ମାଲକାନଗିରିରେ ସମଲିଙ୍ଗୀ ବିବାହ; ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ବାନ୍ଧବୀ

ମାଲକାନଗିରି,୩୧/୩ : ପ୍ରଥମେ ସାଙ୍ଗ ହୋଇ ଗୋଟିଏ କମ୍ପାନୀ ଚାକିରୀ କଲେ। ତା’ପରେ ବନ୍ଧୁତା ସ୍ଥାପନ । ଆଉ ତା’ର କିଛି ବର୍ଷ ପରେ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ ଦୁଇ ବାନ୍ଧବୀ। ଏହି ସମଲିଙ୍ଗୀ ବିବାହ ଘଟଣା ଏବେ ମାଲକାନଗିରି ଜିଲ୍ଲାରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ଏପରି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସୋମନାଥପୁର ପଞ୍ଚାୟତ ହାତିଆମ୍ବ ଗାଁରେ । ସେହି ଗ୍ରାମର ବଣ୍ଡା ଯୁବତୀ କୌଶଲ୍ୟା ମୁଦୁଲି ତେଲେଙ୍ଗାନାର ଏକ ଚିଙ୍ଗୁଡ଼ି କମ୍ପାନୀରେ କାମ କରୁଥିଲେ । ତାଙ୍କ ସାଥିରେ ମାଥିଲି ବ୍ଲକ ଗଣ୍ଡେନଗୁଡ଼ା ଗାଁର ଭୂମିଆ ସମ୍ପ୍ରଦାୟର ଆଦିବାସୀ ଯୁବତୀ ଦ୍ରୋପତି ଭୂମିୟା ମଧ୍ୟ କାମ କରୁଥିଲେ।
ଗୋଟିଏ ଜିଲ୍ଲାରୁ ଯାଇଥିବାରୁ ସେମାନଙ୍କ ମଧ୍ୟରେ ବନ୍ଧୁତା ବଢିଥିଲା। ଉଭୟଙ୍କ ମଧ୍ୟରେ ପ୍ରେମର ସମ୍ପର୍କ ଗଢି ଉଠିଥିଲା । ଉଭୟ ସାରା ଜୀବନ ଏକାସାଙ୍ଗରେ ରହିବା ଲାଗି ସମଲିଙ୍ଗି ବିବାହ କରିବା ପାଇଁ ନିଷ୍ପତ୍ତି ନେଇଗଲେ। ମାତ୍ର ପରିବାର ଲୋକ ଏହା ଜାଣିବା ପରେ ଘରକୁ ଫେରାଇ ଆଣିଥିଲେ। ଉଭୟ ଘରକୁ ଫେରି ଆସିଥିଲେ । ଉଭୟ ବିବାହ କରି କୌଶଲ୍ୟାଙ୍କ ଘରେ ହାତୀ ଆମ୍ବ ଗ୍ରାମରେ ରହୁଛନ୍ତି ।
ବଣ୍ଡା ଯୁବତୀଙ୍କ ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ଏହି ବିବାହକୁ ନେଇ ସ୍ୱୀକୃତି ଦେଇ ସେମାନଙ୍କର କୌଣସି ଆପତ୍ତି ନ ଥିବା ଓ ଏହି ସମଲିଙ୍ଗି ବିବାହକୁ ବଣ୍ଡା ଜାତି ସାଦରେ ଗ୍ରହଣ କରି ନେଇଥିବାବେଳେ ଭୂମିଆ ଆଦିବାସୀ ଯୁବତୀ ଦ୍ରୋପଦୀଙ୍କ ପରିବାର ଓ ଆଦିବାସୀ ସମାଜର ଲୋକେ ଏହାକୁ ସ୍ୱୀକୃତି ଦେଇ ନାହାନ୍ତି । ସେମାନେ ଏହି ବିବାହକୁ ନେଇ ଅସନ୍ତୁଷ୍ଟ ଥିବା ଜଣାପଡିଛି ।