ୟୁକ୍ରେନ୍ ଉପରେ ବଢିଲା ପରମାଣୁ ଯୁଦ୍ଧର ଆଶଙ୍କା : ବେଲାରୁଷରେ ଋଷ ମୁତୟନ କରିବ ଅସ୍ତ୍ର, ତିନି ନାଟୋ ଦେଶର ବଢିଲା ସମସ୍ୟା

ମସ୍କୋ,୨୬।୫: ୟୁକ୍ରେନ୍ ଓ ଋଷ ଭିତରେ ଯୁଦ୍ଧର ପ୍ରାୟ ଦେଢ ବର୍ଷ ବିତି ସାରିଛି, କିନ୍ତୁ କୌଣସି ସମାଧାନ ନହେବା ବଦଳରେ ଶକ୍ତି ପ୍ରଦର୍ଶନ ଜାରି ରହିଛି। ଗୋଟିଏ ପଟେ ଫିନଲାଣ୍ଡ ଭଳି ଋଷର ସୀମାକୁ ଲାଗିଥିବା ଦେଶକୁ ନାଟୋରେ ଏଣ୍ଟ୍ରି ମିଳିଛି ତ ସେଭଳି ୟୁକ୍ରେନ୍କୁ ଆମେରିକା, ଜର୍ମାନୀ ଭଳି ଦେଶ ଅସ୍ତ୍ର ଯୋଗାଉଛି। ଏହା ଭିତରେ ଋଷ ଯୁଦ୍ଧରେ ଆଉ ଏକ ପାଦ ବଢି ବେଲାରୁଷ ସହିତ ଚୁକ୍ତି କରିଛି ଓ ଆଗାମୀ ଏକ ମାସ ଭିତରେ ଏହି କାମ ପୁରା ହୋଇପାରେ।
ଋଷ ଓ ବେଲାରୁଷ ତିନୋଟି ନାଟୋ ଦେଶ ସହିତ ନିଜର ସୀମା ସେୟାର କରିଛି। ଏଭଳି ସ୍ଥିତିରେ ଦୁଇ ପକ୍ଷ ସୀମାରେ ପରମାଣୁ ଅସ୍ତ୍ରର ମୁତୟନ କରିବା ଦ୍ବାରା ବିବାଦ ବଢିବ। ବେଲାରୁଷକୁ ନିଜ ସମକକ୍ଷ ସହ ସାକ୍ଷାତ ବେଳେ ଋଷ ପ୍ରତିରକ୍ଷା ମନ୍ତ୍ରୀ ସେରଗେ ଶୋଇଗୁ କହିଛନ୍ତି, ପାଶ୍ଚାତ୍ୟ ଦେଶ ସାମୁହିକ ରୂପରେ ଏକଜୁଟ୍ ହୋଇ ଋଷ ଓ ଏହାର ମିତ୍ର ଦେଶ ବିରୋଧରେ ଅଘୋଷିତ ଯୁଦ୍ଧ ଆରମ୍ଭ କରିଛନ୍ତି।’ ସେ କହିଛନ୍ତି, ପାଶ୍ଚାତ୍ୟ ଦେଶର ପୁରା ଚେଷ୍ଟା ଯେ, ୟୁକ୍ରେନ ସହିତ ଯୁଦ୍ଧକୁ ଲମ୍ବା ସମୟ ପର୍ଯ୍ୟନ୍ତ ବଜାୟ ରଖାଯାଉ। ସେ କହିଛନ୍ତି, ଆମେ ବେଲାରୁଷ ସହିତ ଚୁକ୍ତି କରିଛୁ। ଏହା ଅନୁସାରେ ଏକ ନିଶ୍ଚିତ ସ୍ଥାନରେ ପରମାଣୁ ଅସ୍ତ୍ର ମୁତୟନ କରାଯିବ।
ଶୋଇଗୁ କହିଛନ୍ତି ଇସ୍କଦର-ଏମ୍- ମିସାଇଲକୁ ବୋଲାରୁଷକୁ ଦିଆଯାଇଛି। ଏହି ମିସାଇଲ କୌଣସି ସ୍ଥାନରେ ରଖାଯିବ। ଏହାର ବିଶେଷ୍ବତ ହେଉଛି ଏହା ମାଧ୍ୟମରେ ପରମ୍ପରାଗତ ଅସ୍ତ୍ର ବ୍ୟତୀତ ପରମାଣୁ ଅସ୍ତ୍ରକୁ ମଧ୍ୟ ନିଆଯାଇପାରେ। ୧୯୯୧ ପରେ ଏହା ପ୍ରଥମ ଘଟଣା, ଯେତେବେଳେ ଋଷ ଦେଶ ବାହାରେ ନିଜର ପରମାଣୁ ଅସ୍ତ୍ର ମୁତୟନ କରିବାର ନିଷ୍ପତ୍ତି ନେଇଛି। ଉଲ୍ଲେଖନୀୟ ଯେ, ଋଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ୍ ବହୁବାର ଦୋହରାଇ ସାରିଛନ୍ତି ଯେ, ଆମ ପାଖରେ ଯଦି କୌଣସି ପରମାଣୁ ଅସ୍ତ୍ର ରହିଛି ତେବେ ଆମେ ନିଜର ଅସ୍ତିତ୍ବ ପାଇଁ ଏହାର ବ୍ୟବହାର କରିପାରିବ।
ବେଲାରୁଷ ତିନୋଟି ନାଟୋ ଦେଶକୁ ନିଜର ସୀମା ସେୟାର କରୁଛି ଓ ଋଷର ଖୁବ୍ ନିକଟତର ଦେଶ। ଏଭଳି ସ୍ଥିତିରେ ବେଲାରୁଷରେ ଅସ୍ତ୍ରର ମୁତୟନ ନାଟୋ ଦେଶର ଚିନ୍ତା ବଢାଇ ଦେବ। ଉଲ୍ଲେଖନୀୟ ଯେ, ଋଷ ନିଜର ପ୍ରାୟ ଅଢେଇ ହଜାର କିଲୋମିଟର ସୀମା ନାଟେ ଦେଶ ସହିତ ସେୟାର କରିଥାଏ। ପୋଲାଣ୍ଡୋ, ଲିଥୁଆନିଆ, ଲାଟଭିୟା, ଏଷ୍ଟୋନିଆ ଭଳି ଦେଶ ସହିତ ଋଷ ସୀମା ଲାଗିକି ରହିଛି, ଯାହାକି ନାଟେର ସଦସ୍ୟ ରାଷ୍ଟ୍ର। ନିକଟରେ ଫିନଲାଣ୍ଡ ମଧ୍ୟ ନାଟୋର ସଦସ୍ୟତା ଗ୍ରହଣ କରିଥିଲା।