ନୂଆଦିଲ୍ଲୀ,୨୦/୦୧: ଚଳିତ ଡବ୍ଲ୍ୟୁପିଏଲ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଧିପତ୍ୟ ଜାରି ରଖି କ୍ରମାଗତ ପଞ୍ଚମ ବିଜୟ ସହ ପ୍ଲେ-ଅଫ୍ ରେ ପ୍ରବେଶ କରିଛି । ସୋମବାର ଅନୁଷ୍ଠିତ ଦ୍ୱାଦଶ ଲିଗ୍ ମ୍ୟାଚ୍ରେ ଦଳ ୬୧ ରନ୍ରେ ଗୁଜରାଟ ଜାଏଣ୍ଟ୍ସକୁ ହରାଇଥିଲା । ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ରୟାଲ୍ ଚ୍ୟାଲେଞ୍ଜର୍ସ ନିର୍ଦ୍ଧାରିତ ଓଭରରେ ୬ ୱିକେଟ୍ ହରାଇ ୧୭୮ ରନ ସଂଗ୍ରହ କରିଥିଲା । ଜବାବରେ ଗୁଜରାଟ ଜାଏଣ୍ଟ୍ସ ୮ ୱିକେଟ୍ ହରାଇ ୧୧୭ ରନ କରିବାକୁ ସକ୍ଷମ ହୋଇଥିଲା ।
ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ରୟାଲ୍ ଚ୍ୟାଲେଞ୍ଜର୍ସ ୯ ରନ୍ରେ ୨ଟି ୱିକେଟ୍ ହରାଇଥିଲା । ଗ୍ରେସ ହ୍ୟାରିସ ଓ ଜର୍ଜିୟା ଭୋଲ ୧ ରନ ଲେଖାଏଁ କରି ଆଉଟ୍ ହୋଇଥିଲେ । ଅନ୍ୟ ଓପନର ସ୍ମୃତି ମନ୍ଧନାଙ୍କ ସହ ଗୌତମୀ ନାୟକ ମିଶି ସ୍ଥିତି ସୁଧାରିଥିଲେ । ତୃତୀୟ ୱିକେଟ୍ରେ ଉଭୟ ୬୦ ରନ ଯୋଗ କରିଥିଲେ । ଦଳୀୟ ସ୍କୋର ୬୯ ବେଳେ ବ୍ୟକ୍ତିଗତ ୨୬ ରନ କରି ମନ୍ଧନା ଆଉଟ୍ ହୋଇଥିଲେ । ମାତ୍ର ଗୌତମୀଙ୍କୁ ଅଟକାଇବାରେ ଗାୁଜରାଟ ଜାଏଣ୍ଟସ୍ ବୋଲର ବିଫଳ ହୋଇଥିଲେ । ସେ ଦର୍ଶନୀୟ ସଟ୍ମାନ ଖେଳି ଅର୍ଦ୍ଧଶତକ ପୂରଣ କରିବା ସହ ରିଚା ଘୋଷଙ୍କୁ ସାଥୀ କରି ଚତୁର୍ଥ ୱିକେଟ୍ରେ ୬୯ ରନ୍ ଯୋଗ କରିଥିଲେ । ଦଳୀୟ ସ୍କୋର ୧୩୮ ବେଳେ ରିଚା ବ୍ୟକ୍ତିଗତ ୨୭ (୩ଛକା) ରନ କରି ପାଭିଲିୟନ ଫେରିଥିଲେ । ପରେ ପରେ ଗୌତମୀ ୭୩ (୭ଚୌକା, ୧ଛକା) ରନ କରି ବିଦାୟ ନେଇଥିଲେ । ଅନ୍ତିମ ଭାଗରେ ରାଧା ଯାଦବ ୮ଟି ବଲ୍ରୁ ୧୭ (୨ଚୌକା, ୧ଛକା) ଓ ଶ୍ରେୟଙ୍କା ପାଟିଲ ୨ଟି ବଲ୍ରୁ ୮ ରନ କରି ଦଳୀୟ ସ୍କୋରକୁ ୧୭୮ରେ ପହଞ୍ଚାଇଥିଲେ ।
Red-hot form! 🔥@RCBTweets create history by becoming the first team to win 6⃣ #TATAWPL matches in a row ❤️#KhelEmotionKa | #GGvRCB pic.twitter.com/h2XnH9X4c9
— Women's Premier League (WPL) (@wplt20) January 19, 2026
ଅଧିକ ପଢନ୍ତୁ...ଭାରତ-ପାକିସ୍ତାନ ମୁକାବିଲା : ଗୋଟିଏ ଦିନରେ ଖେଳିବେ ୨ଟି ମ୍ୟାଚ୍
ଗୁଜରାଟ ଜାଏଣ୍ଟ୍ସ ପକ୍ଷରୁ କାଶଭୀ ଗୌତମ ଓ ଆସଲି ଗାର୍ଡନର ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ଜବାବରେ ଗୁଜରାଟ ଜାଏଣ୍ଟ୍ସ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । କେବଳ ଅଧିନାୟିକା ଆସଲି ଗାର୍ଡନରଙ୍କୁ ଛାଡ଼ି ଦେଲେ ଅନ୍ୟ କେହି ରୟାଲ ଚ୍ୟାଲେଞ୍ଜର୍ସ ବୋଲରଙ୍କ ମୁକାବିଲା କରିପାରି ନଥିଲେ । ଗାର୍ଡନରଙ୍କ ଅର୍ଦ୍ଧଶତକ ବଳରେ ଦଳ ୧୧୭ ରନ ସଂଗ୍ରହ କରିବାରେ ସଫଳ ହୋଇଥିଲା । ସେ ୫୪ (୫ଚୌକା, ୧ଛକା) ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍କା ଶର୍ମା ୧୮, ଭାରତୀ ଫୁଲମାଲି ୧୪ ଓ ତନୁଜା କୱଁର ଅପରାଜିତ ୧୧ ରନ କରିଥିଲେ । ରୟାଲ୍ ଚ୍ୟାଲେଞ୍ଜର୍ସ ପକ୍ଷରୁ ସାୟାଲି ସତଘରେ ୩ଟି ଓ ନାଦିନ ଡି କ୍ଲର୍କ ୨ଟି ୱିକେଟ୍ ନେଇଥିଲେ ।