ନୂଆଦିଲ୍ଲୀ ୦୨/୧୨: ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ସାଉଥ୍ ସୁପର୍ଷ୍ଟାର ସାମନ୍ଥା ରୁଥ୍ ପ୍ରଭୁ । ସାଉଥ୍ ସିନେ ଜଗତର ଲୋକପ୍ରିୟ ଫିଲ୍ମ ନିର୍ମାତା ରାଜ୍ ନିଦିମୋରୁଙ୍କ ସହ ତାଙ୍କର ହାତଗଣ୍ଠି ପଡ଼ିଛି । ସୋମବାର ସକାଳେ କୋଇମ୍ବାଟୁର ସ୍ଥିତ ସଦ୍‌ଗୁରୁ ଜଗ୍‌ଗୀ ବାସୁଦେବଙ୍କ ଇଶା ଫାଉଣ୍ଡେସନରେ ଥିବା ଲିଙ୍ଗ ଭୈରବୀ ମନ୍ଦିରରେ ପରିବାର ଓ ପରିଜନଙ୍କ ଉପସ୍ଥିତିରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି । ସମନ୍ଥା ନିଜ ଇନ୍‌ଷ୍ଟାଗ୍ରାମ୍ ପେଜରେ ବିବାହର ଫଟୋ ଶେୟାର କରିଛନ୍ତି । କ୍ୟାପ୍ସନରେ ବିବାହ ତାରିଖ ଲେଖିଛନ୍ତି ।

ବିବାହରେ ସାମନ୍ଥା ଲାଲ୍ ରଙ୍ଗର ଶାଢ଼ି ଏବଂ ରାଜ୍ ଧଳା କୁର୍ତ୍ତା-ପାଇଜାମା ପିନ୍ଧିଥିଲେ । ସୁନା ଓ ହୀରା ଗହଣାରେ ସାମନ୍ଥା ନିଜକୁ ସଜାଇଥିଲେ । ଲିଙ୍ଗ ଭୈରବୀ ଦେବୀ ମନ୍ଦିରରେ ଭୂତ ସୁଦ୍ଧି ବିବାହ ବିଧି ଜରିଆରେ ବିବାହ ସମ୍ପାଦିତ ହୋଇଥିଲା । ଉଭୟଙ୍କ ବିବାହ ବିଷୟରେ ରବିବାର ରାତିରେ ଚର୍ଚ୍ଚା ହୋଇଥିଲା । କିନ୍ତୁ ସାର୍ବଜନୀନ କରାଯାଇନଥିଲା । ବିବାହରେ ଅତିଥିଙ୍କ ସଂଖ୍ୟା ମାତ୍ର ୩୦ରେ ସୀମିତ ଥିଲା । ଦୀର୍ଘ ଦୁଇ ବର୍ଷ ହେଲା ସାମନ୍ଥା-ରାଜ୍ ପରସ୍ପରକୁ ଡେଟ୍ କରୁଥିଲେ । ସାମନ୍ଥା ଅନେକ ଥର ରାଜଙ୍କ ସହ ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ, ଯାହା ଉଭୟଙ୍କ ସମ୍ପର୍କ ବିଷୟରେ ଚର୍ଚ୍ଚାର ଖୋରାକ ଯୋଗାଇଥିଲା ।

 

ତେବେ ସାମନ୍ଥା ୨୦୧୭ରେ ଅଭିନେତା ନାଗା ଚୈତନ୍ୟଙ୍କୁ ବିବାହ କରିଥିଲେ । ବିବାହର ୪ ବର୍ଷ ପରେ ଦୁହେଁ ଅଲଗା ହୋଇଗଲେ । ଏହା ପରେ ନାଗା ଚୈତନ୍ୟ ଶୋଭିତା ଧୂଲିପାଲାଙ୍କୁ ବିବାହ କଲେ । ରାଜ୍ ନିଦିମୋରୁ ମଧ୍ୟ ୨୦୨୨ରେ ଶ୍ୟାମଲୀ ଦେଙ୍କୁ ଛାଡ଼ପତ୍ର ଦେଇଥିଲେ । ୨୦୨୪ ଆରମ୍ଭରେ ସାମନ୍ଥା-ରାଜଙ୍କ ସମ୍ପର୍କ ବିଷୟରେ ଚର୍ଚ୍ଚା ଧରିଥିଲା । ଉଭୟ ‘ଫ୍ୟାମିଲି ମ୍ୟାନ୍-୨’, ‘ସିଟାଡେଲ୍: ହନି ବନି’ରେ କାମ କରିଛନ୍ତି । ଅପକମିଙ୍ଗ ଫିଲ୍ମ ‘ରକ୍ତ ବ୍ରହ୍ମାଣ୍ଡ’ରେ ମଧ୍ୟ ଉଭୟ ଏକାଠି କାମ କରୁଛନ୍ତି । ସମନ୍ଥାଙ୍କ ପ୍ରଥମ ପ୍ରଯୋଜିତ ଫିଲ୍ମ ‘ଶୁଭମ’ରେ ରାଜ୍ କ୍ରିଏଟିଭ୍ ପ୍ରଡ୍ୟୁସର ଭାବେ ମଧ୍ୟ କାମ କରିଥିଲେ ।