ନୂଆଦିଲ୍ଲୀ ୨୩/୦୫: ‘ଆଜି ହେଉଛି ୨୦୨୬ ମସିହା ମେ ୨୦ ତାରିଖ । ବର୍ତ୍ତମାନ ନେପାଳର ସମୟ ଅନୁସାରେ ସକାଳ ୮.୧୬ ମିନିଟ୍ ହୋଇଛି । ପର୍ବତାରୋହଣର ଇତିହାସରେ ଆଜି ପ୍ରଥମ ଥର ପାଇଁ ମୁଁ ରୁସ୍ତମ ନାବିଏଭ ହାତ ସାହାଯ୍ୟରେ ଏଭରେଷ୍ଟ ଶିଖରରେ ପହଞ୍ଚିଛି । ଏହି ଅନନ୍ୟ ଉପଲବ୍ଧିକୁ ମୋତେ ଦେଖୁଥିବା ସମସ୍ତଙ୍କୁ ଉତ୍ସର୍ଗ କରୁଛି । ଉଦ୍ଦେଶ୍ୟ ଅତି ସାଧାରଣ । ଯେବେ ଯାଏ ଆପଣଙ୍କ ମଧ୍ୟରେ ଜୀବନ ଅଛି, ଦୟାକରି ଲଢ଼ନ୍ତୁ । ଶେଷ ଯାଏ ଲଢ଼ନ୍ତୁ । ସେହି ଲଢ଼ିବାର ଅନେକ ମୂଲ୍ୟ ଅଛି ।’ ନିକଟରେ ହାତ ସାହାଯ୍ୟରେ ଏଭରେଷ୍ଟ ଆରୋହଣ କରିବା ପରେ ରୁଷ୍ର ପର୍ବତାରୋହୀ ରୁସ୍ତମ ନାବିଏଭ ଇନ୍ଷ୍ଟାଗ୍ରାମରେ ଏକ ଭିଡିଓ ସହ ଏହି ଭାବପ୍ରବଣ ବାର୍ତ୍ତାକୁ ପୋଷ୍ଟ କରିଥିଲେ । ଏହାପରେ ତାଙ୍କର ପ୍ରେରଣାପ୍ରଦ କାହାଣୀ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ପରିସ୍ଥିତି ଆଗରେ ମୁଣ୍ଡ ନ ନୁଆଁଇ ସେ ଯେପରି ନିଜର ସଫଳତାର କାହାଣୀକୁ ଲେଖିଛନ୍ତି ସେଥିଲାଗି ଅନେକ ତାଙ୍କୁ ଶୁଭକାମନା ଜଣାଇଛନ୍ତି ।
ରୁସ୍ତମ ନାବିଏଭ ରୁଷ୍ ସେନାରେ ପାରାଟ୍ରୁପର ଭାବେ କାର୍ଯ୍ୟ କରୁଥିଲେ । ୨୦୧୫ର ଏକ ଦୁର୍ଘଟଣା ତାଙ୍କ ଜୀବନକୁ ବଦଳାଇଦେଲା । ସେ ଶୋଇଥିବାବେଳେ ତାଙ୍କ ବାରାକ୍ର ବିଲ୍ଡିଂ ଭୁଶୁଡ଼ି ପଡିଲା । ସେହି ଦୁର୍ଘଟଣାରେ ଅନେକ ସୈନିକ ପ୍ରାଣ ହରାଇଥିଲେ । ସୌଭାଗ୍ୟକୁ ବର୍ତ୍ତିଗଲେ ନାବିଏଭ । କିନ୍ତୁ ତାଙ୍କୁ ଦୁଇ ଗୋଡ଼ ହରାଇବାକୁ ପଡିଲା । ଏହାସତ୍ତେ୍ୱ ସେ ହାର ମାନିଲେ ନାହିଁ । ବରଂ ନିଜକୁ ଆହୁରି ମଜଭୁତ କରିବାକୁ ଦୃଢ଼ ସଂକଳ୍ପ ନେଲେ । ପର୍ବତାରୋହଣ ଲାଗି ଏକଦା ଦେଖିଥିବା ସ୍ୱପ୍ନକୁ ପୂରା କରିବାକୁ ଚିନ୍ତା କଲେ । ସେଥିଲାଗି ଦୁଇହାତରେ ପାହାଡ଼ ଚଢ଼ା ଅଭ୍ୟାସ କଲେ । ପ୍ରଥମେ ସେ ମାଉଣ୍ଟ ଏଲବ୍ରଶ, ମାଉଣ୍ଟ ମନାସ୍ଲୁ ଭଳି ଛୋଟ ପାହାଡ଼ ଆରୋହଣ କଲେ । ସେଥିଯୋଗୁ ତାଙ୍କର ଆତ୍ମବିଶ୍ୱାସ ବଢ଼ିଗଲା । ଚଳିତବର୍ଷ ଆହୁରି ବଡ଼ ସ୍ୱପ୍ନ ଏଭରେଷ୍ଟ ଆରୋହଣ ଲାଗି ସେ ନେପାଳରେ ପହଞ୍ଚିଲେ । ପୂରା ଏପ୍ରିଲ ମାସ ଏବଂ ମେ ମାସର ଅଧା ଯାଏ ଏଥିଲାଗି ତାଙ୍କର ଜୋରଦାର ପ୍ରସ୍ତୁତି ଚାଲିଲା । ଶେଷରେ ମେ ୨୦ରେ ନିଜର ୩୪ତମ ଜନ୍ମଦିନରେ ସେ ହାତ ସାହାଯ୍ୟରେ ଏଭରେଷ୍ଟ ଶିଖରରେ ପହଞ୍ଚି ରେକର୍ଡ ସ୍ଥାପନ କରିଛନ୍ତି ।
ତାଙ୍କର ଜଣେ ପ୍ରଶିକ୍ଷକ କହିଛନ୍ତି, ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଯେଉଁମାନେ ସ୍ୱପ୍ନ ଦେଖିବାକୁ ସାହସ କରନ୍ତି ସେମାନଙ୍କୁ କୌଣସି ବାଧାବିଘ୍ନ ଅଟକାଇ ପାରେନାହିଁ । ଏପରିକି ବିଶ୍ୱର ସର୍ବୋଚ୍ଚ ପର୍ବତଶୃଙ୍ଗ ଆରୋହଣ ଲାଗି ଗୋଡ଼ର ଅଭାବ ବି ପ୍ରଭାବହୀନ ହୋଇଯାଏ । ରୁସ୍ତମ ନାବିଏଭଙ୍କ କ୍ଷେତ୍ରରେ ଏହି କଥା ସତ୍ୟରେ ପରିଣତ ହୋଇଛି । ପ୍ରତିବର୍ଷ ଶହ ଶହ ପର୍ବତାରୋହୀ ଏଭରେଷ୍ଟ ଶିଖରରେ ପହଞ୍ଚିଥାନ୍ତି । ବୁଧବାର ସେହି ତାଲିକାରେ ନାବିଏଭଙ୍କ ନାମ ସାମିଲ ହୋଇଛି । ହାତ ସାହାଯ୍ୟରେ ଏଭରେଷ୍ଟ ଆରୋହଣ କରିଥିବା ନାବିଏଭ୍ଙ୍କ କଷ୍ଟସାଧ୍ୟ ଯାତ୍ରା, ଅସମ୍ଭବକୁ ସମ୍ଭବ କରିବାର ମାନସିକତା ଏବେ ପୂରା ବିଶ୍ୱକୁ ଚକିତ କରିଛି ।
ଆହୁରି ପଢ଼ନ୍ତୁ...ଗୋପନ ବିବାହକୁ ଖଣ୍ଡନ କଲେ କଙ୍ଗନା, କହିଲେ-‘ମୁଁ ଏମିତି କେବେ ବିବାହ କରିବିନି’