ପୁରୀ ୨୮/୦୩: ଶ୍ରୀରାମ ଜନ୍ମ ନୀତିରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଶ୍ରୀରାମ ଲୀଳା ତଥା ପ୍ରସିଦ୍ଧ ଶ୍ରୀକ୍ଷେତ୍ର ସାହିଯାତ । କାଳିକାଦେବୀ ସାହି ପକ୍ଷରୁ ରାମାୟଣର ପୌରାଣିକ ଚରିତ୍ର ବାହାରି ରାମଲୀଳାର ଆଦ୍ୟ ପର୍ବ ଶ୍ରୀରାମଜନ୍ମ ବିଧି ସମ୍ପନ୍ନ କରିଛନ୍ତି । ପ୍ରସିଦ୍ଧ ‘ସାହିଯାତ’ ଶୁଭାରମ୍ଭରେ ପାରମ୍ପରିକ ନୃତ୍ୟ ବାଦ୍ୟରେ କମ୍ପୁଛି ଶ୍ରୀକ୍ଷେତ୍ର । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରାମଲୀଳାରେ ସାମିଲ ହୋଇଛନ୍ତି ଶ୍ରୀକ୍ଷେତ୍ରବାସୀ । ପ୍ରଥମ ଦିନ ସନ୍ଧ୍ୟାରେ କାଳିକାଦେବୀ ସାହି ଓ ମାଟିମଣ୍ଡପ ସାହି ଉତ୍ସବମୁଖର ଥିଲା । ବରିଷ୍ଠ ଅଧିକାରୀ ଓ ଆଠ ସାହି ମୁରବିମାନେ ଯାତ୍ରା ପରିଦର୍ଶନ କରିଥିଲେ ।

ଆଜି ବାହାରିବ ନାକ

କାନ ଆଜି ବାହାରିବ ନାକ ଓ କାନ । ଶନିବାର ହରଚଣ୍ଡୀ ସାହି ପକ୍ଷରୁ ଶ୍ରୀରାମଲୀଳାର ଯଜ୍ଞରକ୍ଷା ନୀତି ପ୍ରସ୍ତାବରେ ମୁଖ୍ୟ ଚରିତ୍ର ହେଉଛନ୍ତି ଅସୁର ନାକ ଓ କାନ । ତ୍ରେତୟା ଯୁଗରେ ଅସୁରଙ୍କ ଉତ୍ପାତରେ ମୁନିଋଷିଙ୍କ ଯଜ୍ଞ ଭଙ୍ଗ ହେଉଥିଲା । ମହର୍ଷି ବିଶ୍ୱାମିତ୍ର ରାଜା ଦଶରଥଙ୍କୁ ସତ୍ୟ କରାଇ ଯଜ୍ଞରକ୍ଷା ନିମନ୍ତେ ଶ୍ରୀରାମ ଓ ଶ୍ରୀଲକ୍ଷ୍ମଣଙ୍କୁ ତାଙ୍କ ସହିତ ଜଙ୍ଗଲକୁ ନେଇଥିଲେ । ଅଧିକ ଉତ୍ପାତ କରୁଥିବା ଅସୁର ସୁବାହୁ ଓ ମାରିଚଙ୍କ ନାକ କାନ କାଟି ମାରିବା ପରେ ଶ୍ରୀରାମ ଓ ଲକ୍ଷ୍ମଣ ଯଜ୍ଞରକ୍ଷା କରିଥିଲେ । ହରଚଣ୍ଡୀ ସାହି ପକ୍ଷରୁ ନାକ, କାନ ଅସୁର ବାହାରି ନିଜ ସାହି ଓ ବନ୍ଧୁସାହି ବାଲି ସାହିରେ ନୃତ୍ୟ ପ୍ରଦର୍ଶନ କରିବେ । ପରେ ଏମାନେ ବଡ଼ଦାଣ୍ଡସ୍ଥିତ ଜଗନ୍ନାଥ ବଲ୍ଲଭମଠକୁ ଯିବେ । ସେଠାରେ ଠାକୁରଙ୍କ ଚଳନ୍ତି ପ୍ରତିମା ବିଜେ ହୋଇ ରାମଲୀଳାର ଯଜ୍ଞରକ୍ଷା ନୀତି ସମ୍ପନ୍ନ ହେବ ।

