ପିଲାଟି କହିଲା ନାଁ ତା'ର ଓମାର୍ ହାକିଜିମାନା, ରୁୱାଣ୍ଡାରୁ ଆସିଛି ମେଡିକାଲ ଲେବ୍ ଟେକ୍ନୋଲାଜି ପଢ଼ିବାକୁ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ । "ରୁୱାଣ୍ଡା'ର "ଓମାର୍'- କି ଅପୂର୍ବ ବିରୋଧାଭାସ! କାହିଁ ୧୯୯୪ ନରସଂହାରର ଆଫ୍ରିକୀୟ ଦେଶ ରୁୱାଣ୍ଡା, ଯେଉଁଠି ଘଟିଥିଲା ବିଶ୍ୱ ଇତିହାସର ଦ୍ରୁତତମ ତଥା ଚତୁର୍ଥ ବୃହତ୍ତମ ଗଣହତ୍ୟା! ଦିନକୁ ହାରାହାରି ଦଶ ହଜାର ହିସାବରେ ମାତ୍ର ୧୦୦ ଦିନରେ ଗଡ଼ିଥିଲା ପ୍ରାୟ ୧୦ଲକ୍ଷ ମଣିଷ ମୁଣ୍ଡ । ଆଉ "ଓମାର୍'? ଜୀବନ ଓ ପ୍ରେମର ଚୌପଦୀ "ରୁବାୟତ୍'ର ରଚୟିତା ଓମାର୍ ଖୈୟାମ୍ଙ୍କ ସମତୁଲ ଏକ ନାଁ ।
ଗୋପାଳ କାନୁନଗୋଙ୍କ ଅନୂଦିତ ଦି'ପଦ, "ତେବେ ଗୋ ସଜନି! ମୁହିଁ, ନିମେଷକ ଲାଗି ସ୍ୱର୍ଗ ମଣିବି ରୁକ୍ଷ ଏ ମରୁଭୂଇଁ'ରେ ସତେ ଯେଭଳି ମିଳିଗଲା ମୋତେ ମୋ ପ୍ରଶ୍ନ "ରୁୱାଣ୍ଡାକୁ କେମିତି ଦେଖିବି'ର ଉତ୍ତର । ଉଗାଣ୍ଡାର ଆନ୍ତର୍ଜାତିକ ବିମାନବନ୍ଦର ଏଣ୍ଟେବେରୁ ରୁୱାଣ୍ଡାର ରାଜଧାନୀ କିଗାଲିକୁ ବିମାନଯାତ୍ରା ମାତ୍ର ଘଣ୍ଟାକର । ବହିରେ ପଢ଼ିଥିଲି, ରୁୱାଣ୍ଡା ସମେତ ତା'ର ଚାରି ପଡ଼ୋଶୀ ଉଗାଣ୍ଡା, ତାଞ୍ଜାନିଆ, ବୁରୁଣ୍ଡି ଓ କଙ୍ଗୋ ଗଣରାଜ୍ୟ (ଡିଆର୍ସି) ସେମାନଙ୍କ ଭିତରେ ବାଣ୍ଟିପକାନ୍ତି ଆଫ୍ରିକାର ତିନିଟି ବିଶାଳ ହ୍ରଦଙ୍କୁ-ଭିକ୍ଟୋରିଆ, ଟାଙ୍ଗାନିକା ଓ କିଭୁ । ତେଣୁ ଆଗ କିଭୁ ହ୍ରଦର ଅନୁଭୂତି ।
କିଗାଲିରୁ ଲେକ୍ କିଭୁର ଦୂରତା ୧୬୦ କିଲୋମିଟର । ଗିସେନି ଏବଂ କିବୁୟେ ଅଞ୍ଚଳ ମଧ୍ୟରେ ଅବସ୍ଥିତ ୨୭୦୦ ବର୍ଗ କିଲୋମିଟର ପରିମିତ ଏହି ବିଶାଳ ହ୍ରଦର ଗଭୀରତା ପ୍ରାୟ ଅଧ କିଲୋମିଟର । ପାଖାପାଖି ଅଢ଼େଇଟି ଚିଲିକା ଏହା ଭିତରେ ପଶିଯିବ । ଏହାର ନୀଳ ଜଳରାଶି ଚିରି ଯେତେବେଳେ ବୋଟ୍ଟି ମୋର ଆଗକୁ ମାଡ଼ି ଚାଲିଲା, କବିବରଙ୍କ "ନୀଳିମାରେ ବାମା ଚାରୁ କେଶପାସ, ତୋ ନୀଳ ବୀଚିକି କଲା ଉପହାସ' ଉପମାଟି ଫିକା ପଡ଼ିଗଲା । କିଭୁର ନୀଳିମା ନୈସର୍ଗିକ, ଅତୁଳନୀୟ, ଉପମାର ପରେ! ସତେଯେପରି ଖଜୁରି ଗଛମାନ ଝୁଙ୍କି ପଡ଼ିଛନ୍ତି ନମସ୍କାର ମୁଦ୍ରାରେ ସେହି ନୀଳିମାର ବନ୍ଦନାରେ! ରୋଜାମଣ୍ଡ ହାଲ୍ସି କାର୍ (୧୯୧୨-୨୦୦୬)ଙ୍କ "ଲ୍ୟାଣ୍ଡ ଅଫ୍ ଏ ଥାଉଜେଣ୍ଡ ହିଲ୍ସ' ପୁସ୍ତକରେ ଅମରତ୍ୱ ଲଭିଛି ଲେକ୍ କିଭୁ ।
ଗଣମାଧ୍ୟମକୁ "ସୂଚନାର ହଥିଆର' ଭାବେ ବ୍ୟବହାର କରି ଘୃଣାର ପ୍ରଚାର ଜରିଆରେ ଐତିହାସିକ ଘା'କୁ ଉଖାରିବାର ପରିଣତି କେତେ କରୁଣ ଓ ଭୟାବହ ହୋଇପାରେ ତା'ର ଜୀବନ୍ତ ଉପସ୍ଥାପନ ଦେଖିଲି କିଗାଲି ଜୋନୋସାଇଡ୍ ମେମୋରିଆଲ୍ ବା ହୋଲୋକଷ୍ଟ ମ୍ୟୁଜିୟମରେ । କାହିଁ କେଉଁ କାଳୁ ରୁୱାଣ୍ଡା ସମାଜରେ ଶାନ୍ତିରେ ସହାବସ୍ଥାନ କରିଆସୁଥିଲେ ପ୍ରମୁଖ ଜନଜାତି ହୁଟୁ, ଟୁଟ୍ସି ଓ ଟ୍ୱା । ସଂଖ୍ୟାଲଘୁ ଟୁଟ୍ସିଙ୍କୁ ସଂଖ୍ୟାବହୁଳ ହୁଟୁଙ୍କ ସହିତ ଲଢ଼େଇ, କଳହର ମଞ୍ଜି ବୁଣିଦେଇଗଲେ ଜର୍ମାନ ଓ ପରେ ବେଲଜିୟମର ଔପନିବେଶିକ ଶାସକଗଣ । ସ୍ୱାଧୀନତା ପରବର୍ତ୍ତୀ ରୁୱାଣ୍ଡାରେ ଚରମପନ୍ଥୀ ହୁଟୁ ନେତାମାନେ କ୍ଷମତା ବଣ୍ଟନକୁ ବିରୋଧ କରି "ରେଡିଓ ରୁୱାଣ୍ଡା' ମାଧ୍ୟମରେ ଘୃଣା ପରଷି ଏକ ନିୟୁତ ଟୁଟ୍ସି ଓ ନରମପନ୍ଥୀ ହୁଟୁଙ୍କୁ ହତ୍ୟା କଲେ । ଭୁବନେଶ୍ୱରର ବର୍ତ୍ତମାନର ଜନସଂଖ୍ୟାର ଅଶି ଶତକଡ଼ାକୁ ତିନି ମାସରେ ମୂଳପୋଛ କରିଦେବା ସହିତ ସମାନ ଏହି ଅଶୁଭ ପରିସଂଖ୍ୟାନ! ଦେଖିଲି ବିଶ୍ୱ ଗଣହତ୍ୟା ଗ୍ୟାଲେରୀରେ ପ୍ରଦର୍ଶିତ ନାଜି ଜର୍ମାନୀର ହୋଲୋକଷ୍ଟରୁ ଆରମ୍ଭକରି ଆର୍ମେନିଆ, କାମ୍ବୋଡିଆ ଗଣହତ୍ୟାର ଏକ ତୁଳନାତ୍ମକ ଚିତ୍ର । ପ୍ରତ୍ୟେକର ପେଟର୍ଣ୍ଣ ଏକାପରି: ଘୃଣା, ମାନବୀୟତା ବିହୀନତା (ଡିହ୍ୟୁମାନାଇଜେସନ୍) ଏବଂ ସୁପ୍ତ ଗଣହିଂସା ପ୍ରବୃତ୍ତିକୁ ଜାଗ୍ରତ କରିବା ।
