ବୌଦ୍ଧ, ୨୮/୦୭ : ମହଙ୍ଗା ପଡ଼ିଲା କାର୍ଯ୍ୟରେ ଅବହେଳା। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ୩ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୯ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ। ବାଘପାଲି, ପନଖିମାଲ ଓ ବିରିଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୩ଜଣ ପ୍ରଧାନ ଶିକ୍ଷକଙ୍କ ସମେତ ୯ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ ଦିଆଯାଇଛି। ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।
ସୂଚନା ଅନୁଯାୟୀ, ବାଘପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଳା ଦେଇ ଅଧିକାରୀଙ୍କ ଗସ୍ତ ସମୟରେ ଜୁଲାଇ ୧୧ ଓ ୧୨ ତାରିଖରେ କାହାକୁ ନଜଣାଇ ଅନୁପସ୍ଥିତ ଥିଲେ । ତେଣୁ ତାଙ୍କର ଦରମା ବନ୍ଦ କରାଯାଇଥିବା ବେଳେ ସେହି ସ୍କୁଲର ଅନ୍ୟ ଜଣେ ଶିକ୍ଷକ ବିରେନ ଦାସିଆ ଜାଣିଶୁଣି ଉଚ୍ଚ କର୍ତୃପକ୍ଷଙ୍କ ଆଦେଶକୁ ଅବମାନନା କରିଥିବା ଯୋଗୁଁ ତାଙ୍କର ମଧ୍ୟ ଦରମା ବନ୍ଦ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ପନଖିମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନବୀନ ବେହେରା, ସହକାରୀ ଶିକ୍ଷୟିତ୍ରୀ ମିନତୀ ତ୍ରିପାଠୀ, ଶିକ୍ଷକ ପ୍ରଦୀପ୍ତ କୁମାର ସାହୁଙ୍କୁ ସରକାରୀ କାର୍ଯ୍ୟରେ ଅବହେଳା ଅଭିଯୋଗରେ ଦରମା ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି।
ଏଥି ସହିତ ବିରିଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ଜୁଲାଇ ୧୨ ତାରିଖରେ କାର୍ଯ୍ୟ ଦିବସ ଥିବା ସତ୍ତ୍ଵେ ଉକ୍ତ ଦିନ ସ୍କୁଲକୁ ବନ୍ଦ କରି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଅନୁପସ୍ଥିତ ଥିବାରୁ ପ୍ରଧାନ ଶିକ୍ଷକ ସୁନୀଲ କୁମାର ପଣ୍ଡା, ସହକାରୀ ଶିକ୍ଷୟତ୍ରୀ ସ୍ମୃତିରେଖା ପୁହାଣ, ନଳିନୀ ମେହେର, ବୈବସୁତା ବିଶ୍ୱାଳଙ୍କ ଦରମା ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି ଗୋଷ୍ଠୀ ଶିକ୍ଷା ଅଧିକାରୀ ହାଡିବନ୍ଧୁ ବେହେରା। ତେବେ ଏମାନଙ୍କୁ କର୍ତ୍ତବ୍ୟରେ ଅବହେଳା ନେଇ ପୂର୍ବରୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିବା ବେଳେ ଏମାନେ କୌଣସି ସନ୍ତୋଷଜନକ ଉତ୍ତର ଦେଇନଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।