ମାଟିମଣ୍ଡପ ସାହିରୁ ନିଶାଣ ଶୋଭାଯାତ୍ରା

ଏପଟେ ଶନିବାର ରାତିରେ ମାଟିମଣ୍ଡପ ସାହିରୁ ନିଶାଶ ଶୋଭାଯାତ୍ରା ବାହାରି କାଳିକାଦେବୀ ସାହି ଭ୍ରମଣ କରିବ । ମାଟିମଣ୍ଡପ ସାହି ଉତ୍ତରକାଳୀ ଆଖଡ଼ା ଓ ଭୋଗ ଯାଗା ମେଳରୁ ନିଶାଶ ସହ ଭୂଆଷିକ ବାହାରିବ । ଶୂନ୍ୟ ଗୋଷାଣୀଙ୍କ ଆସ୍ଥାନ ତଥା ମାଟିମଣ୍ଡପ ସାହି ଆଖଡ଼ାରୁ ପ୍ରଥମେ ନିଶାଣ ବାହାରି ମା’ଦକ୍ଷିଣକାଳୀଙ୍କ ମନ୍ଦିରରେ ପହଞ୍ଚି ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ପୂଜାର୍ଚ୍ଚନା କରାଯିବ । ନିଶାଣ ଫେରିଆସିବା ପରେ ପୁନଃ ମାଟିମଣ୍ଡପ ସାହିରୁ ଭୂଆଷିକ ବାହାରିବ । ସର୍ବାଗ୍ରେ ରହିବେ ହନୁମାନ । ପରକୁ ନଶିରା ପରେ ନାଗା ମେଢ଼ ଆଦି ଭୂଆଷିକ ଯିବେ । ମାଟିମଣ୍ଡପ ସାହି ଆଖଡ଼ାରୁ ବାହାରି ସିଂହଦ୍ୱାର ହୋଇ କାକୁଡ଼ିଖାଇ ମନ୍ଦିର ପାଶ୍ୱର୍ ହୋଇ ଦକ୍ଷିଣକାଳୀଙ୍କ ମନ୍ଦିର, ପଣ୍ଡା ସାହି, ଖୁଣ୍ଟିଆ ସାହି ଛକ ହୋଇ ଗଣ୍ଡମାଳ ଜାଗା, ନାରୀସେବାସଦନ, ଭୋଗଯାଗା ହୋଇ ପୁନଃ ଆଖଡ଼ାକୁ ପ୍ରତ୍ୟାବର୍ତ୍ତନ କରିବ । ଦୁଇ ସାହି କର୍ମକର୍ତ୍ତାଙ୍କ ବନ୍ଧୁତା ବୈଠକ ହୋଇ ଶୃଙ୍ଖଳାରେ ଯାତ ସମାପନ ସହ ବହିରାଗତ ଦର୍ଶକଙ୍କ ଯାତ ଦେଖିବା ନେଇ କୌଣସି ସମସ୍ୟା ନହେବା ଭଳି ସମସ୍ତ ଆୟୋଜନ କରାଯାଇଥିବା ମାଟିମଣ୍ଡପ ସାହି ଉତ୍ତରକାଳୀ ଆଖଡ଼ା ଉପସଭାପତି ଗଣେଶ୍ୱର ମହାସୁଆର ଓ ଶ୍ୟାମ ସୁନ୍ଦର ମହାପାତ୍ର କହିଛନ୍ତି ।

ଅଧିକ ପଢ଼ନ୍ତୁ :- ଏପ୍ରିଲ ୮ରୁ ଦ୍ବିତୀୟ ପର୍ଯ୍ୟାୟ ରତ୍ନଭଣ୍ଡାର ଗଣତିମଣତି, ସୂଚନା ଦେଲେ ଆଇନ ମନ୍ତ୍ରୀ