ଶିଶୁ ସ୍ମୃତି ଗ୍ୟାଲେରୀରେ ଗଣହତ୍ୟାରେ ନିହତ ଶିଶୁମାନଙ୍କର ଫଟୋ, ପୋଷାକ, ଜୋତା, ସେମାନଙ୍କର ପ୍ରିୟ ଖେଳ, ବ୍ୟକ୍ତିତ୍ୱ ଏବଂ କେମିତି ନିର୍ଦ୍ଦୟ ଭାବେ ସେମାନଙ୍କୁ ହତ୍ୟା କରାଯାଇଥିଲା, ସେସବୁକୁ ଦେଖି ବିଷାଦଗ୍ରସ୍ତ ମୋ ମନ ଖୋଜୁଥିଲା ଆସ୍ଥାଭରା କିଛି ଆଶ୍ୱସ୍ତି । ଆଶ୍ଚର୍ଯ୍ୟଜନକ ଭାବେ ନରସଂହାରରୁ ବର୍ତ୍ତିଯାଇଥିବା ଇମାକ୍ୟୁଲେ ଇଲିବାଗିଜାଙ୍କ ପୁସ୍ତକ "ଲେଫ୍ଟ ଟୁ ଟେଲ୍' ପଢ଼ି ବୁଝିଲି: ଯେକୌଣସି ମୁହୂର୍ତ୍ତରେ ମଧ୍ୟ "ଆତ୍ମା ଆଲୋକକୁ ବାଛିପାରେ' ଏବଂ କୌଣସି ପରିସ୍ଥିତିରେ ବି "ମନୁଷ୍ୟ ହୋଇ ରହିବାର ବିକଳ୍ପ ଚୟନ କରିପାରେ' ।
ନ୍ୟାନ୍ଜା -କିଙ୍ଗସ୍ ପ୍ୟାଲେସ୍ ଏବଂ ମ୍ୟୁଜିୟମରେ ଦେଖିଲି ପୂରା ଉଆଁସରେ ଆମ ଓଡ଼ିଶାର ଝିଅମାନେ ଯେମିତି ମାଟିର କଣ୍ଢେଇ ଓ କପଡ଼ାର ପୁତୁଲି ବନାଇ ରୋଷେଇ, ବିବାହ ଓ ଯାନିଯାତ୍ରାର ଖେଳ ଖେଳନ୍ତି, ରୁୱାଣ୍ଡାର ତରୁଣୀମାନେ ମଧ୍ୟ ସେହିପରି ମାଟିରୁ କଣ୍ଢେଇ ଏବଂ କଦଳୀପତ୍ର, ଘାସ ଓ କପଡ଼ାରୁ ପୁତୁଲି ତିଆରି କରି ଖେଳନ୍ତି । ଆମର ପାରମ୍ପରିକ ଯୁଦ୍ଧ ଢାଲ "ନିଶାନ୍' ପରି ରୁୱାଣ୍ଡା ରାଜତନ୍ତ୍ରର ପବିତ୍ର ପ୍ରତୀକ "କାଲିଙ୍ଗା' ବୀରବାଦ୍ୟକୁ ଦେଖି ରୁୱାଣ୍ଡାର ମହାନ କବି ଆଲେକ୍ସିସ୍ କାଗାମେଙ୍କ "ଇଙ୍ଗାଞ୍ଜି କାଲିଙ୍ଗା'ର ଦି' ପଦ ମନକୁ ଆସିଲା: "ରୁୱାଣ୍ଡା ବଞ୍ଚି ରହେ କାଲିଙ୍ଗା ନାଦେ, କାଲିଙ୍ଗା ନିରବି ଗଲେ ରୁୱାଣ୍ଡା କାନ୍ଦେ' ।
ଭିରୁଙ୍ଗା ପର୍ବତମାଳା । ଏଇଟା ତା'ହେଲେ ରୁୱାଣ୍ଡା ପଟର ଭିରୁଙ୍ଗା! ଯେଉଁଠି ଡାଏନ୍ ଫୋସିଙ୍କ ପ୍ରିୟ ପାହାଡ଼ି ଗରିଲା "ଡିଜିଟ୍'କୁ ହତ୍ୟା କରାଯାଇଥିଲା । ତା'ର ମୃତ୍ୟୁର ଧକ୍କା ତାଙ୍କୁ "ଡିଜିଟ୍ ଫଣ୍ଡ' ସ୍ଥାପନା କରି ଗରିଲା ସୁରକ୍ଷା ତଥା ଶିକାର ବିରୋଧୀ ପ୍ରୟାସକୁ ସଂଗଠିତ କରିବା ପାଇଁ ପ୍ରେରିତ କରିଥିଲା । ଫଳରେ ଭିରୁଙ୍ଗା ପର୍ବତମାଳାର ରୁୱାଣ୍ଡା, ଉଗାଣ୍ଡା ଓ ଡିଆର୍ସିରେ ଯଥାକ୍ରମେ ରହିଥିବା ଭଲକାନୋସ୍ ନ୍ୟାସନାଲ୍ ପାର୍କ, ମୁଗାହିଙ୍ଗଗା ଗରିଲା ଜାତୀୟ ଉଦ୍ୟାନ ଓ ଭିରୁଙ୍ଗା ଜାତୀୟ ଉଦ୍ୟାନରେ ସମ୍ଭବ ହୋଇପାରିଛି ଗରିଲା ଟ୍ରେକିଂ ପର୍ଯ୍ୟଟନ । ଏଇଥରର ଗରିଲା ଟ୍ରେକିଂ ସମର୍ପିତ "ଡିଜିଟ୍'ର ଅନନ୍ୟ ସ୍ମୃତିରେ ।
ଡିଜିଟ୍ ଥିଲା ଗୋଟିଏ ପୂର୍ଣ୍ଣବୟସ୍କ ପୁରୁଷ ପାହାଡ଼ି ଗରିଲା । ତା'ର ପିଠିରେ ଥିବା ରୁପାଲି-ଧୂସର ଲୋମ ତାକୁ "ସିଲଭରବ୍ୟାକ୍'ର ପରିଚୟ ଦେଇଥିଲା । ୧୯୭୭ ମସିହାର ଡିସେମ୍ବର ମାସରେ ରୁୱାଣ୍ଡା ପଟର ଭିରୁଙ୍ଗାରେ ଶିକାରୀମାନେ ଗରିଲା ଶିଶୁମାନଙ୍କୁ ଧରିବା ପାଇଁ ଯେତେବେଳେ ଗରିଲା ଦଳରେ ପ୍ରବେଶ କଲେ, ସେମାନଙ୍କ କବଳରୁ ତା' ଦଳକୁ ବିଶେଷକରି ମାଈ ଓ ଶିଶୁ ଗରିଲାଙ୍କୁ ରକ୍ଷା କରିବାକୁ ଦଳପତି ଡିଜିଟ୍ ଆଗେଇ ଆସିଲା । ଶିକାରୀମାନଙ୍କ ବର୍ଚ୍ଛା ଓ ମାରଣାସ୍ତ୍ର ଦ୍ୱାରା ଆହତ ହେଲା । ପରେ ସେମାନେ ଡିଜିଟ୍ର ହାତ କାଟିନେଲେ, ସମ୍ଭବତଃ ଟ୍ରଫି ଭାବେ ବିକ୍ରି କରିବା ପାଇଁ । ଲଥ୍କିନା ବସିପଡ଼ି ପ୍ରିୟ ଡିଜିଟ୍ର ନିର୍ଜୀବ ଶରୀରକୁ ଦେଖି ଅର୍ଦ୍ଧଶତାବ୍ଦୀ ତଳର ଡାଏନ୍ ଫୋସିଙ୍କ କବିତା ହୋଇ ବହିଯାଇଥିବା ବେଦନାକୁ ଅନୁଭବ କରିବାକୁ ଚେଷ୍ଟା କଲି: "ଡାକି ଆଣ ମୋ ପାଖକୁ ଫେରୁ ଡିଜିଟ୍ ମୋର, ଏକାକୀ ମୁଁ ପାରୁନାହିଁ ଖେଳି, ଆସିଛି ଭିରୁଙ୍ଗା ଧରି ଫୁଲ ଓ ଭ୍ରମର, ଡିଜିଟ୍ ମୋର କାହିଁ ଗଲା ଚାଲି!’
