ବିଜେପିରେ ଯୋଗ ଦେଲେ ସାଲେପୁର ବିଧାୟକ ପ୍ରକାଶ ବେହେରା

ନୂଆଦିଲ୍ଳୀ,୧୭।୩: ବିଜେପିରେ ଆଜି ଯୋଗ ଦେଇଛନ୍ତି ସାଲେପୁର ବିଧାୟକ ପ୍ରକାଶ ବେହେରା। ଦଳର ରାଷ୍ଟ୍ରୀୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜେପିର ଓଡିଶା ପ୍ରଭାରୀ ଅରୁଣ ସିଂ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ବିଧାୟକ ଦଳର ନେତା କନକ ବର୍ଦ୍ଧନ ସିଂହଦେଓ, ବିଜେପି ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ ପଣ୍ଡା ପ୍ରମୁଖଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ପ୍ରକାଶ।
ଗତକାଲି ପ୍ରକାଶ ବେହେରା କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ସେ ନିଜର ଇସ୍ତଫା ପତ୍ରରେ ଦଳରେ ତାଙ୍କୁ ଅଣଦେଖା କରାଯାଉଥିବାର ଅଭିଯୋଗ କରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇଥିଲେ। ଇସ୍ତଫା ଦେବାପରେ ଚର୍ଚ୍ଚା ହେଉଥିଲା ପ୍ରକାଶ ବେହେରା କେଉଁ ଦଳକୁ ଯିବେ? କିନ୍ତୁ ଆଜି ସେ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି ।