୁ ସେ ଇସ୍ତଫା ଦେଲେନି। ଏସସିବି ମେଡିକାଲରେ ୧୩ ରୋଗୀ ପୋଡି ମଲେ। ତଳ ତଳିଆ କର୍ମଚାରୀଙ୍କୁ ସସପେଣ୍ଡ୍ କରି ସରକାର ଚୁପ୍ ବସିଲେ। ସ୍ଵାସ୍ଥ୍ୟ ମନ୍ତ୍ରୀ ଇସ୍ତଫା ଦେଇ ନୀତି ନୈତିକତାର ପରିଚୟ ଦିଅନ୍ତୁ। SCB ମେଡିକାଲ ଅଧିକ୍ଷକଙ୍କୁ ଗିରଫ କରନ୍ତୁ। ସ୍ୱାସ୍ଥ୍ୟ ମନ୍ତ୍ରୀ ଇସ୍ତଫା ନଦେବା ଯାଏଁ ବିଜେଡିର ଗୃହରେ ପ୍ରତିବାଦ ଜାରି ରହିବ।
ପ୍ରମିଳାଙ୍କୁ କଡ଼ା କାଉଣ୍ଟର କରିଛନ୍ତି ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ। ସେ କହିଛନ୍ତି ଯେ, ବିଜେଡି ଓ କଂଗ୍ରେସର ବିଧାନସଭା ଚଳାଇ ଦେବାରେ ମାନସିକତା ନାହିଁ। ନିଜ ଦୋଷ ଦୁର୍ବଳତା ଲୁଚାଇବା ପାଇଁ ମିଛ ଡ୍ରାମା କରୁଛନ୍ତି ବିରୋଧୀ। ନବୀନଙ୍କ ଫାଉଣ୍ଡେସନ ଲୁଚାଇବା ପାଇଁ ଏହା ମିଛ ସୁଆଙ୍ଗ। ଆଜି ମୁଲତବୀ ପ୍ରସ୍ତାବରେ ସ୍ଵାସ୍ଥ୍ୟ ମନ୍ତ୍ରୀ ଉତ୍ତର ରଖିଥାନ୍ତେ। ଏସସିବି ଘଟଣାରେ ୪ ଜଣଙ୍କୁ ନିଲମ୍ଵନ କରାଯାଇଛି। ମୃତକଙ୍କ ପାଇଁ ସରକାରଙ୍କ ଯଥେଷ୍ଟ ସମବେଦନା ଅଛି।
ଏହି ଖବରଟିକୁ ପଢନ୍ତୁ- CPET ପରୀକ୍ଷା ଆବେଦନ ପାଇଁ ସମୟସୀମା ବୃଦ୍ଧି, ମାର୍ଚ୍ଚ ୨୨ ଯାଏ କରିପାରିବେ ଆବେଦନ