ମୁମ୍ବାଇ: ଏକ ପୁରସ୍କାର କାର୍ଯ୍ୟକ୍ରମରେ ସଲମାନ ଖାନ ଏବଂ ଗାୟକ ଅରିଜିତ ସିଂହଙ୍କ ମଧ୍ୟରେ ହୋଇଥିବା ଝଗଡ଼ା ସଂପର୍କରେ ସମସ୍ତଙ୍କୁ ଜଣାଥିବ ନିଶ୍ଚୟ । ଏହି ବିବାଦ ପରେ ସଲମାନ ଖାନଙ୍କ ଫିଲ୍ମ ସୁଲତାନରୁ ଅରିଜିତଙ୍କ ଗୀତକୁ ହଟାଇ ଦିଆଯାଇଥିଲା । କିନ୍ତୁ ବିବାଦର ଦୀର୍ଘ ବର୍ଷ ପରେ ସଲମାନ ଏବଂ ଅରିଜିତଙ୍କ ମଧ୍ୟରେ ପ୍ୟାଚଅପ୍ ହୋଇଥିବା ଜଣାପଡ଼ିଛି । ସଲମାନ ନିଜେ ହିଁ ଏନେଇ ସ୍ପଷ୍ଟ କରିଛନ୍ତି । ନିଜର ଭୁଲ ସ୍ୱୀକାର କରିବା ସହ ସଲାମାନ କହିଛନ୍ତି ଯେ, ସେ ପରିସ୍ଥିତିକୁ ଭୁଲ ବୁଝିଥିଲେ। ହାସ୍ୟ ଅଭିନେତା ରବି ଗୁପ୍ତା ବିଗ୍ ବସ୍ ୧୯ର ୱିକେଣ୍ଡ୍ ଏପିସୋଡ୍ରେ ହୋଷ୍ଟ ଭାବରେ ଯୋଗ ଦେଇଥିଲେ। ସେ ସଲମାନଙ୍କୁ କହିଥିଲେ ଯେ, ସେ ବିଗବସ ମଞ୍ଚକୁ ଆସିବାକୁ ଭୟ କରୁଥିଲେ । କାରଣ ସେ ଅରିଜିତ୍ ସିଂହଙ୍କ ପରି ଦେଖାଯାଉଛନ୍ତି । ଏହା ଶୁଣିବା ପରେ ସଲମାନ ହସିଥିଲେ ଏବଂ କହିଥିଲେ, ‘ଅରିଜିତ୍ ଏବଂ ମୁଁ ବହୁତ ଭଲ ବନ୍ଧୁ। ଏହା ଭୁଲ ବୁଝାମଣା ଥିଲା ଏବଂ ଏହା ମୋର ଭୁଲ ଥିଲା।’ସଲମାନ ଆହୁରି କହିଥିଲେ, ‘ଅରିଜିତ ମୋ ପାଇଁ ମଧ୍ୟ ଗୀତ ଗାଇଛନ୍ତି । ଟାଇଗରରେ ଗାଇଛନ୍ତି ଏବଂ ପରବର୍ତ୍ତୀ ସମୟରେ ଗଲୱାନ (ଫିଲ୍ମ)ରେ ମଧ୍ୟ ଗାଇବେ।’
୨୦୧୪ ଗିଲ୍ଡ ପୁରସ୍କାର ସମାରୋହରେ ଗାୟକ ଅରିଜିତ ସିଂହ ‘ତୁମ୍ ହି ହୋ’ ଗୀତ ପାଇଁ ପୁରସ୍କାର ଗ୍ରହଣ କରିବାକୁ ପହଞ୍ଚିଥିଲେ। ସଲମାନ ଖାନ ଏବଂ ରିତେଶ ଦେଶମୁଖ ମଞ୍ଚରେ ଉପସ୍ଥିତ ଥିଲେ । ଅରିଜିତଙ୍କୁ ଥଟ୍ଟା କରୁଥିଲେ । ଅରିଜତି ଷ୍ଟେଜ୍କୁ ଯିବା ପରେ ସେଠାରେ ଉପସ୍ଥିତି ସଲମାନ ଏବଂ ରିତେଶଙ୍କୁ କହିଥିଲେ, ‘ତୁମେମାନେ ମୋତେ ଶୁଆଇ ପକାଇଲ।’ଅରିଜିତଙ୍କ ମନ୍ତବ୍ୟ ଶୁଣି ସଲମାନ କହିଥିଲେ, ‘ଏହା ଆମର ଦୋଷ ନୁହେଁ । ଯଦି ତୁମେ ତୁମ୍ ହି ହୋ ଭଳି ଗୀତ ଗାଇବ, ତେବେ ଦର୍ଶକ ନିଶ୍ଚିତ ଭାବରେ ଶୋଇଯିବେ।’
ଅରିଜିତ କୌଣସି ଜବାବ ନଦେଇ ଷ୍ଟେଜରୁ ଓହ୍ଲାଇ ଯାଇଥିଲେ । ତାଙ୍କ ପରେ ତୁମ ହି ହୋ ଲାଗି ବେଷ୍ଟ ଲିରିକ୍ସ ଆଓ୍ବାର୍ଡ ନେବାକୁ ଷ୍ଟେଜ୍ରେ ପହଞ୍ଚିଥିଲେ ମିଥୁନ । ସେ ଅରିଜିତଙ୍କ ପ୍ରତି ହୋଇଥିବା ଅପମାନର ଜବାବ ଦେଇଥିଲେ । ସେ କହିଥିଲେ ତୁମ ହି ହୋ ଗୀତ ଲୋକଙ୍କୁ ଜାଗ୍ରତ କରିଛି । ସଲମାନ ଥଟ୍ଟା କରି କହିଥିଲେ, ‘ତୁମର ଗାୟକ ଶୋଇ ଶୋଇ ଆସିଥିଲେ।’ ସଲମାନଙ୍କୁ ଭୟ ନକରି ମିଥୁନ ଉତ୍ତର ଦେଇଥିଲେ, ‘ଅରିଜିତ ବହୁତ ଧୈର୍ଯ୍ୟର ସହିତ ଗାଇଥିଲେ ଏବଂ ସେହି ଧୈର୍ଯ୍ୟ ହିଁ ସଙ୍ଗୀତ ଶିଳ୍ପ ଲାଗି ଆବଶ୍ୟକ।’
ସଲମାନ ମିଥୁନଙ୍କ ପ୍ୟାଣ୍ଟରେ ଲାଗିଥିବା ଏକ କାଗଜ କାଢି ତାଙ୍କୁ କଟାକ୍ଷ କରିଥିଲେ । ଏହାକୁ ନେଇ ସଲାମାନଙ୍କୁ ମିଥୁନ କହିଥିଲେ, ‘ତୁମେ ମୋତେ ଛଅ ଘଣ୍ଟା ବସାଇ ଦେଉଛ, ସେଥିପାଇଁ ଏପରି ଘଟୁଛି।’ମିଥୁନଙ୍କ ଏହି କଥା ଶୁଣି ହିସବା ବନ୍ଦ କରି ହଠାତ ରାଗି ଯାଇଥିଲେ ସଲମାନ । କହିଥିଲେ, ତୁମର କାମ ସରିଗଲା, ଏବେ ବାହାରକୁ ଯାଅ। ମିଥୁନ୍ ଜବାବ ଦେଇ କହିଲେ, ମୁଁ ଭୟ କରୁନାହିଁ। ଉଭୟଙ୍କ ମଧ୍ୟରେ ଏଭଳି ବିବାଦ ଦେଖି ସମସ୍ତେ ଗମ୍ଭୀର ହୋଇଯାଇଥିଲେ ।
ଏହି ବିବାଦ ସମୟରେ ଅରିଜିତ ସିଂହ ସଲମାନ ଖାନଙ୍କ ଫିଲ୍ମ ସୁଲତାନ ପାଇଁ ଏକ ଗୀତ ଗାଇଥିଲେ । କିନ୍ତୁ କିଛି ଦିନ ପରେ ତାଙ୍କ ଗୀତକୁ ଫିଲ୍ମରୁ ହଟାଇ ଦିଆଯାଇଥିଲା। ଏହି ଖବର ଶୁଣି ଅରିଜିତ ସିଂହ ସୋସିଆଲ ମିଡିଆରେ ସଲମାନ ଖାନଙ୍କୁ କ୍ଷମା ପ୍ରାର୍ଥନା କରି ପୋଷ୍ଟ କରିଥିଲେ ଏବଂ ତାଙ୍କ ଗୀତକୁ ଫିଲ୍ମରୁ ନହଟାଇବାକୁ ଅନୁରୋଧ କରିଥିଲେ। କିନ୍ତୁ ତାଙ୍କର କ୍ଷମା ପ୍ରାର୍ଥନାର କୌଣସି ପ୍ରଭାବ ସଲମାନଙ୍କ ଉପରେ ପଡ଼ିନଥିଲା । ଆଉ ଏବେ ଖୋଦ ସଲମାନ ନିଜର ଭୁଲ ବୁଝିପାରିଛନ୍ତି ବୋଲି କହିଛନ୍ତି । ସେପଟେ ଖୁବଶୀଘ୍ର ସଲମାନଙ୍କ ଫିଲ୍ମରେ ଅରିଜିତଙ୍କ ଗୀତ ଶୁଣିବାକୁ ମିଳିପାରେ ।