ଭୁବନେଶ୍ୱର ୨୮/୦୩: ଶ୍ରୀମନ୍ଦିର ରତ୍ନଭଣ୍ଡାର ଦ୍ବିତୀୟ ପର୍ଯ୍ୟାୟ ଗଣତିମଣତିକୁ ନେଇ ବଡ଼ ଅପଡେଟ୍। ଏପ୍ରିଲ୍ ୮, ୯ ଏବଂ ୧୦ ତାରିଖରେ ହେବ ବାହାର ରତ୍ନଭଣ୍ଡାର ଗଣତି। ଏ ସମୟରେ ମହାପ୍ରଭୁଙ୍କ ଦର୍ଶନ କିମ୍ବା ଠାକୁରଙ୍କ ନୀତିକାନ୍ତି ବାଧାପ୍ରାପ୍ତ ନହେବା ତାହା ଉପରେ ଗୁରୁତ୍ବ ଦିଆଯିବ। ଏନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା ।
ସେ କହିଛନ୍ତି ଯେ, ବୁଧବାର ଅର୍ଥାତ ୨୫ ତାରିଖରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଗଣତିମଣତି ହୋଇଥିଲା । ପ୍ରଥମ ପର୍ଯ୍ୟାୟ ଗଣତି ସୁରୁଖୁରରେ ସରିଥିବା ବେଳେ ଏବେ ୨ୟ ପର୍ଯ୍ୟାୟ ଗଣତି ମଣତି ହେବ । ଏପ୍ରିଲ ମାସରେ ତିନି ଦିନ ଧରି ବାହାର ରତ୍ନଭଣ୍ଡାରରେ ଗଣତି ମଣତି କରାଯିବ । ସେଥିପାଇଁ ତାରିଖ ମଧ୍ୟ ଧାର୍ଯ୍ୟ କରାଯାଇଛି । ଯଥାକ୍ରମେ ଏପ୍ରିଲ ମାସର ୮, ୯ ଏବଂ ୧୦ ତାରିଖକୁ ଚୟନ କରାଯାଇଛି । ଏହି ଗଣତି ମଣତି ଦିନ ଯେପରି ମହାପ୍ରଭୁଙ୍କ ଦର୍ଶନ କିମ୍ବା ଠାକୁରଙ୍କ ନୀତିକାନ୍ତି କୌଣସି ପରିସ୍ଥିତିରେ ବାଧାପ୍ରାପ୍ତ ନହେବ, ସେନେଇ ଆଲୋଚନା ସରିଛି । ସମସ୍ତ ପ୍ରକାରର ପ୍ରସ୍ତୁତି ମଧ୍ୟ ଚାଲିଛି । ସମସ୍ତ ପ୍ରସ୍ତୁତି ପରେ ଭିତର ରତ୍ନଭଣ୍ଡାର ଗଣତି ମଣତି ହେବ । ଆଶା କରାଯାଉଛି ସବୁ କାମ ଠିକଣା ସମୟରେ ସରିଯିବ ।
ଅଧିକ ପଢ଼ନ୍ତୁ :- ଦେହରେ କିରୋସିନି ଢାଳି ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ, କାହିଁକି ଏମିତି ଚରମ ନିଷ୍ପତ୍ତି ନେଲେ କାରଣ ଖୋଜୁଛି ପୁଲିସ
ସେହିପରି ଆଗକୁ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଥର ରଥଯାତ୍ରାକୁ ସୁରୁଖୁରରେ କରିବାକୁ ୬ ମାସ ଆଗରୁ ପ୍ରସ୍ତୁତି ବୈଠକ ବସିଛି । ଏହାରି ଭିତରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବାରମ୍ବାର ବୈଠକ ବସିଛି। ବଡ଼ଦାଣ୍ଡକୁ ଯେପରି ଅଧିକ ଗାଡ଼ି ପ୍ରବେଶ ନକରିବ, ତା ଉପରେ ଗୁରୁତ୍ୱ ଦିଆଯାଉଛି। ରଥଦାଣ୍ଡକୁ ସଂଲଗ୍ନ ରାସ୍ତା ଗୁଡ଼ିକର ପ୍ରସସ୍ତିକରଣ କରାଯିବା ନେଇ ଗୁରୁତ୍ୱ ଦିଆଯାଉଛି।
ସୂଚନା ଅନୁଯାୟୀ ପ୍ରଥମ ଦିନରେ ଚଳନ୍ତି ଭଣ୍ଡାର (ମହାପ୍ରଭୁଙ୍କ ନିତ୍ୟ ବ୍ୟବହାର ପାଇଁ ରଖାଯାଉଥିବା ଅଳଙ୍କାର)ରେ ଥିବା ରତ୍ନଅଳଙ୍କାର ଆଦିର ଗଣତିମଣତି ହୋଇଥିଲା । ଯାହା ଭିତରେ ଅନେକ ଦୁର୍ମୂଲ୍ୟ ନୂତନ ବସ୍ତୁ ସାମିଲ ହୋଇଛି । ୨୦୨୬ ମସିହା ଗଣତିମଣତି ଭାବେ ଏହି ନୂଆ ତାଲିକା ପ୍ରସ୍ତୁତ ହେଉଛି । ପ୍ରଥମ ଦିନ ପ୍ରାୟ ୬ ଘଣ୍ଟା ଧରି ଚାଲିଥିବା ଗଣତିମଣତିରେ ଚଳନ୍ତି ରତ୍ନଭଣ୍ଡାରରେ ଥିବା ଅଧିକାଂଶ ରତ୍ନଅଳଙ୍କାର ଗଣତିମଣତି ହୋଇଛି । ତେବେ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲାଗି ଯୋଗୁ ରାହୁ ରେଖା, ରତ୍ନଚିତା ପ୍ରଭୃତି କିଛି ସାମଗ୍ରୀ ଗଣତିମଣତି ହୋଇପାରିନଥିଲା । ପରେ ସୁବିଧା ହେଲେ ଏହାକୁ ଗଣତିମଣତି ଅନ୍ତର୍ଭୁକ୍ତ କରାଯିବ ।
୧୯୭୮ ମସିହା ଗଣତିମଣତି ତାଲିକା ମୁତାବକ ସମସ୍ତ ଜିନିଷ ମେଳକ କରାଯାଇଥିଲା । ଦୁର୍ଲଭ ମୂଲ୍ୟବାନ ଦ୍ରବ୍ୟ ଓ ଅଳଙ୍କାର ଆଦିର ଓଜନ ମଧ୍ୟ ଯନ୍ତ୍ର ଦ୍ୱାରା କରାଯାଇଥିଲା। ମୁଖ୍ୟ ଅଳଙ୍କାରଗୁଡ଼ିକର ୩ଡି ମ୍ୟାପିଂ, କମ୍ପ୍ୟୁଟରୀକରଣ, ଭିଡିଓ ଓ ଫଟୋଗ୍ରାଫି କରାଯାଇଥିଲା ।