ନୂଆଦିଲ୍ଲୀ ୨୩/୦୫: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ ଅଧିକାଂଶ ସମୟରେ ନିଜର ବୟାନ ଲାଗି ଚର୍ଚ୍ଚାରେ ରହିଥାନ୍ତି । ତେବେ ବିଗତ କିଛି ଘଣ୍ଟା ହେଲା ସେ ଏକ ଭିନ୍ନ କାରଣରୁ ଟ୍ରେଣ୍ଡ କରୁଛନ୍ତି । ଶୁକ୍ରବାର ସେ ମଙ୍ଗଳସୂତ୍ର ପିନ୍ଧିଥିବାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିଲା । ଏହାପରେ ତାଙ୍କର ବିବାହ ଚର୍ଚ୍ଚା ଜୋର ଧରିଥିଲା । ଭିଡିଓରେ କଙ୍ଗନା ଏକ ସାଧାରଣ ପାରମ୍ପରିକ କୁର୍ତ୍ତା ପିନ୍ଧିଥିବାବେଳେ ମଥାରେ ବିନ୍ଦି, ହାତରେ ସବୁଜ ରଙ୍ଗର ଚୁଡ଼ି ପିନ୍ଧିଥିଲେ । ବେକରେ ମଙ୍ଗଳସୂତ୍ର ପକାଇଥିଲେ । ଏହା ଦେଖିବା ପରେ ଅନେକ ପ୍ରଶଂସକ ସେ ଗୋପନରେ ବିବାହ କରିଥିବା ଧରି ନେଇଥିଲେ । ଏପରିକି ତାଙ୍କ ସ୍ୱାମୀଙ୍କ ସଂପର୍କରେ ଜାଣିବାକୁ ଇଣ୍ଟରନେଟ୍‌ରେ ସର୍ଚ୍ଚ ଆରମ୍ଭ ହୋଇଯାଇଥିଲା । ତେଣୁ ବାଧ୍ୟହୋଇ କଙ୍ଗନା ସ୍ପଷ୍ଟୀକରଣ ରଖିଛନ୍ତି ।

ଇନ୍‌ଷ୍ଟାଗ୍ରାମରେ ଏକ ଷ୍ଟୋରି ପୋଷ୍ଟ କରି ସେ କହିଛନ୍ତି, କଳାକାର ମାନେ ବିଭିନ୍ନ ପ୍ରକାର ଚରିତ୍ରରେ ଅଭିନୟ କରିଥାନ୍ତି । ସେ ଏବେ ଫିଲ୍ମ ସୁଟିଂ ଲାଗି ବହୁ ସ୍ଥାନରେ ବୁଲୁଛନ୍ତି । କେହି ଜଣେ ମେକଅପ୍‌ରେ ଥିବା ଅବସ୍ଥାରେ ତାଙ୍କର ଏହି ଫଟୋ ଉଠାଇ ତାକୁ ପୋଷ୍ଟ କରିଦେଇଛନ୍ତି । ସେଥିଯୋଗୁ ତାଙ୍କୁ ଅନେକ ସଂଖ୍ୟାରେ ଫୋନ୍ ଆସିଲାଣି । ଏଥିସହ ସେ ଗୋପନ ଭାବେ କେବେହେଲେ ବିବାହ କରିବେ ନାହିଁ ବୋଲି ପ୍ରଂଶସକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଯଦିଓ ଭାଇରାଲ୍ ହେଉଥିବା ଏହି ଲୁକ୍ ତାଙ୍କର କେଉଁ ଫିଲ୍ମ ତାହା ସ୍ପଷ୍ଟ ହୋଇନାହିଁ ତେବେ ତାହା ‘କ୍ୱିନ-୨’ ଫିଲ୍ମର ହୋଇପାରେ ବୋଲି କୁହାଯାଉଛି । ସାଂସଦ ଭାବେ ନିର୍ବାଚିତ ହେବା ପରେ କଙ୍ଗନା କିଛି ଦିନ ଲାଗି ଫିଲ୍ମ ଜଗତରୁ ଦୂରେଇ ଯାଇଥିଲେ । ତାଙ୍କୁ ଶେଷ ଥର ପାଇଁ ‘ଏମର୍‌ଜେନ୍ସି’ରେ ଦେଖିବାକୁ ମିଳିଥିଲା । ସେଥିରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକା ନିର୍ବାହ କରିଥିଲେ ।

ଆହୁରି ପଢ଼ନ୍ତୁ...ମାଧୁରୀ –ତୃପ୍ତିଙ୍କ ଆଗରେ ଇନଫ୍ଲୁଏନ୍ସରଙ୍କୁ ଅଣଦେଖା କଲେ ପାପାରାଜି , ଭିଡିଓ ଭାଇରାଲ