ନୂଆଦିଲ୍ଲୀ,୨୦/୦୧: ଅଲିମ୍ପିକ୍ସ ପଦକ ବିଜେତା ମହିଳା ବ୍ୟାଡମିଣ୍ଟନ ତାରକା ସାଇନା ନେହ୍ୱାଲ ଅନ୍ତର୍ଜାତୀୟ କ୍ୟାରିୟରରୁ ଅବସର ଘୋଷଣା କରିଛନ୍ତି । ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ଅବସର ନିଶ୍ଚିନ୍ତ କରିଛନ୍ତି । ଏକ ପୋଡକାଷ୍ଟରେ ସାମିଲ ହୋଇ ସେ ଏ କଥା କହିଥିବା ଜାତୀୟ ଗଣମାଧ୍ୟମ ଦ ଟାଇମ୍ସ ଅଫ୍ ଇଣ୍ଡିଆ ଉଲ୍ଲେଖ କରିଛି । ଆଣ୍ଠୁଜନିତ ସମସ୍ୟା ଲାଗି ଗତ ୨ ବର୍ଷ ଧରି ଖେଳରୁ ଦୂରେଇ ରହିଥିବା ୩୫ ବର୍ଷୀୟ ସାଇନା ପ୍ରତିଯୋଗିତାମୂଳକ ବ୍ୟାଡ଼ମିଣ୍ଟନରୁ ଅବସର ଘୋଷଣା କରିଛନ୍ତି ।
ଆଣ୍ଠୁରେ ଆଘାତ ଯୋଗୁ ସାଇନା ସଂପୂର୍ଣ୍ଣ ସୁସ୍ଥ ହୋଇପାରି ନାହାନ୍ତି । ବାରମ୍ବାର ଅସ୍ତ୍ରୋପଚାର କରାଇ କିଛି ସୁଫଳ ମିଳି ନାହିଁ । ଏକ ପୋଡକାଷ୍ଟରେ ସେ କହିଛନ୍ତି, 'ଗତ ୨ ବର୍ଷ ହେଲା ଖେଳଠୁ ଦୂରେଇ ରହିଛି । ନିଜ ଇଚ୍ଛାରେ ଖେଳରେ ପ୍ରବେଶ କରିଥିଲି ଏବଂ ନିଜ ଇଚ୍ଛାରେ ଖେଳ ଛାଡ଼ି ଦେଇଛି । ଏଥିରେ ସନ୍ନ୍ୟାସ ଘୋଷଣା କରିବାର କିଛି ଆବଶ୍ୟକତା ନାହିଁ । ପ୍ରତିଯୋଗିତାରେ ମୋର ଅନୁପସ୍ଥିତି ପରିସ୍ଥିତିକୁ ସ୍ପଷ୍ଟ କରିଛି । ’ ପୂର୍ବତନ ବିଶ୍ୱର ଏକ ନମ୍ବର ଖେଳାଳି ସାଇନା ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ । ସାଇନା ତାଙ୍କ କ୍ୟାରିୟରରେ ୨୪ଟି ଅନ୍ତର୍ଜାତୀୟ ଟାଇଟଲ୍ ଜିତିଛନ୍ତି । ୩ଟି ଅଲମ୍ପିକ୍ସରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି ।
ଏହା ବି ପଢନ୍ତୁ...ଡବ୍ଲୁପିଏଲ୍ ୨୦୨୬; ଗୁଜରାଟକୁ ୬୧ରନ୍ରେ ହରାଇ ପ୍ଲେଅପରେ ସ୍ମୃତିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ
୨୦୨୩ରେ ଖେଳିଥିଲେ ଶେଷ ମ୍ୟାଚ- ହରିୟାଣା ହିସାରରେ ଜନ୍ମିତ ସାଇନା ସିଙ୍ଗାପୁର ଓପନ ତାଙ୍କର ଶେଷ ପ୍ରତିଯୋଗିତା ଥିଲା । ଲଣ୍ଡନ ଅଲିମ୍ପିକ୍ସ ୨୦୧୨ରେ କାଂସ୍ୟ ପଦକ ବିଜୟିନୀ ସାଇନା ଶେଷ ଥର ପାଇଁ ୨୦୨୩ ସିଙ୍ଗାପୁର ଓପନ୍ରେ ଏକ ପ୍ରତିଯୋଗିତାମୂଳକ ମ୍ୟାଚ୍ ଖେଳିଥିଲେ । ସେତେବେଳେ ସେ ଆନୁଷ୍ଠାନିକ ଭାବରେ ତାଙ୍କର ଅବସର ଘୋଷଣା କରି ନଥିଲେ । ବର୍ତ୍ତମାନ ଏକ ପୋଡକାଷ୍ଟ ସମୟରେ, ସେ ତାଙ୍କ ନିଷ୍ପତ୍ତି ବିଷୟରେ ଖୋଲାଖୋଲି କହିଛନ୍ତି । ସାଇନା କହିଛନ୍ତି, "ମୁଁ ଦୁଇ ବର୍ଷ ପୂର୍ବେ ଖେଳିବା ବନ୍ଦ କରିଦେଇଥିଲି । ମୁଁ ଅନୁଭବ କରୁଥିଲି ଯେ ମୁଁ ନିଜ ଇଚ୍ଛାରେ ଏହି ଖେଳରେ ପ୍ରବେଶ କରିଛି ଏବଂ ନିଜ ଇଚ୍ଛାରେ ଖେଳରୁ ବାହିରିବି । ତେଣୁ ମୁଁ ପୃଥକ ଭାବରେ ମୋର ଅବସର ଘୋଷଣା କରିବାର ଆବଶ୍ୟକତା ଅନୁଭବ କରିନଥିଲି । "