ପାହାନ୍ତିଆ ତାଜା ପବନରେ ଭରିରହିଥିଲା ଓଦାଳିଆ ନ୍ୟୁଙ୍ଗ୍ୱେ ଜାତୀୟ ଉଦ୍ୟାନର ମାଟି ଗନ୍ଧ । ଅଭିଜ୍ଞ ରେଞ୍ଜରମାନଙ୍କ ସହିତ ଆମେ ସଂକୀର୍ଣ୍ଣ ପଥରେ ବାହାରିଲୁ ସିମ୍ପାଞ୍ଜି ଟ୍ରେକିଂରେ । ଦୂରରେ ଶୁଭୁଥିଲା ମାଙ୍କଡ଼ଙ୍କର ହୁଲ୍-ହୁଲ୍ ଶବ୍ଦ । ଢାଲୁଆ, କାଦୁଆମାଟିର ପଥରେ ପଡ଼ିଉଠି ଅଣନିଃଶ୍ୱାସୀ ହୋଇ ଧାଇଁ ଘଣ୍ଟାକର ଟ୍ରେକିଂ ପରେ ଶେଷରେ ଗୋଟିଏ ସିମ୍ପାଞ୍ଜିର ଆଖି ସହ ମୋ ଆଖି ମିଶିଗଲା । ତା' ଆଖିରେ ମୁଁ ଦେଖିଲି ମୋତେ । ହେ ଭଗବାନ! କ୍ଷଣକ ପାଇଁ ସବୁ ମୁଖା ଖସିପଡ଼ିଲା, ମନ ମୋର ନଗ୍ନ ଓ ନମ୍ର ହୋଇଗଲା । ଭିତରୁ ଉଠିଲା ଏକ ପ୍ରାର୍ଥନା: "ଚାହେଁ ଯଦି କିଏ ଆଖି ବୁଜି ବସି ସେ ବିଚାରୁ, ପରଖୁ ସତ ଅବା ମିଛ ଏହି ବିଶ୍ୱ, ମୁଁ କିନ୍ତୁ ବସିବି ଖୋଲି ମୋର ଭୋକିଲା ଆଖିକୁ, ଦେଖିବାକୁ ସେହି ବିଶ୍ୱ ଅନ୍ଧକାର ଘୋଟିବା ଆଗରୁ!' ରୁୱାଣ୍ଡା ଛାଡ଼ିବାର ସମୟ ଆସିଲା ।
ରୁୱାଣ୍ଡା-ତାଞ୍ଜାନିଆ ସୀମାକୁ ଲାଗି ବହୁଥିବା ଆକାଗେରା ନଦୀ ନାଁରେ ଥିବା ଆକାଗେରା ନ୍ୟାସନାଲ୍ ପାର୍କକୁ ଦେଖିନପାରିବାର ଦୁଃଖ ରହିଗଲା । ଛୋଟମୋଟ ଘଟଣାରେ ବିଚଳିତ ହୋଇପଡୁଥିବା ମୋ ମନକୁ କିନ୍ତୁ "ରୁୱାଣ୍ଡା ଅନୁଭୂତି' ଯେମିତି ମନୋଜୀୟ ପ୍ରଜ୍ଞାରେ ଆଲୋକିତ କରିପକାଉଥିଲା: "ରୁୱାଣ୍ଡାକୁ କହିଥିଲି ମୋତେ କ୍ଷମା କର, ତା' ବେଦନା ଆଗେ ହାୟ, କେଡ଼େ ତୁଚ୍ଛ ବିମର୍ଷତା ମୋର' ।