"ଆମେ ଯୁଦ୍ଧର ଅନ୍ତ ଚାହୁଁଛୁ, ୟୁକ୍ରେନ୍ ନୁହେଁ"

"ଆମେ ବହୁତ କ୍ଳାନ୍ତ" ଏହାର ଅର୍ଥ ଆତ୍ମସମର୍ପଣ ନୁହେଁ...

"ଯିଏ ଏପରି ଭାବୁଛି ସେ ଏକ ଗୁରୁତର ଭୁଲ କରୁଛନ୍ତି।"

ନୂଆଦିଲ୍ଲୀ : ନୂଆ ବର୍ଷରେ ନରମତା ଦେଖାଇଲେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର୍ ଜେଲେନ୍ସକି । ରୁଷ ୟୁକ୍ରେନ ଯୁଦ୍ଧକୁ ନେଇ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ଜେଲେନସ୍କି । ନୂତନ ବର୍ଷର ଅଭିଭାଷଣରେ କହିଛନ୍ତି ଯେ, ମୁଁ ୟୁକ୍ରେନ୍ ଯୁଦ୍ଧ ଶେଷ କରିବାକୁ ଚାହୁଁଛି, କିନ୍ତୁ ଏପରି କୌଣସି ଶାନ୍ତି ବୁଝାମଣାକୁ ସ୍ବିକାର କରିବି ନାହିଁ, ଯାହା ୟୁକ୍ରେନର ସାର୍ବଭୌମତ୍ୱକୁ ଦୁର୍ବଳ କରୁଥିବ। ସେ ଜୋର ଦେଇ କହିଛନ୍ତି ଯେ, ସେ ଦୁର୍ବଳ କିମ୍ବା କ୍ଷଣସ୍ଥାୟୀ ବୋଲି ବିଚାର କରୁଥିବା ଯେକୌଣସି ଚୁକ୍ତିନାମାକୁ ପ୍ରତ୍ୟାଖ୍ୟାନ କରିବେ।

ଜେଲେନ୍ସକି କ’ଣ କହିଛନ୍ତି ?

ବୁଧବାର ବିଳମ୍ବିତ ରାତିରେ ତାଙ୍କ କାର୍ଯ୍ୟାଳୟରୁ ୨୧ ମିନିଟର ଏକ ଭାଷଣର ଅଡିଓ କ୍ଲିପ ଜାରି କରାଯାଇଛି, ଯେଉଁଥିରେ ୟୁକ୍ରେନ ଜନସାଧାରଣଙ୍କ ଭିତରେ ବଢୁଥିବା ପାଖାପାଖି ୪ ବର୍ଷର କ୍ଲାନ୍ତିକୁ ସ୍ବିକାର କରିଛନ୍ତି। ତଥାପି, ସେ କହିଛନ୍ତି ଯେ ଏହି କ୍ଳାନ୍ତିକୁ ପରାଜୟ ବୋଲି ଭୁଲ୍ ମନେ କରାଯିବା ଉଚିତ୍ ନୁହେଁ। "ୟୁକ୍ରେନ୍ ଶାନ୍ତି ଚାହୁଁଛି, କିନ୍ତୁ କୌଣସି ମୂଲ୍ୟରେ ନୁହେଁ। ଆମେ ଯୁଦ୍ଧର ଅନ୍ତ ଚାହୁଁଛୁ, ୟୁକ୍ରେନ୍ ନୁହେଁ।" ସେ ଆହୁରି କହିଛନ୍ତି, "ଆମେ ବହୁତ କ୍ଳାନ୍ତ। ଏହାର ଅର୍ଥ କ’ଣ ଆମେ ଆତ୍ମସମର୍ପଣ କରିବାକୁ ପ୍ରସ୍ତୁତ ?" ଯିଏ ଏପରି ଭାବୁଛି ସେ ଏକ ଗୁରୁତର ଭୁଲ କରୁଛନ୍ତି।"

ଚୂଡ଼ାନ୍ତ ପର୍ଯ୍ୟାୟରେ ଚୁକ୍ତିନାମା

ରାଷ୍ଟ୍ରପତି କହିଛନ୍ତି କି, ଆମେରିକା ନେତୃତ୍ୱରେ ସାମ୍ପ୍ରତିକ କୂଟନୈତିକ ପ୍ରୟାସ ଆଲୋଚନାକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇଛି, ଯେଉଁଥିରେ ଗତ ସପ୍ତାହରେ ଫ୍ଲୋରିଡାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଆଲୋଚନା ମଧ୍ୟ ସାମିଲ ଅଛି। ସେ କହିଛନ୍ତି, "ଶାନ୍ତି ଚୁକ୍ତିନାମା ୯୦ ପ୍ରତିଶତ ପ୍ରସ୍ତୁତ, କେବଳ ୧୦ ପ୍ରତିଶତ ବାକି ଅଛି। ସେହି ୧୦ ପ୍ରତିଶତରେ ସବୁକିଛି ଅନ୍ତର୍ଭୁକ୍ତ। ଏହା ହେଉଛି ସେହି ଅଂଶ ଯାହା ଶାନ୍ତି, ୟୁକ୍ରେନ ଏବଂ ୟୁରୋପର ଭବିଷ୍ୟତ ନିର୍ଣ୍ଣୟ କରିବ।" ଏହି ସମ୍ବୋଧନ ଏପରି ସମୟରେ ଆସିଛି ଯେତେବେଳେ ଆମେରିକା ଏବଂ ଏହାର ସହଯୋଗୀ ମାନେ ଏକ ସମାଧାନ ପାଇଁ ପ୍ରୟାସକୁ ତୀବ୍ର କରିଛନ୍ତି। ରୁଷ ଏବେ ବି ୟୁକ୍ରେନର ପ୍ରାୟ ୨୦ ପ୍ରତିଶତ ଅଞ୍ଚଳକୁ ନିୟନ୍ତ୍ରଣ କରି ସାରିଛି ଏବଂ ଯେକୌଣସି ଚୁକ୍ତିର ଅଂଶ ଭାବରେ ପୂର୍ବ ଡୋନବାସ ଅଞ୍ଚଳର ପୂର୍ଣ୍ଣ ନିୟନ୍ତ୍ରଣ ଚାହୁଁଛି।

ଏପରି ସ୍ଥିତିରେ କ’ଣ କହୁଛି ରୁଷ ?

ଏହି ସମୟରେ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କ ନୂତନ ବର୍ଷର ପୂର୍ବ ସନ୍ଧ୍ୟାରେ ଭାଷଣରେ ସୈନିକ ମାନଙ୍କୁ "ହିରୋ" ବୋଲି କହିଥିଲେ ଏବଂ ବିଜୟରେ ବିଶ୍ୱାସ ରଖିବାକୁ ରୁଷୀୟ ମାନଙ୍କୁ ଆହ୍ବାନ କରିଥିଲେ। "ଆମେ ତୁମ ଉପରେ ଏବଂ ଆମର ବିଜୟରେ ବିଶ୍ୱାସ କରୁ," ବୋଲି ସେ କହିଛନ୍ତି ।