ମସ୍କୋ,୧୪।୯: ରୁଷ ପୁଣିଥରେ ସାରା ବିଶ୍ବକୁ ଦେଖାଇଲା ନିଜର ସାମରିକ ଶକ୍ତି। ସବୁଠାରୁ ଘାତ ହତିଆର ମଧ୍ୟରୁ ଅନ୍ୟତମ ଜିରକନ୍ ମିସାଇଲ କଲା ସଫଳ ଟେଷ୍ଟି। ବାରେଣ୍ଟସ୍ ସାଗରରେ ଜିରକନ୍ ହାଇପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଛି ଏହି ମିସାଇଲ ଶବ୍ଦର ଗତିଠାରୁ ୯ ଗୁଣା ଅଧିକ , ଯାହାକୁ ଶତ୍ରୁପକ୍ଷ ରୋକିବା ପ୍ରାୟ ଅସମ୍ଭବ। ଏହି ମିସାଇଲ ଯେ କୌଣସି ଦେଶର ନକ୍ସା ବଦଳାଇବାର କ୍ଷମତା ରଖିଥାଏ। ରବିବାର ରୁଷ ସେନା କହିଛି ଯେ ପରୀକ୍ଷଣ ସମୟରେ ଜିରକନ୍ ସଫଳତାର ସହ ଲକ୍ଷ୍ୟସ୍ଥଳକୁ ଟାର୍ଗେଟ କରିଥିଲା। ବେଲାରୁଷ ସହିତ ମିଳିତ ସାମରିକ ଅଭ୍ୟାସର ଅଂଶ ଭାବରେ ରୁଷ ସୁଖୋଇ Su-34 ସୁପରସୋନିକ୍ ଫାଇଟର ବୋମାବର୍ଷକ ବିମାନ ସହିତ ଆକ୍ରମଣ ଅଭ୍ୟାସ ମଧ୍ୟ କରିଛି। ରୁଷର ଏହି ପରୀକ୍ଷଣ ୟୁକ୍ରେନ୍ ଏବଂ ଆମେରିକାର ଉତ୍ତେଜନାକୁ ବୃଦ୍ଧି କରିପାରେ।
ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧିକାରୀ ଆଡମିରାଲ୍ ଗୋଲୋଭକୋ ଫ୍ରିଗେଟ୍ ବାରେଣ୍ଟସ୍ ସାଗରରେ ଜିରକନ୍ ହାଇପରସୋନିକ୍ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କରୁଥିବାର ଫୁଟେଜ୍ ଜାରି କରିଛନ୍ତି। ରୁଷରେ 3M22 ଜିରକନ୍ ଏବଂ ନାଟୋ ଦେଶରେ SS-N-33 ନାମରେ ଜଣାଶୁଣା, ଏହି କ୍ଷେପଣାସ୍ତ୍ରର ରେଞ୍ଜ ୪୦୦କିଲୋମିଟରରୁ ୧୦୦ କିଲୋମିଟର ପର୍ଯ୍ୟନ୍ତ ରହିଛି। ଏହାର ଯୁଦ୍ଧାସ୍ତ୍ର ବହନର କ୍ଷମତା ପ୍ରାୟ ୩୦୦-୪୦୦ କିଲୋଗ୍ରାମ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୨୦୧୯ ରେ କହିଥିଲେ, ଜିରକନର ଗତି ଶବ୍ଦର ବେଗ ଅପେକ୍ଷା ନଅ ଗୁଣ ଅଧିକ। ଏହା ସମୁଦ୍ରରେ ଏବଂ ସ୍ଥଳଭାଗରେ ୧୦୦୦ କିଲୋମିଟର (୬୦୦ମାଇଲ) ରୁ ଅଧିକ ଦୂରତାରେ ଲକ୍ଷ୍ୟଭେଦ କରିପାରିବ।
ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ରୁଷ ଏବଂ ବେଲାରୁଷ ମଧ୍ୟରେ ଅଭ୍ୟାସ ସେପ୍ଟେମ୍ବର ୧୨ ରେ ଆରମ୍ଭ ହୋଇଥିଲା। ଏହାର ଲକ୍ଷ୍ୟ ହେଉଛି ରୁଷ କିମ୍ବା ବେଲାରୁଷ ଉପରେ ଆକ୍ରମଣ ହେଲେ ସାମରିକ କମାଣ୍ଡ ଏବଂ ସମନ୍ୱୟକୁ ଉନ୍ନତ କରିବା। ରୁଷ ମଧ୍ୟ ଓନିକ୍ସ କ୍ରୁଜ୍ କ୍ଷେପଣାସ୍ତ୍ରର ଏକ ଉନ୍ନତ ସଂସ୍କରଣ ପରୀକ୍ଷଣ କରିଛି। ରୁଷର ପ୍ରଶାନ୍ତ ମହାସାଗରୀୟ ନୌସେନା କୁରିଲ୍ ଦ୍ୱୀପପୁଞ୍ଜରେ ୩୫୦କିଲୋମିଟର ଦୂରରେ ଥିବା ଲକ୍ଷ୍ୟସ୍ଥଳରେ ବାଷ୍ଟନ୍ ସିଷ୍ଟମରୁ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଓନିକ୍ସ ହେଉଛି ସହି ମିସାଇଲ, ଯାହା ଉପରେ ଭାରତର ବ୍ରହ୍ମୋସ୍ ଆଧାରିତ । ଓନିକ୍ସକୁ ସ୍ଥଳଭାଗ, ଜାହାଜ, ବୁଡ଼ାଜାହାଜ କିମ୍ବା ବିମାନରୁ ନିକ୍ଷେପ କରାଯାଇପାରିବ।