ଆଇଏଏସ୍ ସ୍ତରରେ ଅଦଳବଦଳ ସମର୍ଥ ବର୍ମା ବିଏମସି କମିଶନର

ଭୁବନେଶ୍ୱର,୯ା୨(ବ୍ୟୁରୋ): ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ୩ ଜଣ ଜିଲ୍ଲାପାଳଙ୍କୁ ପଦୋନ୍ନତି ଦେଇଛନ୍ତି । ୫ଟି ଜିଲ୍ଲାରେ ନୂଆ ଜିଲ୍ଲାପାଳ ନିଯୁକ୍ତ କରିଛନ୍ତି । ୩ ଜଣ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଅଧିକାରୀଙ୍କୁ ଜିଲ୍ଲାପାଳ ଭାବେ ପଦୋନ୍ନତି ବି ମିଳିଛି ।
ଫେବ୍ରୁଆରୀ ୨୮ ସୁଦ୍ଧା ସବୁ ପ୍ରକାର ଅଧିକାରୀ ସ୍ତରୀୟ ଅଦଳବଦଳ ସାରିବାକୁ ନିକଟରେ ନିର୍ବାଚନ କମିସନର୍ ସବୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିବାରୁ ଓଡ଼ିଶା ସରକାର ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି ।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ମୁତାବକ, ଅନୁଗୁଳ ଜିଲ୍ଲାପାଳ ଅନିଲ କୁମାର ସାମଲ, ଝାରସୁଗୁଡ଼ା ଜିଲ୍ଲାପାଳ ବିଭୂତି ଭୂଷଣ ପଟ୍ଟନାୟକ ଓ ଜଗତ୍ସିଂହପୁର ଜିଲ୍ଲାପାଳ ଯାମିନୀ ଷଡ଼ଙ୍ଗୀଙ୍କୁ ପଦୋନ୍ନତି ଦିଆଯାଇଛି । ଅନୁଗୁଳ ଜିଲ୍ଲାପାଳ ଶ୍ରୀ ସାମଲଙ୍କୁ କେନ୍ଦ୍ରାଞ୍ଚଳ ଆର୍ଡିସି ଦାୟିତ୍ୱ ଦିଆଯାଇଛି । ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ ପଟ୍ଟନାୟକଙ୍କୁ ପର୍ଯ୍ୟଟନ ନିର୍ଦ୍ଦେଶକ ଦାୟିତ୍ୱ ମିଳିଛି । ଏଥିସହ ପର୍ଯ୍ୟଟନ ନିର୍ଦ୍ଦେଶାଳୟର ଅତିରିକ୍ତ ଦାୟିତ୍ୱରେ ଥିବା ଅର୍ଚ୍ଚନା ପଟ୍ଟନାୟକ ଏଥିରୁ ମୁକ୍ତ ହୋଇଛନ୍ତି । ଜଗତ୍ସିଂହପୁର ଜିଲ୍ଲାପାଳ ଶ୍ରୀମତୀ ଷଡ଼ଙ୍ଗୀଙ୍କୁ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଭାବେ ପଦୋନ୍ନତି ମିଳିଛି ।
ରାୟଗଡ଼ା ଜିଲ୍ଲାପାଳ ଗୁହା ପୁନମ୍ ତାପସ୍ କୁମାରଙ୍କୁ ସରକାର ଜଗତ୍ସିଂହପୁର ଜିଲ୍ଲାପାଳ ଭାବେ ବଦଳି କରିଛନ୍ତି । ଏପଟେ ସମ୍ବଲପୁର ଜିଲ୍ଲାପାଳ ଓ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) କମିସନରଙ୍କ ମଧ୍ୟରେ ପଦ ବଦଳ କରାଯାଇଛି । ସମ୍ବଲପୁର ଜିଲ୍ଲାପାଳ ସମର୍ଥ ବର୍ମା ବିଏମ୍ସି କମିସନର୍ ଭାବେ ନିଯୁକ୍ତ ହୋଇଥିବା ବେଳେ ବିଏମ୍ସି କମିସନର ଶୁଭମ୍ ସକ୍ସେନା ସମ୍ବଲପୁର ଜିଲ୍ଲାପାଳ ଭାବେ ବଦଳି ହୋଇଛନ୍ତି ।
ଏହାଛଡ଼ା ଆଜି ସରକାର ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଅଧିକାରୀ ସ୍ତରରେ ମଧ୍ୟ ଛୋଟ ଧରଣର ଅଦଳବଦଳ କରିଛନ୍ତି । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟରତ ବିଭୂତି ଭୂଷଣ ଦାସଙ୍କୁ ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ଏପଟେ ଇସ୍ପାତ ଓ ଖଣି ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବା ପ୍ରମୋଦ କୁମାର ବେହେରାଙ୍କୁ ରାୟଗଡ଼ା ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି । ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣ (ବିଡିଏ) ସଚିବ ମନୋଜ କୁମାର ମହାନ୍ତିଙ୍କୁ ଅନୁଗୁଳ ଜିଲ୍ଲାପାଳ ଦାୟିତ୍ୱ ଦିଆଯାଇଛି ।